fbpx

ଆଦାନୀ ସେୟାର କିଣିବାକୁ ବ୍ୟାକୁଳ ବିଦେଶୀ ନିବେଶକ: ଫୁସକୀ ଗଲା ହିଣ୍ଡନବର୍ଗ ରିପୋର୍ଟ

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନିଙ୍କ ବିରୋଧରେ ହିଣ୍ଡନବର୍ଗ ଆଣିଥିବା ଅଭିଯୋଗ ଗୁଡ଼ିକ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଏହାର ରିପୋର୍ଟ ଦାଖଲ କରିଛି । ଏହି ରିପୋର୍ଟକୁ ଆଦାନୀ ସମୁହ ପାଇଁ ଏକ କ୍ଲିନ୍ ଚିଟ୍ ବୋଲି ନିବେଶକମାନେ ଦେଖୁଛନ୍ତି । ଏହା ପ୍ରଭାବରେ ଆଦାନୀ ଷ୍ଟକ୍ ଗୁଡ଼ୁିକରେ ଉତ୍ସାହ ଦେଖିବାକୁ ମିଳୁଛି । ଗତ ତିନି କାରବାର ଦିନରେ ଆଦାନୀର ସମସ୍ତ ୧୦ଟି ଯାକ ଷ୍ଟକ୍ ମୂଲ୍ୟ ୧.୮ ଲକ୍ଷ କୋଟି ବଢିଛି ।

ହିଣ୍ଡେନବର୍ଗ ସଙ୍କଟ ପରେ ଅନେକ ବଡ଼ ନିବେଶକ ଗୌତମ ଆଦାନୀ ସମୁହରେ ନିବେଶ ପାଇଁ ଇଚ୍ଛା ପ୍ରାକଶ କରୁଛନ୍ତି । ଏହି ନିବେଶକମାନଙ୍କ ମଧ୍ୟରେ ରାଜୀବ ଜୈନଙ୍କ GQG ସହଭାଗୀ, ଆବୁଧାବି ନିବେଶ ପ୍ରାଧିକରଣ (ADIA), ଆନ୍ତର୍ଜାତୀୟ ହୋଲଡିଂ କମ୍ପାନୀ (IHC) ଏବଂ ହିନ୍ଦୁଜା ଗ୍ରୁପ୍ ଅନ୍ତର୍ଭୁକ୍ତ । ଏହି ସମସ୍ତ ନିବେଶକମାନେ ଆଦାନୀଙ୍କ କମ୍ପାନୀର ସେୟାର ବିକ୍ରୟ ଯୋଜନାରେ ଅଂଶଗ୍ରହଣ କରିବାକୁ ଆଗ୍ରହ ଦେଖାଇଛନ୍ତି । ବିଜନେସ୍ ଷ୍ଟାଣ୍ଡାର୍ଡ ରିପୋର୍ଟ ଅନୁଯାୟୀ ଆଦାନୀ ଗୋଷ୍ଠୀ ସେୟାର ବିକ୍ରୟ ମାଧ୍ୟମରେ ୨୯,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଛି ।

ତେବେ ଲଗାତାର ତିନିଦିନ ଆଦାନୀ ସମୁହରେ ଦେଖିବାକୁ ମିଳିଥିବା ଉତ୍ସାହ ବୁଧବାର ଅଚାନକ ହ୍ରାସ ପାଇଥିଲା । ନିବେଶକ ମାନଙ୍କ ଲାଭ ପ୍ରତ୍ୟାହାର କାରଣରୁ ବୁଧବାର ହଠାତ୍ ଷ୍ଟକ୍ ଗୁଡ଼ିକରେ ଉତ୍ସାହ ଅଟକି ଯାଇଥିଲା । ଆଦାନୀ ଏଣ୍ଟରପ୍ରାଇଜେସ୍ ଷ୍ଟକ୍ ୮% ହ୍ରାସ ପାଇ ୨୪୨୫.୮ ରେ ରହିଥିଲା । ୨.୮ ଲକ୍ଷ କୋଟିର ମାର୍କେଟ୍ କ୍ୟାପ୍ ସହିତ ଆଦାନୀ ଏଣ୍ଟରପ୍ରାଇଜେସ୍ ଗୋଷ୍ଠୀର ୧୦ ତାଲିକାଭୁକ୍ତ କମ୍ପାନୀ ମଧ୍ୟରେ ସବୁଠାରୁ ମୂଲ୍ୟବାନ ଷ୍ଟକ୍ ଅଟେ । ବୁଧବାର ଷ୍ଟକ୍ ହ୍ରାସ ପୁର୍ବରୁ କେବଳ ଗତ ତିନି ଦିନରେ ଷ୍ଟକ୍ ୩୯ ପ୍ରତିଶତ ବୃଦ୍ଧି ପାଇଥିଲା ।

ମୋଟ ଉପରେ ବୁଧବାର ସେୟାର ବଜାର ମାନ୍ଦା ରହିବାର ପ୍ରଭାବ ଆଦାନୀ ସମୁହ ଉପରେ ପଡ଼ିଥିଲା । ଯେଉଁ କାରଣରୁ ଆଦାନୀ ସମୁହର ୧୦ରୁ ୭ ସେୟାର ନିମ୍ନମୁଖୀ ରହିଥିଲା ଏବଂ ଏଗୁଡ଼ିକର ଷ୍ଟକ୍ ମୂଲ୍ୟ ମଧ୍ୟ ହ୍ରାସ ପାଇଥିଲା । କେବଳ ୩ ସେୟାର ଦୃଢ଼ତା ଦେଖାଇଥିଲେ ।

Get real time updates directly on you device, subscribe now.