fbpx

ସତରେ ଚମତ୍କାର! ୮ ଥର ମରିବା ପରେ ଜୀବିତ ହେଉଛନ୍ତି ଏହି ବ୍ୟକ୍ତି: ମିଳୁଛି ନୂଆ ଜୀବନ

ଓଡ଼ିଶା ଭାସ୍କର: ଦୁନିଆରେ ଏମିତି ଅନେକ ଅଜବ ଏବଂ ଚମତ୍କାର ଘଟଣା ଦେଖିବାକୁ ମିଳିଥାଏ । ଏମିତି ବି ଅନେକ କିଛି ଘଟଣା ରହିଛି, ଯାହାକୁ ବିଶ୍ୱାସ କରିବା ମଧ୍ୟ ସମ୍ଭବ ହୁଏ ନାହିଁ । କେବେ କେହି ଏକଥା ବିଶ୍ୱାସ କରିବେ କି, ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ପୁଣିଥରେ ଜୀବିତ ହୋଇଯାଏ? ହୁଏତ ଏହା ସମ୍ଭବ ନୁହେଁ । କିନ୍ତୁ ଜଣେ ବ୍ୟକ୍ତି ଏ ନେଇ ଦାବି କରୁଛନ୍ତି ଯେ, ସେ ୮ ଥର ମୃତ୍ୟୁର ଅନୁଭବ ପାଇବା ପରେ ପୁଣି ନୂଆ ଜୀବନ ପାଇଛନ୍ତି । ତେବେ ଏ କେଉଁ ପ୍ରକାର ‘ଚମତ୍କାର’?

କୁହାଯାଏ ଯେ, ପୃଥିବୀରେ ଜନ୍ମ ନେଇଥିବା ପ୍ରତ୍ୟେକ ଜୀବଜନ୍ତୁଙ୍କର ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଆମେରିକାର ନ୍ୟୁଜର୍ସିରେ ରହୁଥିବା ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ, ସେ ମୃତ୍ୟୁ ପରେ ପୁଣିଥରେ ଜୀବିତ ହୋଇ ଆସୁଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେ ଥରେ କିମ୍ବା ୨ ଥର ନୁହେଁ, ଏମିତି ପ୍ରାୟ ୮ ଥର ମୃତ୍ୟୁ ପରେ ଜୀବିତ ହୋଇଥିବା ସେ ଦାବି କରିଛନ୍ତି । ଏଠାକାର ଜଣେ ଲେଖକ ଇଭାନ ୮ ଥର ମୃତ୍ୟୁର ଅନୁଭବ ପାଇବା ପରେ ମଧ୍ୟ ଜୀବିତ ଅଛନ୍ତି । ସେ କହିଛନ୍ତି ଯେ, ୪୦ ବର୍ଷ ବୟସରେ ହଠାତ୍ ଦିନେ ତାଙ୍କ ବାମ ହାତରେ ଜଳାପୋଡ଼ା ଅନୁଭବ ହୋଇଥିଲା । ଏହାପରେ ସେ ୯୧୧କୁ କଲ୍ କରି ଆମ୍ବୁଲାନ୍ସ ପାଇଁ ସାହାଯ୍ୟ ମାଗିଥିଲେ । ତେବେ ତାଙ୍କୁ ହୃଦଘାତ ହୋଇଥିବା ସେ ଜାଣି ପାରିଥିଲେ । ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯିବାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯିବା ପାଇଁ ମଧ୍ୟ ତାଙ୍କର ଶକ୍ତି ନଥିବା ବେଳେ ସେ ମେଡିକାଲ ଷ୍ଟାଫମାନଙ୍କ ସାହାରା ନେଇଥିଲେ ।

ଇଭାନଙ୍କୁ ଆମ୍ବୁଲାନ୍ସ ଭିତରକୁ ନେଇ ସେଠାରେ ଚିକିତ୍ସା କରିଥିଲେ ସ୍ୱାସ୍ଥ୍ୟକର୍ମୀ । ତେବେ ଚିକିତ୍ସା ପରେ ନିଶ୍ୱାସପ୍ରଶ୍ୱାସ ନେବା ସ୍ୱାଭାବିକ ହେବାରୁ ସେ ପୁଣି ଥରେ ସୁସ୍ଥ ଅନୁଭବ କରିଥିଲେ । ଏହାର କିଛି ସମୟ ପରେ ପୁଣିଥରେ ଇଭାନଙ୍କ ଶ୍ୱାସକ୍ରିୟା ବନ୍ଦ ହୋଇ ଯାଇଥିଲା । ତେବେ ସେହିଦିନ ପ୍ରାୟ ଲଗାତାର ୫ ଥର ଏଭଳି ହେବା ଫଳରେ ଇଭାନ ଆମ୍ବୁଲାନ୍ସ ଭିତରେ ହିଁ ମୃତ୍ୟୁ ଅବସ୍ଥାରେ ପହଞ୍ଚି ଯାଇଥିଲେ । ତେବେ କିଛି ସମୟ ପରେ ସେ ପୁଣିଥରେ ସୁସ୍ଥ ହୋଇ ନୂଆ ଜୀବନ ଫେରି ପାଇଛନ୍ତି ।

ଏହାପରେ ଆମ୍ବୁଲାନ୍ସ ଇଭାନଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଥିଲା । ତେବେ ଅସ୍ତ୍ରୋପଚାର ପାଇଁ ଯିବା ପୂର୍ବରୁ, ପୁଣିଥରେ ସମାନ ପରିସ୍ଥିତିରେ ପଡ଼ିଥିଲେ ଇଭାନ । ଅଚାନକ ତାଙ୍କର ଶ୍ୱାସକ୍ରିୟା ଦୁଇ ଥର ବନ୍ଦ ହୋଇ ଯାଇଥିଲା । ଯାହାକୁ ନେଇ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନିଶ୍ୱାସ-ପ୍ରଶ୍ୱାସ ଦୁଇ ମିନିଟ୍ ପାଇଁ ବନ୍ଦ ହୋଇଯିବା ପରେ ସେ ପ୍ରତ୍ୟେକ ଥର ୩୦-୪୦ ସେକେଣ୍ଡ ପାଇଁ ଏକ ମୃତ ଅବସ୍ଥାରେ ପହଞ୍ଚି ଯାଉଥିଲେ । ଏହି ଘଟଣା ପରେ ସେ ପାଞ୍ଚ ଦିନ କୋମାକୁ ଚାଲି ଯାଇଥିଲେ ବୋଲି କହିଛନ୍ତି । କୋମାରେ ଥିବା ବେଳେ ତାଙ୍କୁ ଏକ ଏକମୋ ମେସିନରେ ରଖାଯାଇଥିଲା । ତେବେ ସେଠାରୁ ବାହାରିବା ପରେ ସେ କେତେ ଦିନ ଜୀବିତ ରହିପାରିବେ, ଏ ନେଇ ଡାକ୍ତର ମଧ୍ୟ କିଛି କହି ପାରି ନଥିଲେ । ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.