fbpx

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ବୁଟା ସିଂହଙ୍କ ପରଲୋକ

ନୂଆଦିଲ୍ଲୀ,୨ ।୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂହଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି । ସେ ଦୀର୍ଘ ଦିନ ଧରି ବିଭିନ୍ନ ରୋଗରେ ପରୀଡିତ ଥାଇ ଚିକିତ୍ସିତ ହେଉଥିଲେ ।

ତେବେ୧୯୩୪ ମାର୍ଚ୍ଚ ୨୧ରେ ଜଳନ୍ଧର ଜିଲାର ମୁସ୍ତଫାପୁର ଗାଁରେ ଜନ୍ମିତ ବୁଟା ସିଂହ ୮ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ସମେତ ସେ ବିଭିନ୍ନ ସମୟରେ ଅନେକ ପଦପଦବୀରେ ଅବସ୍ଥାନ କରିଥିଲେ।

ବୁଟା ସିଂହଙ୍କ ଦେହାନ୍ତ କଂଗ୍ରେସ ପାଇଁ ବଡ଼ କ୍ଷତି ବୋଲି କୁହାଯାଉଛି । ନେହରୁ-ଗାନ୍ଧୀ ପରିବାରର ବିଶ୍ୱାସପାତ୍ର ରହିଆସିଥିବା ବୁଟା ସିଂହ କଂଗ୍ରେସ ଶାସନ କାଳରେ ଗୃହମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳ ମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ ପଦ ସମେତ ଅନ୍ୟାନ୍ୟ ଦାୟିତ୍ୱ ସମ୍ଭାଳିଥିଲେ । ଏହା ବ୍ୟତୀତ ସେ ବିହାରର ରାଜ୍ୟପାଳ ଏବଂ ଜାତୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଇଥିଲେ । ତାଙ୍କୁ ଦଳିତଙ୍କ ମସିହା ଭାବେ ବିବେଚନା କରାଯାଏ ।

ସେ ମଧ୍ୟ ପଞ୍ଜାବୀ ସାହିତ୍ୟ ଓ ଶିଖ୍‌ ଇତିହାସର କେତେକ ଲେଖାର ସଙ୍କଳନ କରିଛନ୍ତି। ଏହାଛଡ଼ା ‘ପଞ୍ଜାବୀ ସ୍ପିକିଙ୍ଗ୍‌ ଷ୍ଟେଟ୍‌’ ନାମକ ଏକ ସମୀକ୍ଷାଭିତ୍ତିକ ପୁସ୍ତକ ରଚନା କରିଛନ୍ତି। ୨୦୦୭ରୁ ୨୦୧୦ଯାଏଁ ସେ ‘ନ୍ୟାସ୍‌ନାଲ୍‌ କମିସନ୍‌ ଫର୍‌ ସିଡ୍ୟୁଲ୍‌ଡ୍‌ କାଷ୍ଟ୍‍’ର ସଭାପତି ଥିଲେ।

Get real time updates directly on you device, subscribe now.