fbpx

ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂହଙ୍କ ୯୫ ବର୍ଷ ବୟସରେ ନିଧନ, ଆଜି ଦିଲ୍ଲୀରେ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନଟବର ସିଂହଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ନଟବର ସିଂହ ।

୧୯୩୧ ମସିହାରେ ନଟବର ସିଂହ ରାଜସ୍ଥାନର ଭରତପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ରାଜନୈତିକ କ୍ୟାରିୟରରେ କୂଟନୈତିକ କ୍ଷେତ୍ରରେ ବହୁତ ଅଭିଜ୍ଞତା ହାସଲ କରିଥିଲେ । ଏହା ବ୍ୟତୀତ ବୈଦେଶିକ ବ୍ୟାପାର ମାମଲାରେ ସେ ଜଣେ ଅଭିଜ୍ଞ ଲେଖକ ଥିଲେ । ନିଜ ପ୍ରତିଷ୍ଠିତ କ୍ୟାରିୟର ସମୟରେ ତାଙ୍କର ଅତୁଳନୀୟ ଅବଦାନ ଏବଂ ରାଷ୍ଟ୍ର ପ୍ରତି ତାଙ୍କ ସେବା ଭାବନା ପାଇଁ ୧୯୮୪ ମସିହାରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ-୧ ସରକାର ସମୟରେ ୨୦୦୪-୦୫ ଅବଧି ପାଇଁ ସେ ଭାରତର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ପାକିସ୍ତାନର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ ଏବଂ ୧୯୬୬ରୁ ୧୯୭୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳ ସହ ଜଡ଼ିତ ଥିଲେ । ତାଙ୍କ ବିୟୋଗରେ ରାଜନୀତି ମାହୋଲରେ ଶୋକର ଛାୟା ଖେଳିଯାଇଛି । ଶନିବାର ବିଳମ୍ବିତ ରାତିରେ ତାଙ୍କ ନିଧନ ହୋଇଥିଲା । ଆଜି ଦିଲ୍ଲୀରେ ତାଙ୍କ ଅନ୍ତିମ ସଂସ୍କାର ହେବା ନେଇ ପରିବାର ପକ୍ଷରୁ ସୂତ୍ରରୁ ପ୍ରକାଶ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଭାରତ ସରକାରରେ ପୂର୍ବତନ ବୈଦେଶିକ ମନ୍ତ୍ରୀ, ପଦ୍ମ ଭୂଷଣ ସମ୍ମାନିତ ନଟବର ସିଂହଙ୍କ ନିଧନ ସମାଚାର ଅତ୍ୟନ୍ତ ଦୁଖଦ । ପ୍ରଭୁ ଶ୍ରୀରାମଙ୍କୁ ପ୍ରାର୍ଥନା ତାଙ୍କ ଦିବଙ୍ଗତ ଆତ୍ମାକୁ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଏବଂ ଶୋକାକୂଳ ପରିବାରକୁ ଏହ ଦୁଃଖ ସମୟରେ ସାହା ହୁଅନ୍ତୁ ।’

Get real time updates directly on you device, subscribe now.