fbpx

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ପୂର୍ବତନ ବିଧାୟକଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ଦେହାନ୍ତ ହୋଇଯାଇଛି । ସେ ବାଲିକୁଦା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ହୃଦଘାତ ଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଉମେଶଙ୍କର ଦେହାନ୍ତ ନେଇ ତାଙ୍କ ପରିବାରବର୍ଗ ସୂଚନା ଦେଇଛନ୍ତି ।

ଉମେଶ ପ୍ରଥମେ ଛାତ୍ର ରାଜନୀତିରେ ପ୍ରବେଶ କରି ମଧୁସୂଦନ ଆଇନ କଲେଜର ଛାତ୍ର ସଂସଦ ସଭାପତି ରୂପେ ନିର୍ବାଚିତ ହୋଇଥିଲେ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଜଣେ ଅନୁଗତ ଭାବେ ଜଣାଶୁଣା ଥିଲେ । ଜନତାଙ୍କ ସେବା ଲକ୍ଷ୍ୟରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ୧୯୭୪ରେ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ । ୧୯୭୭ରେ ସେ ଜନତା ଦଳରୁ ପ୍ରାର୍ଥୀ ହୋଇ ପ୍ରଥମ ଥର ପାଇଁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୧୯୮୦ ଓ ୧୯୮୫ରେ ପରାଜିତ ହୋଇ ୧୯୯୦ରେ ପୁନଃ ନିର୍ବାଚିତ ହୋଇଥିଲେ । ପରେ ସେ ବସନ୍ତ ବିଶ୍ୱାଳଙ୍କ ସହ ଘନିଷ୍ଠତା ପାଇଁ ଜାତୀୟ କଂଗ୍ରେସରେ ଯୋଗ ଦେଇ ୨୦୦୦ରେ ତୃତୀୟ ଥର ପାଇଁ ବିଧାୟକ ହୋଇଥିଲେ । ୨୦୦୪ରେ ସେ ପୁଣି ଚତୁର୍ଥ ଥର ପାଇଁ ଜିତିଥିଲେ । ୨୦୧୪ରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେବା ସହ ନିର୍ବାଚନ ପ୍ରଚାର କାର୍ଯ୍ୟ ତୁଲାଇଥିଲେ ।

Get real time updates directly on you device, subscribe now.