ରେପ୍ କେସରେ ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ଆଜୀବନ କାରାଦଣ୍ଡ, ୫ ଲକ୍ଷ ଟଙ୍କାର ଜୋରିମାନା
ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କାରାଦଣ୍ଡାଦେଶ।
କର୍ଣ୍ଣାଟକ: ପ୍ରଜ୍ୱଳ ରେବନ୍ନାଙ୍କୁ ଆଜୀବନ ସଜା। ଜେଡି (ଏସ୍) ନେତା ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ଆଜୀବନ ଦଣ୍ଡାଦେଶ। ବେଙ୍ଗାଲୁରୁ ସ୍ପେଶାଲ୍ କୋର୍ଟ ଆଜୀବନ କାରାଦଣ୍ଡାଦେଶରେ ରେବନ୍ନାଙ୍କୁ ଦଣ୍ଡିତ କଲେ। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜୀବନ ସଜା ଦିଆଗଲା।
କର୍ଣ୍ଣାଟକର ଏକ ସ୍ୱତନ୍ତ୍ର କୋର୍ଟ ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୬ (୨) (କେ) ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ତାଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି।
ଏହା ସହିତ ପ୍ରଜ୍ୱଳଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଏକ ସ୍ୱତନ୍ତ୍ର କୋର୍ଟର ବିଚାରପତି ସନ୍ତୋଷ ଗଜାନନ ଭଟ୍ ଶୁକ୍ରବାର ଦିନ ଦିଆଯାଇଥିବା ରାୟରେ ପ୍ରଜ୍ୱଳ ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
କୋର୍ଟରେ ରେବନ୍ନା କ’ଣ କହିଥିଲେ: ଯେତେବେଳେ କୋର୍ଟ ଦୋଷୀ ପ୍ରଜ୍ୱଳ ରେବନ୍ନାଙ୍କୁ ପଚାରିଲେ ଯେ ତାଙ୍କର କ’ଣ କହିବାକୁ ଅଛି, ପ୍ରଜ୍ୱଳ ରେବନ୍ନା ଦୁଃଖର ସହିତ କହିଲେ, ‘ମୁଁ ଜଣେ ସାଂସଦ ଭାବରେ ଭଲ କାମ କରିଛି। ମୁଁ ଛଅ ମାସ ଧରି ମୋ ବାପାମାଙ୍କୁ ଦେଖିନାହିଁ।
ମୁଁ ଜଣେ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ। ମୁଁ ବହୁତ ଶୀଘ୍ର ରାଜନୀତିରେ ପ୍ରବେଶ କରିଥିଲି ଏବଂ ଭଲ କାମ କରିବା ଆରମ୍ଭ କରିଥିଲି, ସେଥିପାଇଁ ମୋତେ ଫସାଇ ଦିଆଯାଇଛି। ମୁଁ ଗଣମାଧ୍ୟମକୁ ଦୋଷ ଦେବାକୁ ଚାହୁଁନାହିଁ, ଏହା ପୋଲିସର କାମ।’
ଏହି ଧାରା ଅନୁଯାୟୀ ମାମଲା ପଞ୍ଜିକୃତ: ଏହି ମାମଲା ଗନ୍ନିକଡା ଗେଷ୍ଟ ହାଉସରେ ରେବନ୍ନା ପରିବାରର ଜଣେ ୪୮ ବର୍ଷୀୟା ଚାକରାଣୀଙ୍କ ଯୌନ ନିର୍ଯାତନା ସହିତ ଜଡିତ।
ପ୍ରଜ୍ୱଲ ମଧ୍ୟ ଏହି କାର୍ଯ୍ୟକୁ ତାଙ୍କ ମୋବାଇଲ୍ ଫୋନରେ ରେକର୍ଡ କରିଥିଲେ। SIT ପ୍ରଜ୍ୱଲ ରେବନ୍ନାଙ୍କ ବିରୁଦ୍ଧରେ ଜଣେ ମହିଳାଙ୍କୁ ଆଧିପତ୍ୟ ବିସ୍ତାର ଏବଂ ବଳାତ୍କାର କରିବା ପାଇଁ IPCର ଧାରା ୩୭୬ (୨) (K) ଏବଂ ସମାନ ମହିଳାଙ୍କୁ ବାରମ୍ବାର ବଳାତ୍କାର କରିବା ପାଇଁ ଧାରା ୩୭୬ (୨) (N), ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୬E ଏବଂ ଅନ୍ୟାନ୍ୟ ଅପରାଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା।
ସରକାରୀ ଓକିଲ କହିଛନ୍ତି ଯେ ପୀଡିତାଙ୍କୁ ୨୦୨୧ ମସିହାରେ ଦୁଇଥର ବଳାତ୍କାର କରାଯାଇଥିଲା। ଥରେ ରେବନ୍ନାଙ୍କ ହାସନସ୍ଥିତ ବାସଭବନରେ ଏବଂ ତା’ପରେ ପୁଣି ଥରେ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ। ଚାର୍ଜସିଟରେ ୧୧୩ ଜଣ ସାକ୍ଷୀଙ୍କ ନାମ ଲେଖାଯାଇଥିଲା ଏବଂ ଶୁଣାଣି ଜୁଲାଇ ୧୮ ରେ ଶେଷ ହୋଇଥିଲା।
ରେବନ୍ନା ଚାରୋଟି ମାମଲାରେ ମୁଖ୍ୟ ଅଭିଯୁକ୍ତ: ପ୍ରଜ୍ୱଳ ରେବନ୍ନା ଅନେକ ମହିଳାଙ୍କ ଯୌନ ନିର୍ଯାତନା ଭିଡିଓ କରୁଥିବା, ତଥା ପାଖାପାଖି ୨୦୦୦ ରୁ ଅଧିକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆ ସମେତ ଅନଲାଇନରେ ଭାଇରାଲ ହେବା ପରେ ମାମଲା ସାମ୍ନାକୁ ଆସିଥିଲା।
ଯେଉଁଥିରେ ୪ଟି ମାମଲାର ରେବନ୍ନା ମୁଖ୍ୟ ଅଭିଯୁକ୍ତ ବୋଲି ପ୍ରମାଣିତ ହେଲା। ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ପ୍ରଥମ ଅଭିଯୋଗ ଏପ୍ରିଲ ୨୦୨୩ ରେ ଦାୟର କରାଯାଇଥିଲା।