fbpx

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ୍: ପୂର୍ବତନ PCC ସଭାପତିଙ୍କୁ ନେଇ କଂଗ୍ରେସ ଶିବିରରେ ତେଜିଲା ନିଆଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ବର୍ତ୍ତମାନ ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ଓ ବିଜେପି ଜୋରସୋରରେ ଲାଗି ପଡ଼ିଛନ୍ତି । ତେବେ ଏପରି ସ୍ଥଳେ କଂଗ୍ରେସ ଦଳରେ ବଡ଼ ବିବାଦ ଦେଖିବାକୁ ମିଳିଛି । ପୂର୍ବତନ ପ୍ରଦେଶ କଂଗ୍ରେସ (ପିସିସି) ସଭାପତି ତଥା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନକୁ ନେଇ ରାଜ୍ୟ ରାଜନୀତି ବର୍ତ୍ତମାନ ପଡ଼ୁଛି ଉଠୁଛି ।

ତେବେ ବାସ୍ତବ କଥା ହେଉଛି, ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସତ୍ୟବାଦୀରୁ ଜିଲ୍ଲା ପରିଷଦ ପାଇଁ କଂଗ୍ରେସ କୌଣସି ପ୍ରାର୍ଥୀ ଦେଇନଥିଲା । ଉକ୍ତ ଘଟଣାକୁ ନେଇ ଗୁମୁରି ଗୁମୁରି ଜଳୁଥିବା ନିଆଁ ଏବେ ଉଗ୍ର ରୂପ ନେଲାଣି । ଏହାକୁ ନେଇ ନିକଟରେ ଜଟଣୀ ବିଧାୟକ ସୁର ରାଉତରାୟ ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁହାଁମୁହିଁ ହୋଇଥିଲେ । ପିସିସି ପକ୍ଷରୁ ପ୍ରସାଦଙ୍କୁ ଟିକେଟ ଦିଆଯାଇଥିବା ବେଳେ ସେ ନେଇଥିବା ନେଇ ଅଭିଯୋଗ କରିଥିଲେ ସାଲୁଜା । ଏନେଇ ସୁର କହିଥିଲେ ଯେ, ସାଲୁଜା ନିଜ ଅଞ୍ଚଳ କଥା ବୁଝନ୍ତୁ, ପିସିସି କଥା ପିସିସି ସଭାପତି ବୁଝିବେ ।
ତେବେ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଗଠିତ ପଞ୍ଚାୟତ କମିଟିର ସଦସ୍ୟ ଥିବା ସାଲୁଜାଙ୍କ ଏହି ଅଭିଯୋଗ କେତେ ସତ ତାହା ହେଉଛି ବଡ଼ ପ୍ରଶ୍ନ । ଦିନ ଥିଲା ସତ୍ୟବାଦୀ କଂଗ୍ରେସର ଦୁର୍ଗ ଥିଲା, ଆଜି ହଠାତ୍ କ’ଣ ହୋଇଗଲା ଯେ, ଉକ୍ତ କ୍ଷେତ୍ର କଂଗ୍ରେସ ଶୂନ୍ୟ ହୋଇଗଲା ।

ତେବେ ସାଲୁଜାଙ୍କ କଥାର ସତ୍ୟତା କେତେ, ପ୍ରସାଦ ଟିକେଟ ନେଲେ ନାହିଁ କାହିଁକି, ପ୍ରସାଦ ଦଳ ଛାଡ଼ିବାର ଯୋଜନା କରୁଥିବା ଏପରି ବିଭିନ୍ନ ଚର୍ଚ୍ଚା କର୍ମୀଙ୍କ ମହଲରେ ହେଉଛି । ଏନେଇ ପ୍ରସାଦ ଆଜି ଏକ ପ୍ରେସ୍ ମିଟ୍ରେ କହିଛନ୍ତି ଯେ, ଲୋକମାନେ ମୋତେ ସତ୍ୟବାଦୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ କରାଇଛନ୍ତି । ସତ୍ୟବାଦୀକୁ ନେଇ ଅନେକ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଆଯାଇଛି । କାହାକୁ ଟିକେଟ୍ ମିଳିବା ତାହା ପିସିସି ସଭାପତି ସ୍ଥିର କରିବେ । ଗତ ୧୯୯୫ଠାରୁ ସତ୍ୟବାଦୀରେ କଂଗ୍ରେସ ଭଲ ପ୍ରଦର୍ଶନ କରୁଥିଲା । ମୋତେ ଶେଷ ମୁହୂର୍ତ୍ତରେ ଟିକେଟ୍ ମିଳିଥିଲା । ସମସ୍ତଙ୍କୁ ଦାୟିତ୍ୱ ଦିଆଯାଏ, ଦାୟିତ୍ୱ ଗ୍ରହଣ କରାଯାଏ, ଦାୟିତ୍ୱ ଲଦାଯାଏନି । ଅନେକ ଲୋକ କହୁଛନ୍ତି ମୁଁ କୁଆଡ଼େ ଅସ୍ତ୍ର ଛାଡ଼ିଦେଲି । ମାତ୍ର ତାହା ସମ୍ପୂର୍ଣ୍ଣ ମିଛ, ମୁଁ ରାଜନୀତିରେ ଥିଲି, ଅଛି ଓ ରହିବି । ମୁଁ ଆସନ୍ତା ୨୦୨୪ରେ ନିର୍ବାଚନ ଲଢ଼ିବି ନାହିଁ ।

Get real time updates directly on you device, subscribe now.