fbpx

ବିଧାୟକ ପଦରୁ ଇସ୍ତଫା ଦେଲେ ରାଜେନ୍ଦର, ଜାଣନ୍ତୁ କାହିଁକି…

ହାଇଦ୍ରାବାଦ: ତେଲେଙ୍ଗାନାର ହୁଜୁରାବାଦ ଆସନର ବିଧାୟକ ଇ. ରାଜେନ୍ଦର ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେନ୍ଦର ତେଲେଙ୍ଗାନା ରାଷ୍ଟ୍ର ସମିତିର ଜଣେ ବରିଷ୍ଠ ନେତା ଥିଲେ । କିଛିଦିନ ତଳେ ସେ ଦଳର ସଦସ୍ୟ ପଦରୁ ବି ଓହରି ଆସିଥିଲେ । ସମ୍ପ୍ରତି ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଇସ୍ତଫା ପରେ ରାଜେନ୍ଦର କହିଛନ୍ତି ଯେ ଦଳର ଅଧ୍ୟକ୍ଷଙ୍କୁ ଭେଟି ନପାରିବାରୁ ସେ ବାଚସ୍ପତିଙ୍କୁ ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି । ରାଜ୍ୟବାସୀ ଓ ନିର୍ବାଚନ ମଣ୍ଡଳର ଲୋକଙ୍କ ହିତ ପାଇଁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ତେବେ ଆସନ୍ତା ୧୪ ତାରିଖ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି । ଏପରିକି ତାଙ୍କ ସମେତ ଟିଆରଏସର ଆହୁରି କେତେକ ନେତା ମଧ୍ୟ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି ।

ଉଲ୍ଲେଖଯୋଗ୍ୟ ଯେ ତେଲେଙ୍ଗାନାରେ ବ୍ୟାପକ ଜମି ହଡ଼ପ ଅଭିଯୋଗ ହେବା ପରେ ରାଜେନ୍ଦରଙ୍କ ପରିବାର ସଦସ୍ୟଙ୍କ ନାଁରେ ଜମିଠୁଳ ହୋଇଥିବା ଜଣାପଡ଼ିଥିଲା। ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରାଯାଇଥିଲା ।

Get real time updates directly on you device, subscribe now.