ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ଏବେଠାରୁ ନେତାଙ୍କର ଦଳ ଡିଆଁ ପର୍ବ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶ ରାଜନୀତିରୁ ଆସିଛି ଏକ ବଡ଼ ଖବର । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପଚୌରୀ ହାତ ଛାଡ଼ି ପଦ୍ମ ଧରିଛନ୍ତି । ଏହି ଅବସରରେ ପଚୌରୀଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଜେପି ପାର୍ଟି ଅଫିସରେ ସ୍ୱାଗତ କରିଥିେଲେ ।
କଂଗ୍ରେସ ସରକାରରେ ଶ୍ରୀ ପଚୌରୀ ଅନେକ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିବା ସହିତ ସେ କ୍ରମାଗତ ୪ ଥର ରାଜ୍ୟସଭା ସାଂସଦ ରହିଥିଲେ । ନିକଟରେ ବିଭିନ୍ନ ରାଜ୍ୟରେ କିଛି କଂଗ୍ରେସ ନେତା ବିଜେପିରେ ସାମିଲ ହୋଇଥିବା ବେଳେ ପଚୌରୀ ହାତ ଛାଡ଼ିବା ପରେ କଂଗ୍ରେସକୁ ଲାଗିଛି ପୁଣି ଏକ ବଡ଼ ଝଟକା । ୧୯୭୨ରେ ସେ ଯୁବ କଂଗ୍ରେସର କାର୍ଯ୍ୟକର୍ତ୍ତା ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।
ଏହାପରେ ୧୯୮୪ରେ ସେ ରାଜ୍ୟ ଯୁବକ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ ଓ ୧୯୮୪, ୧୯୯୦, ୧୯୯୬ ଓ ୨୦୦୨ରେ ରାଜ୍ୟସଭାକୁ ଯାଇଥିଲେ । ସେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଭାବେ ପ୍ରତିରକ୍ଷା, କାର୍ମିକ, ସାର୍ବଜନିକ ଅଭିଯୋଗ ଓ ପେନସନ ଆଦି ବିଭାଗର ଦାୟିତ୍ୱ ସମ୍ଭାଳିବା ସହିତ ସଂସଦୀୟ ବ୍ୟାପାର, ଦଳର ତୃଣମୂଳ ସ୍ତରର ସଂଗଠନ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ମଧ୍ୟ ରହିଥିଲେ ।