ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗିରଫ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଗିରଫ କରାଯାଇଛି । ଜାତୀୟ ସୁରକ୍ଷା ସମ୍ପର୍କିତ ଗୋପନ ତଥ୍ୟ ଲୁଚାଇବା ମାମଲାରେ ଟ୍ରମ୍ପଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ତେବେ ମିଆମି ସ୍ଥିତ ଫେଡେରାଲ କୋର୍ଟରେ ଟ୍ରମ୍ପ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ଟ୍ରମ୍ପଙ୍କୁ ମାର୍ଶାଲ ନିଜ ହେପାଜତକୁ ନେବା ପରେ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି ।

ତେବେ ଏହି ଅବସରରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ରାଷ୍ଟ୍ରପତି ଜୋ ବାଇଡେଙ୍କୁ ଜଣେ ଭ୍ରଷ୍ଟ ରାଷ୍ଟ୍ରପତି ଭାବେ ଅଭିହିତ କରିଛନ୍ତି । ଗୋପନ ଡକ୍ୟୁମେଣ୍ଟ ମାମଲାରେ ଟ୍ରମ୍ପଙ୍କ ଉପରେ ଅଭିଯୋଗ ଆସିବା ପରେ ତାଙ୍କୁ ଆମେରିକାର ମିଆମି କୋର୍ଟରେ ହାଜର କରାଯାଇଥିଲା । ତେବେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ କହିବା ସହିତ ତାଙ୍କ ଉପରେ ଆସିଥିବା ଅଭିଯୋଗକୁ ସେ ରାଜନୀତି ପ୍ରଣୋଦିତ ବୋଲି କହିଛନ୍ତି ।

ଟ୍ରମ୍ପଙ୍କୁ ମାର୍ଶାଲ ହେପାଜତକୁ ନେବା ପରେ ବିନା ସର୍ତ୍ତରେ ତାଙ୍କୁ ଜାମିନ ମିଳିଯାଇଥିଲା । ମାତ୍ର କିଛି ସର୍ତ୍ତ ପାଳନ କରିବାକୁ ପୂର୍ବତନ ରାଷ୍ଟ୍ରପତିଙ୍କୁ ଚେତାବନୀ ଦିଆଯାଇଛି । କୋର୍ଟଙ୍କ ଶୁଣାଣି ପରେ ଟ୍ରମ୍ପ ମିଆମିରୁ ନ୍ୟୁ ଜର୍ସି ସ୍ଥିତ ବେଡମିଷ୍ଟରରେ ଥିବା ନିଜର ଗଲଫ କ୍ଲବକୁ ଫେରିଯାଇଥିଲେ । ସେଠାରେ ସେ ତାଙ୍କ ଉପରେ ଆସିଥିବା ଅଭିଯୋଗ ପାଇଁ ରାଷ୍ଟ୍ରପତି ବାଇଡେନଙ୍କୁ ଦୋଷାରୋପ କରିଥିଲେ । ଏହା ନିଜ ଦେଶର ଶାସନ ଇତିହାସର ସବୁଠାରୁ ବଡ଼ ଦୁରୂପଯୋଗ, ସେଥିପାଇଁ ସେ ଅତ୍ୟନ୍ତ ଦୁଃଖିତ । ଜଣେ ଭ୍ରଷ୍ଟ ରାଷ୍ଟ୍ରପତିଙ୍କ ମନଗଢ଼ା ଓ ମିଥ୍ୟା ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା । ରାଷ୍ଟ୍ରପତି ନିର୍ବାଚନର ଠିକ୍ ପୂର୍ବରୁ ଏଭଳି ଦେଖିବାକୁ ମିଳିଛି ବୋଲି ଟ୍ରମ୍ପ କହିଥିଲେ ।