ରହସ୍ୟ ଖୋଲିବ କି ସୁନା ମୁଦି ? ବଳଙ୍ଗା ନାବାଳିକା ପୋଡି ଘଟଣାରେ ସୁନା ଦୋକାନୀଙ୍କୁ ରାତି ତମାମ ଜେରା
ବଳଙ୍ଗା ନାବାଳିକା ପୋଡି ଘଟଣାରେ ମିଳିଛି ସୁରାକ୍ । ପୋଲିସ ହାତରେ ଲାଗିଛି ବଡ଼ ତଥ୍ୟ ।
ପୁରୀ: ବଳଙ୍ଗା ନାବାଳିକା ପୋଡି ଘଟଣାରେ ମିଳିଛି ସୁରାକ୍ । ପୋଲିସ ହାତରେ ଲାଗିଛି ବଡ଼ ତଥ୍ୟ । କ୍ରାଇମ ସ୍ପଟ୍ରୁ ମିଳିଥିବା ମୁଦି ଏବେ ଖୋଲିବ ଗୁମର ? ଖାସ୍ କରି ରୂପା ମୁଦି ଦେଇପାରେ ନୂଆ ମୋଡ଼ ।
ବଳଙ୍ଗା ବଜାରର ଜୈନିକ ସୁନା ଅଳଙ୍କାର ଦୋକାନୀକୁ ଉଠାଇ ନେଲା ବଳଙ୍ଗା ପୋଲିସ । ମୁଦିଟି ଏହି ଅଳଙ୍କାର ଦୋକାନରୁ କିଣା ହୋଇଥିବା ସନ୍ଦେହ କରାଯାଉଛି । ଏହି ଘଟଣା ସନ୍ଦେହରେ 5 ଜଣଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ।
ତେବେ ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ବିତିଗଲାଣି ୭ ଦିନ । ତଥାପି ପୋଲିସ ହାତ ଖାଲି । ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ । ଏହା ଭିତରେ ପୀଡ଼ିତାଙ୍କ ସାଙ୍ଗ, ପଡ଼ୋଶୀ, ଅଳଙ୍କାର ଦୋକାନୀଙ୍କୁ ରାତି ତମାମ ଜେରା କରିଛି ପୋଲିସ ।
ଏପଟେ ଚର୍ଚ୍ଚାରେ ଦୁଃଖିଶ୍ୟାମ ସେନାପତି, ୨୪ ଘଣ୍ଟିଆ ପୁଲିସ ସୁରକ୍ଷା ଭିତରେ ଏବେ ଦୁଖୀ, ଦୁଖିଙ୍କ ଘର ସାମ୍ନାରେ ୨୪ ଘଣ୍ଟା କଡା ସୁରକ୍ଷା ଦେଉଛି ପୁଲିସ । ଏ ସେଇ ଦୁଃଖିଶ୍ୟାମ ଯିଏ ଦେବଦୂତ ଭଳି ସେଇ ପୋଡ଼ି ହୋଇଯାଥିବା ନାବାଳିକାଙ୍କୁ ପ୍ରଥମେ ଦେଖିଥିଲେ ନିଜ ଘରକୁ ନେଇ ସୁରକ୍ଷା ଦେଇଥିଲେ । ଏହି ଘଟଣା ପରେ ଦୁଃଖିଶ୍ୟାମଙ୍କୁ କିଛି ଦୁର୍ବୃତ୍ତ ଧମକ ଦେଇଥିଲେ । ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ହୋଇଥିଲା ! ଏହାପରେ ପୁଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି ।
ପ୍ରକାଶଥାଉକି, ଗତ ଜୁଲାଇ ୧୯ ତାରିଖରେ ପୁରୀ ଜିଲ୍ଲାର ବଳଙ୍ଗାରେ ବର୍ବରକାଣ୍ଡ ଘଟାଇଥିଲେ କିଛି ଦୁର୍ବୃତ୍ତ । ଜଣେ ନାବାଳିକାଙ୍କୁ ସକାଳୁ ଉଠାଇ ନେଇଥିଲେ । ଏହାପରେ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । କୌଣସି ମତେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସି ଗାଁ ମଝିରେ ପହଞ୍ଚିଥିଲେ ପୀଡ଼ିତା । ଏହି ସମୟରେ ଦୁଃଖିଶ୍ୟାମ ସେନାପତି ନାମକ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ ।