ଥୁଆମୂଳ-ରାମପୁର ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । ଏଥିରେ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମା ମାଣିକେଶ୍ବରୀଙ୍କୁ ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଓ ବିଶ୍ବାସର ପ୍ରତୀକ ଭାବରେ ବର୍ଣ୍ଣନା କରିବା ସହିତ ଏହି ଉଦ୍ୟମ ଦ୍ବାରା ମାଙ୍କ ପୀଠର ମହିମା ଆହୁରି ବୃଦ୍ଧି କରିବା ସହ ପର୍ଯ୍ୟଟନର ମଧ୍ୟ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ୫-ଟି ଉପକ୍ରମ ଅଧୀନରେ ମାଙ୍କର ଏହି ପୀଠର ବିକାଶ କାମ ଆରମ୍ଭ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା ମାଣେକେଶ୍ବରୀଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଛି ଏବଂ ମାଙ୍କ ଆଶୀର୍ବାଦ ଓ କଳାହାଣ୍ଡିବାସୀଙ୍କର ଉଦ୍ୟମ ଆଜି କଳାହାଣ୍ଡିରେ ରୂପାନ୍ତର ଆଣିଛି । କଳାହାଣ୍ଡି ଆଜି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି । ଏହି ବିକାଶରେ କଳାହାଣ୍ଡିର ପ୍ରତି ପରିବାର ଓ ପ୍ରତି ଲୋକ ସିଏ ଚାଷୀ ହେଉ ବା ଶ୍ରମିକ, ଯୁବ ସମାଜ, ସାଧାରଣ ଜନତା ବା ମହିଳା – ସମସ୍ତଙ୍କର ଅବଦାନରେ କଳାହାଣ୍ଡି ଆଗେଇ ଚାଲିଛି । କଳାହାଣ୍ଡିର ଚାଷୀ ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି । କଳାହାଣ୍ଡି କପାର ଚାହିଦା ବଢିଛି । ଶିଳ୍ପ ନୂଆ ସୁଯୋଗ ଆଣିଛି । ଭିତ୍ତିଭୂମି ମଜବୁତ ହୋଇଛି । କଳାହାଣ୍ଡି ୟୁନିଭରସିଟି, ସରକାରୀ ମେଡିକାଲ କଲେଜ, ସରକାରୀ ଇଂଜିନିୟରିଂ କଲେଜ ଆଜ କଳାହାଣ୍ଡି ଯୁବସମାଜ ପାଇଁ ନୂଆ ପରିଚୟ ଆଣିଛି । ବିଜୁଳି ଯୋଗାଣରେ ମଧ୍ୟ ଉନ୍ନତି ଆସିଛି । ବିକାଶ ସବୁବେଳେ ତାଙ୍କର ଲକ୍ଷ୍ୟ ହୋଇ ରହିଛି । କଳାହାଣ୍ଡିକୁ ସେ ସ୍ବତନ୍ତ୍ର ଗୁରୁତ୍ବ ଦେଇଆସିଛନ୍ତି ଏବଂ ଚଳିତ ବର୍ଷ ଦୁଇ ଦୁଇ ଥର କଳାହାଣ୍ଡି ଯାଇ ବିକାଶ ଓ କଲ୍ୟାଣ କାମ ଆରମ୍ଭ କରିଛନ୍ତି । ବିକାଶ ପ୍ରତି କଳାହାଣ୍ଡିବାସୀଙ୍କର ଅକୁଣ୍ଠ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇବା ସହ ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ସାଥିରେ ଧରି ବିକାଶ ଧାରା ଆଗକୁ ବଢିବ ବୋଲି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସ୍ବାସ୍ଥୟ ମନ୍ତ୍ରୀ ନବ ଦାସ, ଶିଳ୍ପ, ଶକ୍ତି ଓ ସ୍ବରଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ର ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ କଳାହାଣ୍ଡିର ବିଭିନ୍ନ କ୍ଷେତ୍ରରେ ଯେଉଁ ଉନ୍ନତି ସାଧିତ ହୋଇଛି, ତାହା ଉପରେ ଆଲୋକପାତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଳାହାଣ୍ଡି ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଲାଞ୍ଜିଗଡ ବିଧାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ସୁଜିତ କୁମାରଙ୍କ ସମେତ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ଥିଲେ ।