fbpx

୪ଟି ବ୍ୟାଙ୍କ ବଢ଼ାଇଲେ FD ଦର: ଗ୍ରାହକଙ୍କୁ ମିଳିବ ୮ ପ୍ରତିଶତରୁ ଅଧିକ ସୁଧ

ନୂଆଦିଲ୍ଲୀ: ଆଜିକାଲିର ସମୟରେ ମାର୍କେଟରେ ବିଭିନ୍ନ ପ୍ରକାରର ନିବେଶ ସୁଯୋଗ ରହିଛି । ସେଥିମଧ୍ୟରେ ବ୍ୟାଙ୍କ, ପୋଷ୍ଟ ଅଫିସ, ଶେୟାର ବଜାର, ମ୍ୟୁଚୁଆଲ ଫଣ୍ଡସ, ବଣ୍ଡ, ଜୀବନ ବୀମା ଆଦି ରହିଛି । ସେଥି ମଧ୍ୟରୁ ବ୍ୟାଙ୍କରେ ସ୍ଥାୟୀ ଜମା (ଏଫଡି)ରେ ନିବେଶ କଲେ ଗ୍ରାହକଙ୍କ ପାଇଁ ତାହା ସୁରକ୍ଷିତ ହୋଇଥାଏ । ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶ ସନ୍ଧାନରେ ରହିଥାନ୍ତି । ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ ମଧ୍ୟ ବଢ଼ିଆ ବଢ଼ିଆ ନିବେଶ ସବୁ ଲଞ୍ଚ କରିଥାନ୍ତି ।

ତେବେ ଏହା ମଧ୍ୟରେ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଚାରିଟି ବ୍ୟାଙ୍କ ଏଫଡି ଦରରେ ବୃଦ୍ଧି ଘୋଷଣା କରିଛନ୍ତି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି), ବ୍ୟାଙ୍କ ଅଫ୍ ବରୋଦା (ବିଓବି), ଫେଡେରାଲ ବ୍ୟାଙ୍କ ଓ ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଏପରି ଘୋଷଣା କରାଯାଇଛଇ । ଏପରି ସ୍ଥିତିରେ ଗ୍ରାହକମାନେ ଏହିସବୁ ବ୍ୟାଙ୍କ ଏଫଡିରେ ନିବେଶ କରି ୮ ପ୍ରତିଶତରୁ ଅଧିକ ସୁଧ ପାଇ ପାରିବେ । ଚଳିତ ଜାନୁଆରୀ ମାସରେ ଏହି ବୃଦ୍ଧି ଘୋଷଣା କରାଯାଇଛି ।

ପିଏନବି ପକ୍ଷରୁ ୩୦୦ ଦିନିଆ ଏଫଡିରେ ୮୦ ବିପିଏସ ବୃଦ୍ଧି କରାଯାଇଛି । ଫଳରେ ଗ୍ରାହକଙ୍କ ସୁଧ ହାର ୬.୨୫ରୁ ବୃଦ୍ଧି ପାଇ ୭.୦୫ ପ୍ରତିଶତରେ ପହଞ୍ଚି ଯାଇଛି । ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ଏହି ହାର ୭.୫୫ ପ୍ରତିଶତ ଓ ସୁପର ବରିଷ୍ଠ ନାଗରିକଙ୍କ ପାଇଁ ୭.୮୫ ପ୍ରତିଶତରେ ପହଞ୍ଚି ଯାଇଛି । ଫେଡେରାଲ ବ୍ୟାଙ୍କ ପକ୍ଷରୁ ୫୦୦ ଦିନିଆ ଏଫଡିର ସୁଧ ହାର ୭.୭୫ ଓ ବରିଷ୍ଠ ନାଗରିକଙ୍କ ପାଇଁ ୮.୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଇଡିବିଆଇ ପକ୍ଷରୁ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ୩ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ବୃଦ୍ଧି କରାଯାଇଛି । ବରିଷ୍ଠ ନାଗରିକଙ୍କୁ ବ୍ୟାଙ୍କ ୩.୫୦ରୁ ୭.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ସେହିପରି ବିଓବି ପକ୍ଷରୁ ୭ ଦିନରୁ ୧୦ ବର୍ଷିଆ ଏଫଡି ଉପରେ ସାଧାରଣ ନାଗରିକଙ୍କୁ ୪.୪୫ରୁ ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୫୦ ବେସିସ ପଏଣ୍ଟ ଅଧିକ ସୁଧ ମିଳୁଛି ।

Get real time updates directly on you device, subscribe now.