fbpx

ଈଶ୍ୱରଙ୍କ ଚମତ୍କାର! ବିମାନ ଦୁର୍ଘଟଣାର ୧୭ ଦିନ ପରେ ଜଙ୍ଗଲରୁ ଜୀବିତ ଉଦ୍ଧାର ହେଲେ ୪ ଜଣ ଶିଶୁ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏଭଳି କିଛି ଘଟଣା ବା ଦୁର୍ଘଟଣା ଘଟିଥାଏ ଯାହାକୁ କେହି ବିଶ୍ୱାସ କରିପାରନ୍ତି ନାହିଁ । ଯେଉଁ ବ୍ୟକ୍ତିର ମୃତ୍ୟୁ ଘଟିଥିବା ନେଇ ସାରା ଦୁନିଆ ଗ୍ରହଣ କରିନେଇଥାଏ, ଅନେକ ସମୟରେ ସେ ଜୀବିତ ହୋଇ ପୁନର୍ବାର ଫେରିଆସିଥାଏ । ଏଭଳି ଘଟଣା ଜାଣିବା ପରେ ସହଜରେ ବିଶ୍ୱାସ କରିହୁଏ ନାହିଁ । ତେବେ ନିକଟରେ ଏଭଳି ଏକ ଘଟଣା କଲମ୍ବିଆରୁ ଆସିଛି ।

ସୂଚନା ମୁତାବକ, ଗତ ୧ ତାରିଖରେ କଲମ୍ବିଆରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଥିଲା । ତେବେ ଏହି ଦୁର୍ଘଟଣାର ୧୭ ଦିନ ପରେ ଏକ ବଡ଼ ଖୁସି ଖବର ଆସିଛି । ୪ ଜଣ ଶିଶୁଙ୍କୁ ଆମାଜନ ଜଙ୍ଗଲରୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଶିଶୁଙ୍କ ମଧ୍ୟରେ ଗୋଟିଏ ଶିଶୁର ବୟସ ମାତ୍ର ୧୧ ମାସ ହୋଇଥିବା ବେଳେ ଅନ୍ୟମାନଙ୍କର ବୟସ ୪, ୯ ଓ ୧୩ ବର୍ଷ ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟିବାର ଦୁଇ ସପ୍ତାହରୁ ଅଧିକ ସମୟ ପରେ ଏହି ୪ ଜଣ ଶିଶୁ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର ହେବା କୌଣସି ଚମତ୍କାର ଠାରୁ କମ୍ ନୁହେଁ ।

ତେବେ ୪ ଜଣ ଶିଶୁ ଉଦ୍ଧାର ହେବା ପରେ ରାଷ୍ଟ୍ରପତି ଏହି ଘଟଣାକୁ ‘ଦେଶ ପାଇଁ ଖୁସି’ର ମୁହୂର୍ତ୍ତ ବୋଲି କହିଛନ୍ତି । ଏହି ଶିଶୁଙ୍କ ଉଦ୍ଧାର ପାଇଁ ୧୦୦ରୁ ଅଧିକ ସୈନିକ ଓ ସ୍ନାଇଫର କୁକୁରଙ୍କୁ ସର୍ଚ୍ଚ ଅପରେସନରେ ସାମିଲ କରାଯାଇଥିଲା । ଚଳିତ ମାସ ପହିଲାରେ ଇଞ୍ଜିନ ଅକାମୀ ହେବା କାରଣରୁ ଘଟିଥିବା ବିମାନ ଦୁର୍ଘଟଣାରେ ପାଇଲଟ, ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଜଙ୍ଗଲରେ ରହିଥିବା ସମୟରେ ଏହି ଶିଶୁମାନେ ଫଳ ସଂଗ୍ରହ କରି ଜୀବନ ବଞ୍ଚାଇଥିବା ଜଣାପଡ଼ିଛି । ସେମାନଙ୍କ ବିଷୟରେ ଅଧିକ ତଥ୍ୟ ଜଣାପଡ଼ିନାହିଁ ।

Get real time updates directly on you device, subscribe now.