ରକ୍ଷା ବନ୍ଧନ ଦିନ ଏହି ସବୁ ରାଜ୍ୟରେ ମହିଳାମାନଙ୍କ ପାଇଁ ଫ୍ରି ହେଲା ବସ୍ ସେବା

ମହିଳାମାନଙ୍କର କଟାଯିବନି ଟିକେଟ୍।

ନୂଆଦିଲ୍ଲୀ: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା। ତାପରେ ଅଗଷ୍ଟ ୯ ତାରିଖରେ ପୁରା ଦେଶରେ ପାଳନ କରାଯିବ ପବିତ୍ର ରକ୍ଷା ବନ୍ଧନ ଉତ୍ସବ।  ହେଲେ ଏହି ଅବସରରେ ମହିଳାମାନଙ୍କ ପାଇଁ ଏକ ଖୁସି ଖବର ରହିଛି।  ରକ୍ଷା ବନ୍ଧନକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ମହିଳାମାନଙ୍କ ପାଇଁ ଫ୍ରି ବସ୍ ସେବା ଚଳାଚଳ କରିବ।

ଏହି ଅବସରରେ ଅନେକ ରାଜ୍ୟରେ ସରକାରୀ ବସରେ ମହିଳାମାନଙ୍କଠାରୁ ଟିକେଟ୍ ନିଆଯିବ ନାହିଁ।  କିଛି ରାଜ୍ୟରେ ଦୁଇ ଦିନ ପାଇଁ ଏବଂ ଆଉ କିଛି ରାଜ୍ୟରେ ତିନି ଦିନ ପାଇଁ ମହିଳାଙ୍କ ପାଇଁ ମାଗଣା ଟିକେଟ୍ ଉପଲବ୍ଧ ହେବ।

ଫ୍ରି ବସ୍ ସେବା: ହଁ ଆଜ୍ଞା ରକ୍ଷା ବନ୍ଧନକୁ ଆଖି ଆଗରେ ରଖି ଅନେକ ରାଜ୍ୟରେ ସରକାର ମହିଳାମାନଙ୍କ ପାଇଁ ଫ୍ରି ବସ୍ ସେବା ଘୋଷଣା କରିଛନ୍ତି। ଯଦି ଦେଖିବା ଏମିତିରେ ପଞ୍ଜାବ ଏବଂ କର୍ଣ୍ଣାଟକରେ ମହିଳାଙ୍କ ପାଇଁ ବସ୍ ସେବା ସବୁବେଳେ ମାଗଣା ଥାଏ।

ଅନ୍ୟପକ୍ଷରେ ଦିଲ୍ଲୀର ଡିଟିସି ବସରେ କେବଳ ଦିଲ୍ଲୀର ମହିଳାମାନେ ମାଗଣାରେ ଯାତ୍ରା କରନ୍ତି।  ତେବେ ଆସନ୍ତୁ ଜାଣିବା କେଉଁ ସବୁ ରାଜ୍ୟରେ ସରକାର ମହିଳାମାନଙ୍କ ପାଇଁ ମାଗଣା ବସ୍ ସେବାର ଘୋଷଣା କରିଛନ୍ତି।

ଉତ୍ତରପ୍ରଦେଶରେ ୩ ଦିନିଆ ମାଗଣା ବସ୍ ସେବା:  ରକ୍ଷା ବନ୍ଧନରେ ମହିଳାମାନେ ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ଏବଂ ଟାଉନ୍ ବସରେ ମାଗଣା ଯାତ୍ରା କରିପାରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ଏହି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି ମା’ ଏବଂ ଭଉଣୀମାନେ ଅଗଷ୍ଟ୮ ତାରିଖ ସକାଳ ୬ଟାରୁ ଅଗଷ୍ଟ ୧୦ ତାରିଖ ମଧ୍ୟରାତ୍ରି ୧୨ଟା ପର୍ଯ୍ୟନ୍ତ ବସରେ ମାଗଣାରେ ଯାତ୍ରା କରିପାରିବେ।

ପର୍ବ ସମୟରେ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟରେ ପର୍ଯ୍ୟାପ୍ତ ସଂଖ୍ୟକ ବସ୍ ମୁତୟନ କରାଯିବ। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ ସଂଖ୍ୟକ ବସ୍ ଚାଲିବ।

ହରିୟାଣାରେ ୨ ଦିନ ମାଗଣା ବସ୍ ସେବା: ରକ୍ଷା ବନ୍ଧନ ଅବସରରେ ମହିଳା ଏବଂ ସେମାନଙ୍କ ପିଲାମାନଙ୍କୁ ହରିୟାଣା ରୋଡୱେଜ୍ ବସ୍‌ରେ ମାଗଣା ଯାତ୍ରା କରିବାର ସୁବିଧା ମିଳିବ।

ହରିୟାଣା ପରିବହନ ମନ୍ତ୍ରୀ ଅନିଲ ଭିଜ୍ କହିଛନ୍ତି ଯେ, ଏହା ସମ୍ବନ୍ଧରେ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନାଇବ ସିଂହ ସୈନି ଅନୁମୋଦନ କରିଛନ୍ତି। ଭିଜ୍ କହିଛନ୍ତି ଯେ ହରିୟାଣା ମଧ୍ୟରେ ଚାଲୁଥିବା ‘ସାଧାରଣ ବସ୍‌’ ସହିତ ଚଣ୍ଡିଗଡ଼ ଏବଂ ଦିଲ୍ଲୀ ଯାଉଥିବା ବସ୍‌ଗୁଡ଼ିକରେ ମାଗଣା ଯାତ୍ରା ଉପଲବ୍ଧ ହେବ। ଏହି ସେବା ୮ ଅଗଷ୍ଟ ଦିନ ୧୨ଟାରୁ ୯ ଅଗଷ୍ଟ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପଲବ୍ଧ ହେବ।

ରାଜସ୍ଥାନରେ ମାଗଣା ଯାତ୍ରା: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଅଗଷ୍ଟ ୯ ଏବଂ ପରଦିନ ଅର୍ଥାତ୍ ଅଗଷ୍ଟ ୧୦ ତାରିଖରେ ରକ୍ଷା ବନ୍ଧନ ଅବସରରେ ମହିଳାମାନଙ୍କ ପାଇଁ ରାଜ୍ୟ ପରିବହନ ନିଗମ ବସ୍‌ରେ ମାଗଣା ଯାତ୍ରା ଘୋଷଣା କରିଛନ୍ତି।

ଏକ ସରକାରୀ ବିବୃତ୍ତି ଅନୁଯାୟୀ ଅଗଷ୍ଟ ୯ ଏବଂ ୧୦ ତାରିଖରେ ରାଜସ୍ଥାନ ସୀମା ମଧ୍ୟରେ ମହିଳାମାନଙ୍କ ପାଇଁ ଏହି ମାଗଣା ଯାତ୍ରା ସୁବିଧା ଉପଲବ୍ଧ ହେବ।

ଏହି ପଦକ୍ଷେପ ଅନୁଯାୟୀ ପ୍ରଥମ ଥର ପାଇଁ ମହିଳାମାନଙ୍କୁ ଲଗାତାର ଦୁଇ ଦିନ ପାଇଁ ପରିବହନ ନିଗମ ବସ୍‌ରେ ମାଗଣା ଯାତ୍ରା କରିବାକୁ ଅନୁମତି ଦିଆଯିବ। ପୂର୍ବରୁ ସେମାନଙ୍କୁ କେବଳ ରକ୍ଷା ବନ୍ଧନ ଦିନ ମାଗଣା ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା।

ଚଣ୍ଡିଗଡ଼ରେ ମାଗଣା ସେବା: ଚଣ୍ଡିଗଡ଼ରେ ମଧ୍ୟ ମହିଳାମାନେ ରକ୍ଷା ବନ୍ଧନରେ ମାଗଣା ଯାତ୍ରା କରିପାରିବେ। ଏହି ସୁବିଧା ଚଣ୍ଡିଗଡ଼ ପରିବହନ ଅଣ୍ଡରଟେକିଂ ଏବଂ ଚଣ୍ଡିଗଡ଼ ସିଟି ବସ୍ ସର୍ଭିସେସ୍ ସୋସାଇଟି ଦ୍ୱାରା ଟ୍ରାଇସିଟି ଅଞ୍ଚଳରେ ପରିଚାଳିତ ସମସ୍ତ ସ୍ଥାନୀୟ ଏସି ଏବଂ ନନ୍-ଏସି ବସ୍‌ରେ ପ୍ରଯୁଜ୍ୟ ହେବ। ଏହି ରିହାତି ଟ୍ରାଇସିଟି ସୀମା ବାହାରେ ଚାଲୁଥିବା CTUର ଲମ୍ବା ରୁଟ୍ ବସ୍‌ଗୁଡ଼ିକରେ ପ୍ରଯୁଜ୍ୟ ହେବ ନାହିଁ।

ଉତ୍ତରାଖଣ୍ଡରେ ମାଗଣା ଯାତ୍ରା: ରକ୍ଷାବନ୍ଧନରେ ମହିଳାମାନେ ଉତ୍ତରାଖଣ୍ଡ ପରିବହନ ନିଗମ ବସ୍‌ରେ ମାଗଣା ଯାତ୍ରା କରିପାରିବେ। ପ୍ରତିବର୍ଷ ରକ୍ଷାବନ୍ଧନରେ ମହିଳା ଏବଂ ଛୋଟ ପିଲାମାନେ ଉତ୍ତରାଖଣ୍ଡ ସରକାରୀ ବସ୍‌ରେ ମାଗଣା ଯାତ୍ରା କରନ୍ତି। ଏହି ଧାରା ଚଳିତ ବର୍ଷ ମଧ୍ୟ ଜାରି ରହିବ।

କର୍ଣ୍ଣାଟକ, ପଞ୍ଜାବ ଏବଂ ଦିଲ୍ଲୀରେ ମାଗଣା ଯାତ୍ରା: ଏହି ସମୟରେ କର୍ଣ୍ଣାଟକ, ପଞ୍ଜାବ ଏବଂ ଦିଲ୍ଲୀରେ ପୂର୍ବରୁ ସରକାରୀ ବସ୍‌ରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଅଛି। ତେଣୁ ମହିଳାମାନେ ରକ୍ଷା ବନ୍ଧନରେ ମଧ୍ୟ ସରକାରୀ ବସ୍‌ରେ ମାଗଣା ଯାତ୍ରା କରିପାରିବେ।

ମଧ୍ୟପ୍ରଦେଶର ମହିଳାମାନଙ୍କ ପାଇଁ ଖୁସି ଖବର: ମଧ୍ୟପ୍ରଦେଶରେ ମଧ୍ୟ ରକ୍ଷା ବନ୍ଧନରେ ମହିଳାମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଭୋପାଳ ସିଟି ଲିଙ୍କ୍ ଲିମିଟେଡ୍ ଅଗଷ୍ଟ ୯ ତାରିଖରେ ମହିଳାମାନଙ୍କୁ ମାଗଣା ଯାତ୍ରା ପ୍ରଦାନ କରିବ। ଇନ୍ଦୋର ମେୟର କହିଛନ୍ତି ଯେ ମହିଳାମାନେ ରକ୍ଷା ବନ୍ଧନରେ ମାଗଣାରେ ଯାତ୍ରା କରିପାରିବେ।