fbpx

Free Civil Service Coaching ପୁଣି ଆରମ୍ଭ ହେବ: ଖୁବଶୀଘ୍ର ମାର୍ଗଦର୍ଶିକା ଜାରି କରିବ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବାରେ ସଫଳତା ହାସଲ କରିବେ ଓଡ଼ିଶାର ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ସରକାର ପୁଣି ଥରେ ମାଗଣା ସିଭିଲ ସର୍ଭିସ କୋଚିଂ ଯୋଜନା ଆରମ୍ଭ କରିବେ । ଗତ ୨୦୧୯ରେ ରାଜ୍ୟ ସରକାର ଏହି ଯୋଜନା ବିଶ୍ୱବିଦ୍ୟାଳୟ ସ୍ତରରେ ଆରମ୍ଭ କରିଥିଲେ । ମାତ୍ର ତାହା ସଫଳତା ହାସଲ କରିପାରିନଥିଲା । କୋଚିଂ ପରେ ରାଜ୍ୟର ଜଣେ ବି ଛାତ୍ରଛାତ୍ରୀ ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନପାରିବାରୁ ତାହାକୁ ବନ୍ଦ କରି ଦିଆଯାଇଥିଲା ।

ତେବେ ପୁଣି ଥରେ ମାଗଣା ସିଭିଲ ସର୍ଭିସ କୋଚିଂ ଆରମ୍ଭ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ପୂର୍ବ ପରି ଏଥର ଆର୍ଥିକ ଅନଗ୍ରସର ବର୍ଗର ମେଧାବୀ ପିଲାଙ୍କୁ ମାଗଣାରେ କୋଚିଂ ଦିଆଯିବ । ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ମେଧାବୀଙ୍କୁ ଏହି ଯୋଜନାରେ ପ୍ରଶିକ୍ଷଣ ଦିଆଯିବ । ଚଳିତ ଥର ପ୍ରବେଶିକା ପରୀକ୍ଷା ମାଧ୍ୟମରେ ମେଧାବୀଙ୍କୁ ଚୟନ କରାଯିବା ନେଇ ଯୋଜନା କରାଯାଉଛି ।

ତେବେ ଏ ବାବଦରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମତି ମଗାଯାଇଛି । ଏଥର ନୂଆ ଢଙ୍ଗରେ କୋଚିଂ ପ୍ରଦାନ ନେଇ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଉଛି । ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସ୍କ୍ରିନିଂ କମିଟି ଗଠନ କରାଯାଇଛି । ଉକ୍ତ କମିଟିର କଠୋର ମାନଦଣ୍ଡ ପୂରଣ କରୁଥିବା ଏକ ପ୍ରତିଷ୍ଠିତ ସଂସ୍ଥାକୁ ଦାୟିତ୍ୱ ଦିଆଯିବ । କଠୋର ଚୟନ ପ୍ରକ୍ରିୟାରେ ପ୍ରଥମେ ଶହେ ଜଣ ପିଲାଙ୍କୁ ଚୟନ କରାଯିବ । ବାର୍ଷିକ ୧୦ ଲକ୍ଷରୁ କମ୍ ଆୟ ଥିବା ପିଲାଙ୍କୁ ୨ ବର୍ଷ ପାଇଁ କୋଚିଂ ଦିଆଯିବ । ଖୁବଶୀଘ୍ର ଏନେଇ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବ ।

Get real time updates directly on you device, subscribe now.