ଅନୁଗୁଳ: ଶିକ୍ଷାନୁଷ୍ଠାନ ହେଉଛି ବିଦ୍ୟାର ମନ୍ଦିର । ପାଠପଢ଼ାର ମୂଳଦୂଆ ସ୍କୁଲରୁ ଆରମ୍ଭ । କଥାରେ ଅଛି ସ୍କୁଲରେ ପଢ଼ିଥିବା ପାଠ ଓ ମାଷ୍ଟରଙ୍କ ଛାଟ ପିଲା ଜୀବନରେ କେବେ ଭୁଲିପାରିନଥାଏ । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଜୀବନରେ କ୍ୟାରିୟର ଚୟନ ପାଇଁ ଅନେକ ଲାଭଦାୟକ ହୋଇଥାଏ । ସମୟକ୍ରମେ କିନ୍ତୁ ବିଦ୍ୟାମନ୍ଦିର ଏହାର ଗାରିମା ହରାଇବାକୁ ବସିଲାଣି ।
ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଅଭିମନ୍ୟୁପୁର ଗାଁର ପ୍ରାଥମିକ ବିଦ୍ୟାଳୟ ଏବେ ମଦୁଆଙ୍କ ଆଡ୍ଡା ସ୍ଥଳୀ ପଲାଟିଛି । ସୂଚନାରୁ ପ୍ରକାଶ ଛାତ୍ରଛାତ୍ରୀ ସକାଳେ ବିଦ୍ୟାଳୟକୁ ଆସିଥିବା ବେଳେ ଗେଟ୍ ଠାରୁ ଆରମ୍ଭ କରି ଶ୍ରେଣି ଗୃହ ପର୍ଯ୍ୟନ୍ତ କାଚ ବୋତଲ ଭଙ୍ଗା ହୋଇ ପଡ଼ିଥିବାର ଦେଖିଥିଲେ । ଏହି ଦୃଶ୍ୟ ଦେଖି ସେମାନେ ଭୟରେ ସ୍କୁଲ ଭିତରକୁ ନଯାଇ ବାହାରେ ଖରାରେ ବସି ରହିଲେ । ଏହି ବିଦ୍ୟାଳୟରେ ପ୍ରତ୍ୟେକ ଦିନ ଅସାମାଜିକ ଯୁବକଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସେମାନଙ୍କ ବିରୋଧରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଯାବତ କିଛି ସୁଫଳ ମିଳିପାରିନାହିଁ । ତେବେ ସକୁଲ ଭିତରେ ମଦ ବୋତଲ ଦେଖି ଅଭିଭାବକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।