fbpx

ମାତ୍ର ୪୮ ଘଣ୍ଟା ଭିତରେ ଘରକୁ ଆସିବ LPG ଗ୍ୟାସ୍ ସିଲିଣ୍ଡର: ବିଳମ୍ବ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ଭାସ୍କର: ଏଣିକି ଅର୍ଡର କରିବାର ମାତ୍ର ୪୮ ଘଣ୍ଟା ବା ୨ ଦିନ ଭିତରେ ଘରେ ଗ୍ୟାସ୍ ସିଲିଣ୍ଡର ପହଞ୍ଚିବ । ଏଥିରେ ଖିଲାପ ହେଲେ, କିମ୍ବା ୨ ଦିନରୁ ଅଧିକ ବିଳମ୍ବ ହେଲେ, କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଗ୍ରାହକ ଗ୍ୟାସ୍ ପାଇଁ ଅର୍ଡର କରିବାର ମାତ୍ର ୨ ଦିନ ଭିତରେ ଏହାର ଡେଲିଭରୀ ହୋଇପାରିବ । ପେଟ୍ରେଲ, ଡିଜେଲ ମାନରେ କୌଣସି ସାଲିସ କରାଯିବ ନାହିଁ । ଏ ନେଇ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଘରେ ରାନ୍ଧିବା ଗ୍ୟାସ୍ ପାଇଁ ଅର୍ଡର କରିବାର ୪୮ ଘଣ୍ଟା ଭିତରେ ଘରେ ସିଲିଣ୍ଡର ପାଇବେ ଗ୍ରାହକ । ଏହି ସମୟସୀମା ଭିତରେ ଯଦି ଖାଉଟି ଗ୍ୟାସ୍ ସିଲିଣ୍ଡର ନ ପହଞ୍ଚେ ବା ଏଥିରେ ବିଳମ୍ବ ହୁଏ, ତେବେ ବିତରଣ ସଂସ୍ଥା ଏବଂ ଡିଲର ହିଁ ଏହାର ଉତ୍ତରଦାୟୀ ରହିବେ । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଡିଲର ସଂଘ ସହ ଆଲୋଚନା ପରେ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ଗ୍ରାହକଙ୍କୁ ଉଚିତ ଜିନିଷ ଯୋଗାଇଦେବା ଦିଗରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏହାବ୍ୟତୀତ ଗ୍ୟାସର ମାନ ଉପରେ ମଧ୍ୟ କୌଣସି ପ୍ରକାରର ସାଲିସ କରାଯିବ ନାହିଁ । ପେଟ୍ରୋଲ, ଡିଜେଲ ଇତ୍ୟାଦିରେ ଜାଲିଆତି ଉପରେ ମଧ୍ୟ ରୋକ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ ହେଉଛି । ଏଥିପାଇଁ ନିୟମିତ ଭାବରେ ପେଟ୍ରୋଲ ଟାଙ୍କି ଗୁଡ଼ିକରେ ଯାଞ୍ଚ କରାଯିବ । ଏହି ଯାଞ୍ଚ ପ୍ରକ୍ରିୟାରେ ଯଦି ଖିଲାପ ପରିଲକ୍ଷିତ ହୁଏ ବା କେହି ଏସବୁରେ ଅପମିଶ୍ରଣ କରୁଥିବାର ଜଣାଯାଏ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଣିକି ଗ୍ରାହକଙ୍କୁ ଉଚିତ ଜିନିଷ ଏବଂ ଉତ୍ତମ ସେବା ଯୋଗାଇଦେବା ହିଁ ପ୍ରାଥମିକତା ରହିବ ।

Get real time updates directly on you device, subscribe now.