fbpx

କରୋନାରେ ଆର୍ଥିକ ସ୍ଥିତି ବେହାଲ, ପୁଣି ଥରେ ସରକାରୀ କର୍ମଚାରୀଙ୍କ ହେବ ଦରମା କାଟ୍ !

ଜୟପୁର ୨୧ ।୦୪: କରୋନାର ଦ୍ୱିତୀୟ ଲହରରେ ସାରା ଦେଶର ଅବସ୍ଥା ସଙ୍ଗୀନ । ମହାମାରୀରେ ସବୁ ରାଜ୍ୟର ସ୍ୱାସ୍ଥ୍ୟବସ୍ଥାଠୁ ନେଇ ଆର୍ଥିକ ସ୍ଥିତି ବେହାଲ । କରୋନା ସଙ୍କଟ ମଧ୍ୟରେ ପୁଣି ଥରେ ସରକାରୀ କର୍ମଚାରୀଙ୍କ ଦରମା କଟିବାକୁ ଯାଉଛି । ଏଥିରେ ୬ ଲକ୍ଷ କର୍ମଚାରୀ ପ୍ରଭାବିତ ହେବେ । ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି ରାଜସ୍ଥାନର ଗେହଲଟ୍ ସରକାର । କର୍ମଚାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକଙ୍କ ମଧ୍ୟ ହେବ ବେତନ କାଟ । ସୂତ୍ର ଅନୁଯାୟୀ, ଅର୍ଥ ମନ୍ତ୍ରଣାଳୟ ଏହାର ଚୂଡାନ୍ତ ପ୍ରସ୍ତୁତି କରି ସାରିଛନ୍ତି । ଏବେ କେବଳ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସବୁଜ ସଙ୍କେତକୁ ଅପେକ୍ଷା ।

ଅର୍ଥ ବିଭାଗର ଅଧିକାରୀ ବେତନ କଟାଯିବା ଖବରକୁ ଖଣ୍ଡନ କରିଛନ୍ତି । କିନ୍ତୁ ରାଜ୍ୟର ଆର୍ଥିକ ସ୍ଥିତି ସଂପ୍ରତି ଦୁର୍ବଳ ରହିଛି । ରାଜସ୍ୱରେ ହ୍ରାସ ଘଟିଛି । ଅନ୍ୟପଟେ କରୋନା ଦ୍ୱିତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ଅର୍ଥର ଆବଶ୍ୟକତା ରହିଛି । ଏହି ସବୁ ଦିଗକୁ ଧ୍ୟାନରେ ରଖି ରାଜ୍ୟ ସରକାର ପୁନର୍ବାର ସରକାରୀ କର୍ମଚାରୀଙ୍କ ଦରମା କାଟିବାକୁ ଯାଉଛନ୍ତି ।

କେନ୍ଦ୍ର ସରକାର ଭ୍ୟାକସିନ କିଣିବାର ଅଧିକାର ରାଜ୍ୟ ସରକାରମାନଙ୍କୁ ଦେବା ନିଷ୍ପତ୍ତିରେ ଗେହଲଟ ସରକାରଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏବେ ଗେହଲଟ ସରକାରଙ୍କୁ ଏହା ସ୍ଥିର କରିବାକୁ ପଡିବ ଯେ, ନିଜେ ଭ୍ୟାକସିନ କିଣିବେ ନା କେନ୍ଦ୍ର ନିକଟରେ ଆର୍ଥିକ ସହାୟତା ପାଇଁ ଗୁହାରି କରିବେ। ବର୍ତ୍ତମାନ ରାଜ୍ୟର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନାହିଁ । ରାଜସ୍ଥାନରେ ଟିକସ ଆଦାୟରେ ମଧ୍ୟ ହ୍ରାସ ଘଟିଛି । ଏମିତି ସ୍ଥିତିରେ କର୍ମଚାରୀଙ୍କ ଦରମା କାଟରେ ରାଜ୍ୟ ସରକାରଙ୍କୁ ପ୍ରାୟ ୬୦୦ କୋଟି ଟଙ୍କା ମିଳିବ ।

ସୂଚନାଯୋଗ୍ୟ, ଗେହଲଟ୍ ସରକାର ଗତ ବର୍ଷ ମାର୍ଚ୍ଚରେ ପ୍ରାୟ ୬ ଲକ୍ଷ କର୍ମଚାରୀଙ୍କ ୭୫ ପ୍ରତିଶତ ବେତନ ସ୍ଥଗିତ କରିଥିଲେ । ପରେ ବଜେଟ୍ ଉପସ୍ଥାପନ ସମୟରେ କଟାଯାଇଥିବା ଦରମା କର୍ମଚାରୀଙ୍କୁ ଦେବାକୁ ଘୋଷଣା କରିଥିଲେ । କୁହାଯାଉଛି ଯେ, ଚଳିତ ଥର ମେଡିକାଲ ଷ୍ଟାଫ୍, ପୁଲିସ ଓ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କ ବେତନ କଟାଯିବ ନାହିଁ ।

Get real time updates directly on you device, subscribe now.