ନା ଅଛନ୍ତି ପୁଜାରୀ, ନା ଘଣ୍ଟି; ହେଲେ ବି ସମସ୍ତଙ୍କ ମନୋକାମନା ହୁଏ ପୂର୍ଣ୍ଣ
ମଧ୍ୟପ୍ରଦେଶ, ଉଜୈନ ସ୍ଥିତ ଏହି ମନ୍ଦିରରେ ନା ଅଛନ୍ତି କେହି ପୂଜାରୀ, ନା ଲାଗିଛି ଘଣ୍ଟି । କେବଳ ଘଣ୍ଟାର ଟିକ ଟିକ ଆବାଜରେ ଭକ୍ତଙ୍କ ମାନସିକ ପୂରଣ ହୋଇଥାଏ ।
ମଧ୍ୟପ୍ରଦେଶ: ଘଣ୍ଟାର କାମ କେବଳ ସମୟ କହିବା ନୁହେଁ, ଯଦି ଘଣ୍ଟାଟି ଏହି ମନ୍ଦିରରେ ବନ୍ଧାଯାଏ ତେବେ ସେ ଘଣ୍ଟାଟି ଆପଣଙ୍କର ଭଲ ସମୟ ମଧ୍ୟ ଆଣି ଦେଇପାରେ।
ବାସ୍ତବରେ, ଉଜୈନରୁ 45 କିଲୋମିଟର ଦୂର ମହିଦପୁର ଏବଂ ଉନହେଲ ମଧ୍ୟରେ ରାସ୍ତା କଡରେ ଏକ ଘଡ଼ି ୱାଲେ ବାବାଙ୍କ ମନ୍ଦିର ଅଛି। ବିଶ୍ବସ ଅଛି ଯେ, ଏଠାକୁ ଆସୁଥିବା ଲୋକଙ୍କ ଖରାପ ସମୟ ଟଳି ଯାଏ ବା ପରିବର୍ତ୍ତନ ହୋଇଯାଏ । ଭକ୍ତମାନେ ଏଠାକୁ ଆସି ମାନସିକ କରନ୍ତି ଏବଂ ମାନସିକ ପୂରା ହୋଇଗଲେ ଭକ୍ତମାନେ ମନ୍ଦିର କାନ୍ଥରେ ଏକ ଘଣ୍ଟା ଟାଙ୍ଗି ଦେଇ ଯାଆନ୍ତି ।
ଗତ କିଛି ବର୍ଷ ମଧ୍ୟରେ ଏହି ମନ୍ଦିର ଏତେ ପ୍ରସିଦ୍ଧ ହୋଇଗଲା ଯେ 4/6 ଫିଟର ଏହି ମନ୍ଦିରରେ ଘଣ୍ଟା ରଖିବାକୁ ଯାଗା ହିଁ ମିଳିଲାନି । ସେଥିପାଇଁ ଭକ୍ତମାନେ ଗଛରେ ଘଣ୍ଟା ଭାନ୍ଧିବା ଆରମ୍ଭ କରିଦେଲେ । କେବଳ ସେତିକି ନୁହେଁ, ଯେତେବେଳେ ଗଛରେ ଘଣ୍ଟା ବାନ୍ଧିବାକୁ ଯାଗା ରହିଲାନି, ସତେବେଳେ ଭକ୍ତମାନେ ଗଛ ପାଖରେ ଥିବା ଏକ କ୍ଷେତରେ ଘଣ୍ଟା ସବୁ ଅର୍ପଣ କରିବାକୁ ଲାଗିଲେ ।
ଯେତେବେଳେ ଲୋକମାନେ ଏହି ବାଟ ଦେଇ ଯାଆନ୍ତି, ତାଙ୍କୁ ଏହି ଟିକ୍ ଟିକ୍ ଆବାଜ ଖାଲି ଶୁଣାଯାଏ । ତେବେ ଏହି ମନ୍ଦିରରେ କେବଳ ଘଣ୍ଟା ଅର୍ପଣ କରାଯାଏ ନାହିଁ। କିଛି ଭକ୍ତ ବାବାଙ୍କୁ ସିଗାରେଟ୍ ଏବଂ ଚିଲମ୍ ମଧ୍ୟ ଅର୍ପଣ କରନ୍ତି। ତଥାପି, ଘଣ୍ଟା ଅର୍ପଣ କରୁଥିବା ଭକ୍ତଙ୍କ ତୁଳନାରେ ଏପରି ଭକ୍ତଙ୍କ ସଂଖ୍ୟା କମ୍ ।
କାହିଁକି ଘଣ୍ଟା ଅର୍ପଣ କରାଯାଏ ?
ଏହି ମନ୍ଦିର ଉନ୍ହେଲରୁ ପ୍ରାୟ ୧୦ କିଲୋମିଟର ଦୂରରେ, ଶିପ୍ରା ନଦୀ ନିକଟରେ ଗୁରାଡିଆ ସାଙ୍ଗା ଗାଁଠାରୁ ଟିକିଏ ଆଗକୁ ଅବସ୍ଥିତ। ଏହି ଛୋଟ ମନ୍ଦିର ପାଇଁ ଗାଁଟି ଦେଶ ଏବଂ ବିଶ୍ୱରେ ପ୍ରସିଦ୍ଧ। ଏଠାରେ ଅବସ୍ଥିତ ସଗସ ଭୈରବ ମନ୍ଦିର କେବଳ ଏହି ଅଞ୍ଚଳର ହଜାର ହଜାର ଲୋକଙ୍କ ଆସ୍ଥାର କେନ୍ଦ୍ର ନୁହେଁ, ବରଂ ଦୂରଦୂରାନ୍ତରୁ ଭକ୍ତମାନେ ଏଠାକୁ ଏହି ଆଶା ନେଇ ଆସନ୍ତି ଯେ, ଏଠାରେ ଏକ ଘଣ୍ଟା ଅର୍ପଣ କଲେ ସେମାନଙ୍କର ଭଲ ସମୟ ଆରମ୍ଭ ହେବ। ଅନେକ ଭକ୍ତ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ, ଏହିଠାରୁ ହିଁ ସେମାନଙ୍କର ସମୟ ବଦଳିବା ଆରମ୍ଭ ହୋଇଛି।
ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଯେ, ଏଠାରେ ଏତେ ମୂଲ୍ୟବାନ ଘଣ୍ଟା ଥାଇ ବି, ଗୋଟେ ହେଲେ ଚୋରି ହୋଇ ନାହିଁ । ଏହି ମନ୍ଦିରରେ ମଧ୍ୟ କୌଣସି ପୂଜାରୀ ନାହାନ୍ତି । ତଥାପି ସଗସ ମହାରାଜଙ୍କର ଏହା ସ୍ଥାନରେ ସମସ୍ତଙ୍କର ମାନସିକ ପୂରଣ ହୋଇଥାଏ । ତେବେ ପୂର୍ଣ୍ଣିମା ଏବଂ ରବିବାରେ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ ।
କ୍ଷେତରେ ପଡ଼ିଛି ହଜାର ହଜାର ଘଣ୍ଟା
ସମୟ ପରିବର୍ତ୍ତନର ଆଶା ନେଇ ଆସିଥିବା ଭକ୍ତମାନେ ଘଡି ୱାଲେ ବାବାଙ୍କ ଦରବାରରେ ଏତେ ଘଣ୍ଟା ଅର୍ପଣ କଲେ ଯେ ସେଠାରେ ଘଣ୍ଟା ଗଦା ହୋଇଗଲା। କ୍ଷେତରେ ୧୦ ହଜାରରୁ ଅଧିକ ଘଣ୍ଟା ପଡ଼ି ରହିଛି ଏବଂ ମନ୍ଦିର ପରିସରରେ ଲଗାଯାଇଥିବା ଗଛଟି ମଧ୍ୟ ଘଣ୍ଟାରେ ପରିପୂର୍ଣ୍ଣ। ଏହା ମାତ୍ର ଦୁଇ ବର୍ଷ ମଧ୍ୟରେ ଏଭଳି ଘଟିଛି। ଏବେ ଏହାକୁ ଦେଖିବାକୁ ଲୋକମାନଙ୍କର ଭିଡ଼ ଜମୁଛି ।