ନୂଆଦିଲ୍ଲୀ: ଭୂତ-ପ୍ରେତ, ପିଶାଚ ଆଉ ଆତ୍ମା । ଏଭଳି ଶରୀର ହୀନ ଦୃଷ୍ଟ ଶକ୍ତିର ନାଁ ଶୁଣିଲେ ପ୍ରତ୍ୟେକ ମଣିଷ ଭୟରେ ଥରିଯାଏ । ଆଖି ଆଗରେ ଝଲସି ଉଠେ କେତେ କ’ଣ ଭୟଙ୍କର ଚିତ୍ର । ଭୂତ କ’ଣ କରିପାରେ ଆଉ କେମିତି ଜୀବନ ନେଇପାରେ? ଏମିତି ଅନେକ କାହାଣୀ ମନକୁ ଥରାଇ ଦିଏ । ଭୂତକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାରର ଭୟାନକ କାହାଣୀ ଶୁଣିବାକୁ ମିଳିଥାଏ । ଜେଜେବାପା-ଜେଜେ ମା’ଙ୍କ ମୁହଁରୁ ଏହିସବୁ କାହାଣୀ ଶୁଣି ମନରେ ଭୂତପ୍ରେତକୁ ନେଇ ଏକ ଅଜଣା ଡର ବସା ବାନ୍ଧି ହୋଇ ରହିଛି । ଯାହା ସମୟ ସମୟରେ ଛାତିକୁ ଥରାଇଦିଏ ।
ଅନେକ ଭଙ୍ଗାଘର, ଡାକବଙ୍ଗଳା କିମ୍ବା ହୋଟେଲରେ ଭୂତପ୍ରେତ ରହୁଥିବା କଥା ଆପଣ ଶୁଣିଥିବେ । ସେମିତି ଏକ ହୋଟେଲକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏହି ହୋଟେଲରେ ଭୂତପ୍ରେତଙ୍କୁ ଦେଖିଥିବା ନେଇ ଅନେକ ଲୋକ ମତପ୍ରକାଶ କରିଛନ୍ତି । ଏହି ୧୪ ତାଲା ବିଶିଷ୍ଟ ହୋଟେଲରେ ୪୫୦ ବଖରା ଥିବା ବେଳେ ଏହା ୧୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି । ୧୯୨୬ ମସିହାରେ ପ୍ରସ୍ତୁତ କରାଯାଇଥିଲା ଏହି ହୋଟେଲ, ଯାହା ବର୍ତ୍ତମାନ ଭୂତଙ୍କ ଆଡ୍ଡା ପାଲଟି ଯାଇଛି । କିନ୍ତୁ ସବୁଠାରୁ ଭୟଙ୍କର ହୋଉଛି ଏଠାରେ ଥିବା ଭୂତମାନଙ୍କୁ ନେଇ ହେଉଥିବା ଦାବି ।
କୁହାଯାଏ ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ (୧୯୪୧-୧୯୪୪) ସମୟରେ ଏହା ସେନାର କ୍ୱାର୍ଟର ଥିଲା । କିନ୍ତୁ ଏହାପରେ କିଛି ଦିନ ଖାଲି ପଡିଥିଲା ଏହି ହୋଟେଲ । ପରେ ୧୯୬୩ ମସିହାରେ ଏହାକୁ ଗୋଟିଏ ହୋଟେଲର ରୂପ ଦିଆଗଲା, କିନ୍ତୁ ପୁଣିଥରେ ଏହା ବନ୍ଦ ହୋଇଯାଇଥିଲା । ଏଠାରେ ରହୁତିବା ଲୋକମାନେ କିଛି ଅଦ୍ଭୁତ ଘଟଣା ଘଟୁଥିବା ଅନୁଭବ କରିଥିଲେ । ହୋଟେଲରେ ରହୁଥିବା ଲୋକେ କୁହନ୍ତି ଯେ, ବେଳେବେଳେ କିଛି ଅଦୃଶ୍ୟ ଶକ୍ତି ତାଙ୍କ ଶରୀରକୁ ରାମ୍ପି ଦେଇଥାଏ । ଆଉ କିଛି ଲୋକଙ୍କ ଏହି ଶକ୍ତି ଦାନ୍ତରେ କାମୁଡିବା ପାଇଁ ମଧ୍ୟ ଚେଷ୍ଟା କରୁଥିବା ନେଇ ଦାବି କରିଛନ୍ତି । କେବେକେବେ ଲାଲ ରଙ୍ଗର କେଶ ଥିବା ମହିଳା ଦେଖାଯାଏ ତ କେବେ କେବେ ସବୁଜ ରଙ୍ଗର ଆଖି ଥିବା ମହିଳା ବଙ୍ଗଳା ସାରା ଘୁରି ବୁଲୁଥିବାର ଦୃଶ୍ୟ ଦେଖାଯାଇଛି ।
କେବଳ ଏତିକିରେ ସରିନି ଭୂତଙ୍କ କାରନାମା । ହୋଟେଲର କାନ୍ଥରୁ ଅଜବ ପ୍ରକାରର ଗନ୍ଧ ବାରିଛନ୍ତି ଏଠାରେ ରହୁଥିବା ଅନେକ ଲୋକ । ତେବେ କିଛି ଲୋକ ସିଗାରେଟର ଗନ୍ଧ ବାରିଥିଲେ । ହୋଟେଲର ମାଲିକଙ୍କୁ ସିଗାରେଟ ପସନ୍ଦ ଥିବାରୁ ତାଙ୍କର ଆତ୍ମା ଏଠାରେ ରହୁତିବା ଲୋକ ସନ୍ଦେହ କରୁଛନ୍ତି । ତେବେ ଅନେକ ବିଶେଷଜ୍ଞ ମଧ୍ୟ ପରୀକ୍ଷା କରିବା ପରେ ଏଠାରେ ଅଦ୍ଭୁତ ଘଟଣା ହେଉଥିବା କଥାକୁ ଗ୍ରହଣ କରିସାରିଛନ୍ତି । ତେବେ ଏସବୁକୁ ଭୁଲି ଏହି ହୋଟେଲକୁ ପୁଣି ଥରେ ଖୋଲିବାକୁ ପ୍ରସ୍ତୁତି ଚାଲିଛି ।