fbpx

ଗୁଲାମ ନବୀ ଆଜାଦଙ୍କ ପ୍ରଭାବରେ ତିନି ରାଜ୍ୟରେ ଫସିଲା କଂଗ୍ରେସ, ଦଳକୁ ଟେନସନ ଦେଉଛନ୍ତି ହୁଡ୍ଡା ଏବଂ ଆନନ୍ଦ

Advertisement

ନୂଆଦିଲ୍ଲୀ: ଏବେ କଂଗ୍ରେସ ପାଇଁ ସବୁଠୁ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଆଜାଦ କଂଗ୍ରେସ ସହ ଦୀର୍ଘ ପାଞ୍ଚ ଦଶନ୍ଧିର ସଂପର୍କ ଛିନ୍ନ କରିବା ପରେ ନୂତନ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଏହା ପରଠୁ କାଶ୍ମୀରରେ ଶତାଧିକ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଇ ସାରିଲେଣି। ଏହା ବ୍ୟତୀତ ଆଜି ୫୦୦୦ କର୍ମୀ ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ କଂଗ୍ରେସ ଛାଡୁଛନ୍ତି। କଂଗ୍ରେସ ପାଇଁ ଏହି ସମସ୍ୟା ଏତିକିରେ ସୀମିତ ରହୁ ନାହିଁ ବରଂ ଏହି ନିଆଁ ହିମାଚଳ ପ୍ରଦେଶ ଏବଂ ହରିୟାଣା ପର‌୍ୟ୍ୟନ୍ତ ବ୍ୟାପିବାରେ ଲାଗିଛି। ଗୋଟିଏ ପଟେ ଗୁଲାମ ନବୀ ଆଜାଦଙ୍କ ସହ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ସାକ୍ଷାତରେ ହରିୟାଣା କଂଗ୍ରେସରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ତ ସେପଟେ ହିମାଚଳ ପ୍ରଦେଶରେ ଆନନ୍ଦ ଶର୍ମା ଆଜାଦଙ୍କ ପ୍ରତି ଢଳୁଥିବା ପ୍ରତୀକମାନ ହେଉଛି।

ହିମାଚଳରେ ଟେନସନ୍ ଦେଉଛନ୍ତି ଆନନ୍ଦ ଶର୍ମା:
ଏହାର ଦୃଶ୍ୟ ବୁଧବାର ଦେଖିବାକୁ ମିଳିଛି। ଯେତେବେଳେ କଂଗ୍ରେସ ହିମାଚଳ ପ୍ରଦେଶରେ ଜନତାଙ୍କ ପାଇଁ ୧୦ ଗ୍ୟାରେଣ୍ଟିର ଘୋଷଣା କରିଛି, ସେହି କାର୍ଯ୍ୟକ୍ରମରେ ଆନନ୍ଦ ଶର୍ମା ଅନୁପସ୍ଥିତ ଥିଲେ। କଂଗ୍ରେସର ନିର୍ବାଚନୀ କାର୍ଯ୍ୟକ୍ରମ ସମୟରେ ଏହା ସବୁଠୁ ବଡ ଇଭେଣ୍ଟ ଥିଲା। ହେଲେ ଆନନ୍ଦ ଶର୍ମା ଏଥିରେ ଯୋଗ ଦେଇନଥିଲେ। ଏହା ପୂର୍ବରୁ ଆନନ୍ଦ ହିମାଚଳ ପ୍ରଦେଶର ନିର୍ବାଚନ କ୍ୟାମ୍ପେନ କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କର ଅନୁପସ୍ଥିତି ଏହା ଦର୍ଶାଉଛି ଯେ, ସେ ଏବେ ମଧ୍ୟ ଦଳ ପ୍ରତି ଅସନ୍ତୁଷ୍ଟ ଅଛନ୍ତି। ହୋଇପାରେ ହିମାଚଳ ପ୍ରଦେଶରେ ଆନନ୍ଦ ଶର୍ମାଙ୍କ ଜନାଧାର ନାହିଁ, ତଥାପି ଏହିପରି ଦଳୀୟ କନ୍ଦଳ ପାର୍ଟିର ନିର୍ବାଚନୀ ସମ୍ଭାବନା ଉପରେ ନକରାତ୍ମକ ପ୍ରଭାବ ପକାଇପାରେ।

ହରିୟାଣାରେ ବି ସ୍ଥିତି ଖରାପ:
ହରିୟାଣାରେ ବି ଗୁଲାମ ନବୀ ଆଜାଦଙ୍କ ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ଆଜାଦଙ୍କୁ ଭେଟିଥିବା ନେତାଙ୍କ ମଧ୍ୟରେ ଆନନ୍ଦ ଶର୍ମା, ଭୂପିନ୍ଦର ସିଂହ ହୁଡ୍ଡା ଏବଂ ପୃଥ୍ଵୀରାଜ ଚହ୍ଵାଣ ସାମିଲ୍ ଥିଲେ। ଏବେ ହରିୟାଣାର ବରିଷ୍ଠ ନେତା କୁମାରୀ ଶେଲଜା ଭୂପିନ୍ଦର ସିଂହ ହୁଡ୍ଡାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ହୁଡ୍ଡାଙ୍କ ବିରୋଧରେ ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ଉଚିତ୍। ଏଥିରୁ ସ୍ପଷ୍ଟ ଯେ ଆଗାମୀ ଦିନରେ ହରିୟାଣା କଂଗ୍ରେସରେ ଦଳୀୟକନ୍ଦଳ ଆହୁରି ବଢିପାରେ। ସବୁଠୁ ବଡ କଥା ଦଳର ହାଇକମାଣ୍ଡ ହୁଡ୍ଡାଙ୍କଠୁ ହରିୟାଣାରେ ବହୁତ କିଛି ଆଶା ରଖିଛନ୍ତି। ଏମିତି ସ୍ଥିତିରେ ସେ ଆଜାଦଙ୍କୁ ଭେଟିବା ନିଶ୍ଚିତ ରୂପେ କଂଗ୍ରେସକୁ ଝଟକା ଲାଗିବ।

ଗତ ଦିନରେ ହୁଡ୍ଡାଙ୍କ ନିକଟତର ଉଦୟନାଥଙ୍କୁ ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ କରି ହାଇକମାଣ୍ଡ ଭାବିଥିଲେ ହରିୟାଣାରେ ଦଳୀୟ କନ୍ଦଳ ସମାପ୍ତ ହୋଇଯିବ। ହେଲେ ସଂପ୍ରତି ହୁଡ୍ଡାଙ୍କ ଆଭିମୁଖ୍ୟ ପାର୍ଟି ସାମ୍ନାରେ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିଛି। ହୁଡ୍ଡା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜାଟ୍ ସଂପ୍ରଦାୟରୁ ଆସିଛନ୍ତି। ରାଜ୍ୟରେ ତାଙ୍କର ଭଲ ଜନାଧାର ମଧ୍ୟ ରହିଛି। ମାତ୍ର ଏବେ ତାଙ୍କର ବିଦ୍ରୋହୀ ଆଭିମୁଖ୍ୟ କଂଗ୍ରେସକୁ ସଙ୍କଟରେ ପକାଇପାରେ। ଅନ୍ୟପଟେ ହରିୟାଣାରେ ଭୋଟରଙ୍କୁ ଆକୃଷ୍ଟ କଲା ପରି ଚେହେରା ଦଳରେ ନାହାନ୍ତି। ଏହି ପରି ଆଜାଦଙ୍କ ପ୍ରଭାବ ଜାମ୍ମୁ-କାଶ୍ମୀରରେ କେବଳ ନାହିଁ ବରଂ ହରିୟାଣା ଏବଂ ହିମାଚଳରେ କଂଗ୍ରେସକୁ ହରଡଘଣାରେ ପକାଇପାରେ।

Get real time updates directly on you device, subscribe now.