ଓଡ଼ିଶାରେ ଅନଲାଇନ୍ କ୍ଲାସର କୁପରିଣାମ! ୧୭ ହଜାରରୁ ଉର୍ଦ୍ଧ୍ୱ ସ୍କୁଲ୍ ପିଲାଙ୍କ ଆଖିରେ ଚଷମା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ୫ ବର୍ଷରୁ ୧୩ ବର୍ଷ ମଧ୍ୟରେ ଅଧିକ ପିଲାଙ୍କୁ ଦେଖିବାରେ ସମସ୍ୟା ଉପୁଜୁଛି । ଅତ୍ୟଧିକ ସମୟ ଟିଭି ଦେଖିବା, ମୋବାଇଲ୍ ଚଳାଇବା ହେଉ ଅବା ଅନ୍ୟକାରଣରୁ ସ୍କୁଲ ପିଲାଙ୍କ ଆଖି ଉପରେ ଏହାରକୁ ପ୍ରଭାବ ପଡୁଛି । ସୁନ୍ଦରଗଡ଼ ଜିଲ୍ଲା ସମଗ୍ରୀ ଶିକ୍ଷା ଅଭିଯାନ ଓ ଅନ୍ୟ ବିଭାଗ ପକ୍ଷରୁ ଆଖି ଯାଞ୍ଚ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି । କେବଳ ସରକାରୀ ସ୍କୁଲ ନୁହେଁ ଘରୋଇ ସ୍କୁଲ ପାଠ ପଢ଼ୁଥିବା ପିଲାଙ୍କ ଆଖି ସମସ୍ୟା କିଛି କମ୍ ନୁହେଁ ।

ସରକାରୀ ସ୍କୁଲରେ ଅଧ୍ୟୟନରତ ୫ ବର୍ଷରୁ ୧୩ ବର୍ଷ ପର୍ଯ୍ୟନ୍ତ ଏବଂ ୧୩ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଆଖି ଦୋଷ ଦୂର କରିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ବ୍ଲକ ଅନୁଯାୟୀ ଆଖି ଯାଞ୍ଚ ଶିବିରମାନ ଆୟୋଜନ କରାଯାଇ ପିଲାଙ୍କ ଆଖି ଯାଞ୍ଚ କରାଯାଉଛି । ଆବଶ୍ୟକସ୍ଥଳେ ସେମାନଙ୍କୁ ମାଗଣାରେ ଚଷମା ଯୋଗାଇ ଦିଆଯାଉଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଗତ ୫ ବର୍ଷ ଅର୍ଥାତ ୨୦୧୭ରୁ ୨୦୨୧ ମଧ୍ୟରେ ୧୭, ୬୫୫ରୁ ଅଧିକ ପିଲାଙ୍କ ଆଖି ସମସ୍ୟା ପାଇଁ ଚଷମା ବ୍ୟବହାର କରୁଥିବା ସୂଚନା ରହିଛି । ୨୦୧୭ରେ ମୋଟ ୩, ୫୧୦ ପିଲାଙ୍କ ଦୃଷ୍ଟି ସମସ୍ୟା ଦୃଷ୍ଟିରୁ ସେମାନଙ୍କୁ ଚଷମା ଯୋଗାଇ ଦିଆଯାଇଥିଲା । ଏମାନଙ୍କ ମଧ୍ୟରେ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ହେଲେ ୨, ୬୧୧, ନବମ ଓ ଦଶମ ଶ୍ରେଣୀରେ ମୋଟ ୮୯୮ ପିଲା ରହିଥିଲେ ।

ଜିଲ୍ଲାର ମୋଟ ୩ ଲକ୍ଷ ୪୩ ହଜାର ୫୯୫ ପିଲାଙ୍କ ଆଖି ପରୀକ୍ଷା କରାଯାଇଥିଲା । ୧୮ ପିଲାଙ୍କୁ ଆଖି ଅସ୍ତ୍ରୋପଚାର ପାଇଁ କୁହାଯାଇଥିଲା । ୨୦୧୮-୧୯ରେ ଏହି ସଂଖ୍ୟା ଦୁଇଗୁଣୁ ଅଧିକ ରହିଥିଲା । ଅର୍ଥାତ୍ ୭, ୪୮୩ ପିଲାଙ୍କ ଆଖି ସମସ୍ୟା ଉପୁଜିଥିଲା । ଜିଲ୍ଲାରେ ମୋଟ ୭, ୩୦୧ ଯାଞ୍ଚ ଶିବିରରେ ମୋଟ ୨ ଲକ୍ଷ ୯୮ ହଜାର ୧୬୨ ପିଲାଙ୍କ ଆଖି ପରୀକ୍ଷା କରାଯାଇଥିଲା ।
ରାଉରକେଲା ମହାନଗର ନିଗମ ଅଧୀନରେ ରହିଥିବା ସରକାରୀ ସ୍କୁଲଗୁଡ଼ିକରେ ସର୍ବାଧିକ ୯୫୨ ପିଲାଙ୍କ ଆଖି ସମସ୍ୟା ଥିବାରୁ ସେମାନଙ୍କୁ ଚଷମା ଯୋଗାଇ ଦିଆଯାଇଥିଲା ।

୨୦୧୯-୨୦ରେ ଏହି ସଂଖ୍ୟା ହ୍ରାସ ପାଇଥିଲା । ଜିଲ୍ଲାରେ ମୋଟ ୨, ୭୪୮ ପିଲାଙ୍କ ଆଖି ଦୋଷ ରହିଥିବା ଜଣାପଡିଥିଲା । ଏଥିସହ ୨୫୫ ପିଲାଙ୍କ ଆଖି ଅଧିକ ସମସ୍ୟା ରହିଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ରାଜ୍ୟର ପ୍ରମୁଖ ଚକ୍ଷୁ ଡାକ୍ତରଖାନାକୁ ପଠାଯାଇଥିଲା ।

ଚଳିତ ବର୍ଷ ମୋଟ ୨ ଲକ୍ଷ ୯୮ ହଜାର ୧୬୨ପିଲାଙ୍କ ଆଖି ପରୀକ୍ଷା କରାଯାଇଥିଲା । ଜିଲ୍ଲାର ସବ୍ଡେଗା, ଟାଙ୍ଗରପାଲି, ସୁନ୍ଦରଗଡ଼ ପୌରାଞ୍ଚଳ, କେ. ବଲାଙ୍ଗ, ବାଲିଶଙ୍କରା, ବଡଗାଁ, ରାଜଗାଙ୍ଗପୁର, ନୂଆଗାଁ, ଲାଠିକଟା, ଲହୁଣିପଡା, କୁତ୍ରା, କୁଆରମୁଣ୍ଡା, ହେମଗିରି, କୋଇଡା, ଗୁରୁଣ୍ଡିଆ, ଲେଫ୍ରିପଡା, ବିଶ୍ରା ଓ ରାଉରକେଲା ପୌରପାଳିକା ଅଧୀନରେ ମୋଟ ୩ ହଜାର ୧୧୨ ସ୍କୁଲର ମଧ୍ୟରୁ ୩ ହଜାର ୬୯ ସ୍କୁଲରେ ଏହି ଯାଞ୍ଚ କରାଯାଇଥିଲା ।

କରୋନା ମହାମାରୀରେ ଯାଞ୍ଚ ପ୍ରକ୍ରିୟା ବାଧା ଉପୁଜିଥିବାରୁ ଜିଲ୍ଲାରେ ଏକ ତୃତୀୟାଂଶ ସ୍କୁଲରେ ପାଠପଢ଼ୁଥିବା ପିଲାଙ୍କ ଆଖି ପରୀକ୍ଷା କରାଯାଇ ପାରି ନଥିଲା । ତଥାପି ୨୦୨୦-୨୧ରେ ମୋଟ ୧ ହଜାର ୨୨ ପିଲାଙ୍କ ଆଖି ଦୋଷ ରହିଥିବା ଜଣାପଡିବାରୁ ସେମାନଙ୍କୁ ଚଷମା ବଣ୍ଟନ କରାଯାଇଥିଲା ।

୨୦୨୧-୨୨ରେ ହି ସଂଖ୍ୟା ଦ୍ୱିଗୁଣିତ ହୋଇଥିଲା । ଅର୍ଥାତ୍ ୨ ହଜାର ୮୯୨ ପିଲାଙ୍କ ଆଖି ଦୋଷ ରହିଥିବା ଯାଞ୍ଚରୁ ଜଣାପଡିଥିଲା । ୨୦୨୨-୨୩ ଯାଞ୍ଚ ପରେ ଜିଲ୍ଳାରେ ଆଖି ଦୋଷ ସମସ୍ୟା ଅଧିକ ରହିଥିବା ସମ୍ଭାବନା ରହିଛି । କାରଣ କରୋନା ସମୟରେ ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ପିଲାମାନେ ଅନଲାଇନରେ କ୍ଲାସ କରୁଥିଲେ । ଘରେ ଅଧିକ ସମୟ ଟିଭି ଓ ମୋବାଇଲ୍ ଦେଖୁଥିଲେ ।