fbpx

ସ୍ୱର୍ଣ୍ଣ ବିଜେତା ଦେବେନ୍ଦ୍ର ଝାଝାରିଆ ଭାରତୀୟ ପାରା ଅଲିମ୍ପିକ୍ସ କମିଟିର ଅଧ୍ୟକ୍ଷ ନିଯୁକ୍ତ: ବିଜେପି ଟିକେଟରେ ଲଢ଼ିବେ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ ପାରା ଅଲିମ୍ପିକ୍ସ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝାରିଆ । ୪୨ ବର୍ଷୀୟ ଦେବେନ୍ଦ୍ର ପାରା ଜାଭେଲିନ୍ ଥ୍ରୋ’ରେ ଦେଶ ପାଇଁ ଅନେକ ପଦକ ଜିତିଛନ୍ତି । ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଥିବା ବେଳେ ସେଥିରେ ଦେବେନ୍ଦ୍ରଙ୍କ ନାମ ରହିଥିଲା । ବିଜେପି ଟିକେଟରେ ଦେବେନ୍ଦ୍ର ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ । ଏବେ ପୁଣି ଦେବେନ୍ଦ୍ରକୁ ଏକ ବଡ଼ ଦାୟିତ୍ୱ ପ୍ରଦାନ ନେଇ ଘୋଷଣା କରାଯାଇଛି ।

ଦେବେନ୍ଦ୍ର ରାଜସ୍ଥାନର ଚୁରୁ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ । କ୍ରୀଡ଼ା ଜଗତରେ ଦେବେନ୍ଦ୍ର ଜଣେ ଜଣାଶୁଣା ଚେହେରା । ଦେବେନ୍ଦ୍ରଙ୍କ ଜୀବନର ସଂଘର୍ଷଭରା କାହାଣୀ ଶୁଣିଲେ ଆଖିଲେ ଲୁହ ଭରିଯାଏ । ମାତ୍ର ୮ ବର୍ଷ ବୟସରେ ସେ ଗଛରେ ଚଢ଼ିଥିବା ସମୟରେ ଅଚାନକ ବିଜୁଳି ତାର ସଂସ୍ପର୍ଶରେ ଆସି ତାଙ୍କର ବାମ ହାତ ନଷ୍ଟ ହୋଇଯାଇଥିଲା । ମାତ୍ର ସେ ଜୀବନରେ ହାର ମାନିନଥିଲେ । କଠିନ ପରିଶ୍ରମ କରି ଆଗକୁ ଯାଇ ସେ ଦେଶ ପାଇଁ ସୁନାମ ଆଣିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ । ଦେବେନ୍ଦ୍ରଙ୍କ ପିତାଙ୍କୁ କ୍ୟାନସର ହେବା ପରେ ସେ ଖେଳକୁ ଅଲବିଦା କହିବାକୁ ମନସ୍ଥ କରିଥିଲେ । ମାତ୍ର ତାଙ୍କର ପିତା ତାଙ୍କୁ ଖେଳ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ପାରା ଅଲିମ୍ପିକ୍ସରେ ଦୁଇ ଥର ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ହେଉଛନ୍ତି ଦେବେନ୍ଦ୍ର ।

Get real time updates directly on you device, subscribe now.