ଓଡିଶା ଭାସ୍କର- ହିନ୍ଦୁ ଧର୍ମରେ ଅନେକ ଚଳଣୀ ରହିଛି । ସେସବୁକୁ କାହିଁ କେଉଁ କାଳରୁ ପାଳନ କରାଯାଇଆସୁଛି । ପ୍ରତି ଚଳଣୀ ସହ ରହିଛି ଆସ୍ଥା ଓ ବିଶ୍ୱାସର କଥା । ଏଇ ଯେମିତି, ଅଳଙ୍କାର ଧାରଣ । ସଧବାଙ୍କ ପାଇଁ ଅଳଙ୍କାର ଶୁଭ । ତେବେ ସେହି ଅଳଙ୍କାର ସୁନାର ହୋଇଥିଲେ ଏହା ଅଧିକ ଭଲ । ସେଥିଲାଗି ସଧବା ନାରୀମାନେ ସୁନାରେ ଛାଉଣୀ ହେବାକୁ ପସନ୍ଦ କରନ୍ତି ।
କିନ୍ତୁ ଜଣେ ମହିଳା ଯେତେ ଧନୀ ହୋଇଥାନ୍ତୁ ନା କାହିଁକି, ହାତ, ବେକ, ଅଣ୍ଟାରେ ପଛେ ସୁନା ଭର୍ତିକରିଥିବେ ହେଲେ ପାଦରେ କେବେ ସୁନାର ଝୁଣ୍ଟିଆ କି ସୁନା ପାଉଁଜି ପିନ୍ଧନ୍ତି ନାହିଁ । ସେ ଅତୀତର ରାଣୀ ହୁଅନ୍ତୁ ବା ବର୍ତ୍ତମାନର ଅମ୍ବାନୀ ଓ ଆଦାନୀ ପରିବାରର ବୋହୂ ବା ଝିଅ । କେହି ପାଦରୁ ସୁନା ପିନ୍ଧନ୍ତି ନାହିଁ । ଏହା ପଛରେ ଲୁଚି ରହିଛି ଗୁଢ ରହସ୍ୟ । ସୁନା ପାଦରେ ପିନ୍ଧିବାକୁ ହିନ୍ଦୁ ଧର୍ମରେ ବାରଣ ରହିଛି ।
ସୁନା ହେଉଛି ବିଷ୍ଣୁଙ୍କ ଅତି ପ୍ରିୟ । ତେଣୁ ବିଷ୍ଣୁଙ୍କ ଫଟୋରେ ଦେଖିଥିବେ ଆଖି ଝଲସା ସୁନା ଅଳଙ୍କାର । ତେଣୁ ସୁନାକୁ ବିଷ୍ଣୁଙ୍କ ପ୍ରିୟା ଭାବେ ଗ୍ରହଣ କରାଯାଏ । ଯେହେତୁ ଏହା ବିଷ୍ଣଙ୍କ ପ୍ରିୟ, ତେଣୁ ଏହାକୁ ପାଦରେ ପରିଧାନ କରିବା ପାପ ବିବେଚିତ ହୋଇଥାଏ । ତେଣୁ ସୁନା ମସ୍ତକରୁ ଅଣ୍ଟା ଯାଏଁ ପିନ୍ଧାଯାଏ, ଅଣ୍ଟା ତଳକୁ ନୁହେଁ । ଅଣ୍ଟା ତଳକୁ ଥିବା ଶରୀରର ଅଂଶକୁ ଅପବିତ୍ର ମନେକରାଯାଏ । ତେଣୁ ସେହି ସବୁ ସ୍ଥାନରେ ସୁନା ପରିଧାନ ଅଶୁଭ ହୋଇଥାଏ ।
ଏହା ବ୍ୟତୀତ, ମହାଲକ୍ଷ୍ମୀଙ୍କ ସହ ଜଡିତ । ସୁନାକୁ ମଧ୍ୟ ଲକ୍ଷ୍ମୀଙ୍କ ସ୍ୱରୂପ ଭାବେ ମାନିଥାନ୍ତି ହିନ୍ଦୁ ଧର୍ମାବଲମ୍ବୀ । ସେଥିଲାଗି ସୁନାର ଝୁଣ୍ଟିଆ ବା ପାଉଁଜି ପିନ୍ଧିବାକୁ ଲକ୍ଷ୍ମୀଙ୍କ ଅପମାନ ଭାବେ ଗ୍ରହଣ କରାଯାଏ ।