fbpx

ଭଲ ଦିନ ହେଉ କି ଖରାପ ଦିନ, କାହାକୁ ବ୍ୟବହାର କରି ଫିଙ୍ଗିଦେବା ଉଚିତ୍ ନୁହେଁ: ନୀତିନ ଗଡକରୀ

ନୂଆଦିଲ୍ଲୀ: ପରାଜୟ ମାତ୍ରେ କୌଣସି ବ୍ୟକ୍ତିର ଅନ୍ତ ଘଟେ ନାହିଁ। କାହାକୁ ବ୍ୟବହାର କରି ଫିଙ୍ଗିବା ଉଚିତ୍ ନୁହେଁ। ସେ ବ୍ୟକ୍ତି ଯେ କୌଣସି କ୍ଷେତ୍ରର ହୋଇ ଥାଆନ୍ତୁ ନା କାହିଁକି। ଏମିତି ଶାଣିତ କଥା କହିଛନ୍ତି କେନ୍ଦ୍ରୀୟ ସଡକ, ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ। ନିକଟରେ ଭାରତୀୟ ଜନତା ପାର୍ଟି(ବିଜେପି) ତାଙ୍କୁ ପାର୍ଟିର ସଂସଦୀୟ ବୋର୍ଡରୁ ହଟାଇ ଦେଇଛି। ଏହାକୁ ନେଇ ରାଜନୈତିକ ବିଶେଷଜ୍ଞ ମଧ୍ୟ ବିସ୍ମୟ ପ୍ରକାଶ କରିଛନ୍ତି। କାରଣ ଗଡକରୀ ବିଜେପିର ପୂର୍ବତନ ଅଧ୍ୟକ୍ଷ ଏବଂ ବରିଷ୍ଠ ନେତା। ଗଡକରୀ ଉଦ୍ୟୋମୀଙ୍କୁ ସମ୍ବୋଧିତ କରିବା ସମୟରେ ଉପରୋକ୍ତ ଟିପ୍ପଣୀ କରିଛନ୍ତି।

ସେ କହିଛନ୍ତି ସେ ବ୍ୟବସାୟ ହେଉ କି, ସାମାଜିକ କାର‌୍ୟ୍ୟ ହେଉ କିମ୍ବା ରାଜନୈତିକ ହେଉ, ମଣିଷ ପାଇଁ ମାନବୀୟ ସଂପର୍କ ସବୁଠୁ ବଡ ଶକ୍ତି ହୋଇଥାଏ। ଏହାକୁ ସର୍ବଦା କାଏମ ରଖିବା ଉଚିତ୍। ତେଣୁ କାହାକୁ କେବେ ବି ବ୍ୟବହାର କରି ଫିଙ୍ଗିଦେବା ଉଚିତ୍ ନୁହେଁ। ଭଲ ଦିନ ହେଉ କି ଖରାପ ଦିନ, ଥରୁଟିଏ କାହାର ହାତ ଧରି ଦେଲେ ସବୁ ଦିନ ପାଇଁ ଧରି ଥାଆନ୍ତୁ। ଏପରିକି ଉଦିତ ସୂର୍ଯ୍ୟର ପୂଜା କରିବା ଉଚିତ୍ ନୁହେଁ ବୋଲି ଗଡକରୀ କହିଛନ୍ତି।

ଗଡକରୀ ଜଣେ ଛାତ୍ର ନେତା ଭାବେ ନିଜର ଅତୀତକୁ ମନେ ପକାଇ କହିଛନ୍ତି, ଦିନେ କଂଗ୍ରେସ ନେତା ଶ୍ରୀକାନ୍ତ ଜିଚକର ତାଙ୍କୁ ନିଜର ଉତ୍ତମ ଭବିଷ୍ୟତ ପାଇଁ କଂଗ୍ରେସରେ ଯୋଗ ଦେବାକୁ କହିଥିଲେ। ହେଲେ ମୁଁ ଶ୍ରୀକାନ୍ତଙ୍କୁ କହିଥିଲି ଯେ, କୂଅକୁ ଡେଇଁ ମରିବି ପଛେ କଂଗ୍ରେସରେ କଦାପି ସାମିଲ୍ ହେବି ନାହିଁ। କାରଣ ମୋତେ ଆପଣଙ୍କ ପାର୍ଟିର ବିଚାରଧାରା ପସନ୍ଦ ନୁହେଁ।

ଯୁବ ଉଦ୍ୟମୀଙ୍କୁ ନିଜର ଆକାଂକ୍ଷା କେବେ ଛାଡିବା ଉଚିତ୍ ନୁହେଁ। ଯୁବ ପିଢିଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ଆତ୍ମକଥାରେ ଲେଖା ହୋଇଥିବା ସ୍ଵର୍ଣ୍ଣିମ ଶବ୍ଦକୁ ମନେ ରଖିବାକୁ କହିଛନ୍ତି ନୀତିନ ଗଡକରୀ।

 

Get real time updates directly on you device, subscribe now.