Habit King! ଭଲ ଅଭ୍ୟାସ ଜୀବନ ବଦଳାଉଥିବା ବେଳେ ଖରାପ ଅଭ୍ୟାସ ମଣିଷକୁ ବର୍ବାଦ କରିଦେଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ‘ଟଙ୍କା’ ସବୁଠାରୁ ବଡ଼ ଜିନିଷ ବୋଲି ସମସ୍ତେ କହିଥାନ୍ତି । ପାଖରେ ଟଙ୍କା ଥିଲେ ଏ ଦୁନିଆରେ ସବୁ କିଛି କିଣି ହେବା ସହ ସବୁକିଛି ପାଇବା ସମ୍ଭବ ହୋଇପାରିବ ବୋଲି ଲୋକଲୋଚନରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଥାଏ । ତେବେ ଟଙ୍କା ଦ୍ୱାରା ମଣିଷ ଅନେକ ଅସମ୍ଭବକୁ ସମ୍ଭବ କରିପାରିବ । ମାତ୍ର ଏହା ଶତ ପ୍ରତିଶତ ସମ୍ଭବ ନୁହେଁ । ଆମେ ଯଦି କହିବା, ବିଗ୍ ବି ଅମିତାଭ ବଚନଙ୍କ ପାଖରେ ଟଙ୍କାର ଅଭାବ ନାହିଁ, ମାତ୍ର ତାଙ୍କର ପୁଅ ଅଭିଷେକ ବଚନ କାହିଁ ତାଙ୍କ ପରି ସଫଳତା ପାଇପାରିଲେ ନାହିଁ । ସେହିପରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର କ୍ରିକେଟ ଭଗବାନଙ୍କ ୧ ପ୍ରତିଶତ ହୋଇପାରି ନାହାନ୍ତି ବୋଲି କହିବା ସମ୍ଭବ ହେବ । ଏଭଳି ଅନେକ ଉଦାହରଣ ଆମ ସମାଜରେ ରହିଛି । ତେଣୁ ଟଙ୍କା ଥିଲେ ଯେ ମଣିଷ ବିଶ୍ୱକୁ ଜିତି ପାରିବ, ତାହା କଦାପି ଠିକ୍ ନୁହେଁ ବୋଲି ଅନେକ ଏକ୍ସପର୍ଟ ମତ ଦେଇଥାନ୍ତି ।

ଆପଣମାନେ ଯଦି ପ୍ରତିଦିନ ଠିକ୍ ସମୟରେ ଖାଇବା, ଠିକ୍ ସମୟରେ ଶୋଇବା, ଠିକ୍ ସମୟରେ ବ୍ୟାୟାମ କରିବା, ଠିକ୍ ସମୟରେ ଭଲ ପୁସ୍ତକ ପଢ଼ିବା, ଭଲ ଲୋକଙ୍କ ସହ ମିଶିବା ଆଦି ଛୋଟ ଛୋଟ ଅଭ୍ୟାସକୁ ନିଜ ଜୀବନରେ ସାମିଲ କରିପାରିବେ, ତେବେ ଆପଣଙ୍କର ଜୀବନରେ ଏକ ବଡ଼ ପରିବର୍ତ୍ତନ ହୋଇପାରିବ । ହୋଇପାରେ ଏହା ସଙ୍ଗେସଙ୍ଗେ ଘଟିବ ନାହିଁ । ଦେଖିବେ ଆଗାମୀ କିଛି ବର୍ଷ ମଧ୍ୟରେ ଆପଣଙ୍କ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିଯିବ । ଏକ୍ସପର୍ଟଙ୍କ ମତରେ, ଯଦି ଆପଣ କୌଣସି ଅଭ୍ୟାସକୁ ନିୟମିତ ଭାବେ ୬୬ ଦିନ ପର୍ଯ୍ୟନ୍ତ ଜାରି ରଖୁଛନ୍ତି, ତେବେ ତାହା ଆପଣଙ୍କ ଜୀବନର ଏକ ଅଂଶ ଭାବେ ପରିଗଣିତ ହୋଇଯିବେ ।

ଉଦାହରଣ ସ୍ୱରୂପ, ଆପଣ ଯଦି ସକାଳୁ ଉଠୁ ଉଠୁ ପ୍ରଥମେ ଗରମ ପାଣି ପିଇବାର ଅଭ୍ୟାସ କରିବେ, ତେବେ ୨ ମାସ ପର୍ଯ୍ୟନ୍ତ ଏହା କରିବା ପରେ ଅଟୋମେଟିକ୍ ତାହା ଆପଣଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯିବ । ଆପଣମାନେ ଶିକ୍ଷା, ସ୍ୱାସ୍ଥ୍ୟ ସହ ଜଡ଼ିତ ଅନେକ ଭଲ ଅଭ୍ୟାସକୁ ଜୀବନରେ ସାମିଲ କରି ଅନେକ ସଫଳତା ପାଇ ପାରିବେ । ସେହିପରି ପ୍ରତିଦିନ ସକାଳୁ ଆପଣମାନେ କିଛି ସମୟ ଚାଲିବା, ବ୍ୟାୟାମ କରିବା ଆଦି ସୁଅଭ୍ୟାସକୁ ଆପଣାଇ ସୁସ୍ୱାସ୍ଥ୍ୟର ଅଧିକାରୀ ହୋଇପାରେ । ସ୍ୱାସ୍ଥ୍ୟ ଠିକ୍ ରହିଲେ ତାହା ଆପଣଙ୍କର ସଫଳତା ପାଇଁ ରାସ୍ତା ଖୋଲିଦେଇଥାଏ । ସେହିପରି ରାତିରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହିବା, ମାତ୍ରାଧିକ ପର୍ଣ୍ଣ ଫିଲ୍ମ ଦେଖିବା, ବାହାରର ଖରାପ ଖାଦ୍ୟ ସେବନ କରିବା, ଜଙ୍କଫୁଡ ଓ ଫାଷ୍ଟଫୁଡ୍ ମାତ୍ରାଧିକ ସେବନ କରିବା, ଗାର୍ଲଫ୍ରେଣ୍ଡ ଓ ବନ୍ଧୁଙ୍କ ସହ ଘଣ୍ଟା ଘଣ୍ଟା ସମୟ ବିତାଇବା, ଜୀବନରେ ଲକ୍ଷ୍ୟ ନିର୍ଦ୍ଧାରଣ ନ କରିବା, ପ୍ରଚୁର ମାଦକ ଦ୍ରବ୍ୟ ଓ ମଦ୍ୟପାନ କରିବା ଆଦି କୁଅଭ୍ୟାସ ଆପଣଙ୍କୁ ବର୍ବାଦ କରିଦେଇପାରେ । ସଙ୍ଗେସଙ୍ଗେ ଏହାର ପ୍ରଭାବ ଦେଖିବାକୁ ମିଳୁନଥିଲେ ହେଁ କିଛି ମାସ ବା କିଛି ବର୍ଷ ମଧ୍ୟରେ ତାହା ଆପଣଙ୍କ ସ୍ୱାସ୍ଥ୍ୟକୁ ଦୁର୍ବଳ କରିବା ସହ ଅନେକ ରୋଗର କାରଣ ସାଜିଥାଏ । ଶରୀରକୁ ରୋଗ ଗ୍ରାସ କରିବା ଫଳରେ ଆପଣ ଆର୍ଥିକ କ୍ଷେତ୍ରରେ ନିଶ୍ଚିତ ନିମ୍ନମୁଖୀ ହୋଇଯିବେ । ତେଣୁ ଖରାପ ଅଭ୍ୟାସ ଓ ଅଭ୍ୟାସକୁ ଭଲ ଭାବେ ଚିହ୍ନି ତାହାକୁ ଜୀବନରେ ଆପ୍ଲାଏ କରିବା ନିହାତି ଜରୁରୀ । ଆପଣ ଜୀବନରେ ଭୁଲ ଦିଗରେ ଦୌଡ଼ିଲେ କୌଣସି ଫଳ ମିଳିବ ନାହିଁ । ତେଣୁ ଅଭ୍ୟାସ ହିଁ ଆମ ଜୀବନର କିଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ ।