ଟିମ୍ ଇଣ୍ଡିଆ ପାଇଁ ଆସିଲା ଖୁସି ଖବର: WTC ଫାଇନାଲ ଯାତ୍ରା ହେଲା ସହଜ, ତଥାପି ସିରିଜ୍ ଡ୍ର କରିବା ନିହାତି ଜରୁରୀ

ନୂଆଦିଲ୍ଲୀ: ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ହେଉଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସିଜିନ୍ ଆସନ୍ତା ଜୁନ୍ ମାସ ୭ ତାରିଖରେ ଖେଳାଯିବ । ଟପ୍ ପଏଣ୍ଟସ୍ ଆଧାରରେ ଅଷ୍ଟ୍ରେଲିଆ ଡବ୍ଲ୍ୟୁଟିସି ଫାଇନାଲରେ ପହଞ୍ଚି ସାରିଛି । ଏବେ କେବଳ ଦ୍ୱିତୀୟ ଫାଇନାଲିଷ୍ଟ ଦାବିଦାର ଭାବେ ଭାରତ ଓ ଶ୍ରୀଲଙ୍କା ଦୁଇ ଟିମ୍ ରେସରେ ରହିଛନ୍ତି । ଏହି ଚାମ୍ପିୟନଶିପ୍ ପାଇଁ ଆଉ ମାତ୍ର ୪ଟି ମ୍ୟାଚ ରହିଛି । ସେଥିମଧ୍ୟରୁ ଦକ୍ଷିଣ ଆଫ୍ରିକା-ୱେଷ୍ଟଇଣ୍ଡିଜର ମ୍ୟାଚର କୌଣସି ପ୍ରଭାବ ନାହିଁ, କାରଣ ସେମାନେ ରେସରୁ ଆଉଟ୍ ହୋଇଯାଇଛନ୍ତି ।

ଏବେ ଗୋଟିଏ ଟେଷ୍ଟ ମ୍ୟାଚ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦରେ ଚାଲିଛି । ଯଦି ଭାରତ ଏହି ମ୍ୟାଚରେ ହାରିଯାଏ, ତେବେ ପୂରା ମାମଲା ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ଉପରକୁ ଶିଫ୍ଟ ହୋଇଯିବ । ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୯ରୁ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଟେଷ୍ଟ ୧୭ରେ ଆରମ୍ଭ ହେବ । ଯଦି ଶ୍ରୀଲଙ୍କା ଏହି ସିରିଜକୁ ୨-୦ରେ କ୍ୱିନ ସ୍ୱିପ୍ କରେ, ତେବେ ସିଂହଳୀ ଫାଇନାଲରେ ପହଞ୍ଚିଯିବ । ଯଦି ଗୋଟିଏ ମ୍ୟାଚ ଡ୍ର ହୋଇଯାଏ ବା ଶ୍ରୀଲଙ୍କା ହାରିଯାଏ, ତେବେ ଏପରି ସ୍ଥିତିରେ ଅହମ୍ମଦାବାଦ ଟେଷ୍ଟ ସିରିଜ ହାରିବା ପରେ ବି ଭାରତ ଫାଇନାଲରେ ପହଞ୍ଚିଯିବ । ତେଣୁ ନ୍ୟୁଜିଲାଣ୍ଡ ଜିତୁ, ଶ୍ରୀଲଙ୍କା ହାରୁ ଭାରତ ଏହା ପ୍ରାର୍ଥନା କରିବ ।

ଚଳିତ ଟେଷ୍ଟରେ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୮୦ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୮୯ ରନ୍ ସଂଗ୍ରହ କରିଛି । ଯୁବ ଓପନର ଶୁବମନ ଗିଲ ଆଜି ଶତକ ଅର୍ଜନ କରି ଭାରତ ପାଇଁ ଦେବଦୂତ ସାଜିଥିଲେ । କ୍ରିଜରେ କିଙ୍ଗ ବିରାଟ କୋହଲି (୫୯) ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା (୧୬)ରେ ଅପରାଜିତ ରହିଛନ୍ତି । ଏହି ଦୁଇ ରଥୀ ଆସନ୍ତାକାଲି ମଧ୍ୟ ଘରୋଇ ଗ୍ରାଉଣ୍ଡରେ ଲଢ଼େଇ ଜାରି ରଖିବେ ବୋଲି କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି । ଖେଳ ଆଉ ମାତ୍ର ଦୁଇଦିନ ବାକିଥିବା ବେଳେ ଆସନ୍ତା ଦୁଇଦିନ ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ଭାରତ ଏବେ ୧୯୧ ରନ୍ ପଛରେ ରହିଥିଲେ ହେଁ ହାତରେ ଆହୁରି ୭ଟି ୱିକେଟ ରହିଛି ।

ତେବେ ଏହା ମଧ୍ୟରେ ନ୍ୟୁଜିଲାଣ୍ଡ ଟିମ୍ ତରଫରୁ ଆସିଛି ଏକ ଖୁସି ଖବର । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୩୫୫ ରନ୍ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲାଣ୍ଡ ୩୭୩ ରନ୍ ସଂଗ୍ରହ କରିଥିଲା । ଏହାପରେ ତୃତୀୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଶ୍ରୀଲଙ୍କା ୮୩ ରନରେ ୩ଟି ୱିକେଟ ହରାଇ ସଙ୍କଟରେ ପଡ଼ିଛି । ଦଳ ମାତ୍ର ୬୫ ରନରେ ଆଗୁଆ ରହିଛି । ତେଣୁ ଏହା ଶ୍ରୀଲଙ୍କା ପାଇଁ ନିଶ୍ଚିତ ଭାବେ ଏକ ବିପର୍ଯ୍ୟୟର ସୂଚନା ହୋଇପାରେ । ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ୬୮.୫୨, ଭାରତ ୬୦.୨୯, ଶ୍ରୀଲଙ୍କା ୫୩.୩ ପ୍ରତିଶତ ଅଙ୍କ ହାସଲ କରିଛନ୍ତି ।