fbpx

‘ଆମ ଉପରେ ଲାଗୁହେବ ନାହିଁ ଭାରତର ନୂଆ ଆଇଟି ନିୟମ’; ହାଇକୋର୍ଟରେ ପକ୍ଷ ରଖିଲା ଗୁଗଲ…

Advertisement

ନୂଆଦିଲ୍ଳୀ: ଭାରତ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ଆଇଟି ନିୟମକୁ ନେଇ ବିବାଦ ଥମୁନାହିଁ । ଗୋଟିଏ ପଟେ ସରକାର ନୂଆ ନିୟମ ନେଇ ସ୍ପଷ୍ଟତା ଦେଇସାରିଥିବାବେଳେ ଅନେକ ସୋସିଆଲ ମିଡିଆ ଏଥିରେ ସନ୍ତୁଷ୍ଟ ନୁହନ୍ତି । ଏଭଳି ପରିସ୍ଥିତିରେ ବିଭିନ୍ନ କଣ୍ଟେଟକୁ ମାଧ୍ୟମ ଭାବେ ଲୋକଙ୍କ ନିକଟରେ ପହଞ୍ଚାଉଥିବା ଗୁଗଲ ମଧ୍ୟ କୋର୍ଟକୁ ଟଣାଯାଇଛି ।

ଘଟଣା ଅନୁଯାୟୀ ଦୁର୍ବୃତ୍ତ ଜଣେ ମହିଳାଙ୍କର ଫଟୋ ଅଶ୍ଲୀଳ ୱେବସାଇଟରେ ଅପଲୋଡ କରିଦେଇଥିଲେ ଏବଂ ସେହି ଫଟୋକୁ କୋର୍ଟଙ୍କ ଆଦେଶ ପରେ ମଧ୍ୟ ଇଣ୍ଟରନେଟରୁ ସଂପୂର୍ଣ୍ଣ ଭାବରେ ହଟାଯାଇପାରିନଥିଲା । ଏହି ଫଟୋକୁ ଅନ୍ୟ ୱେବସାଇଟରେ ମଧ୍ୟ ପୋଷ୍ଟ କରାଯାଇଥିଲା । ଏହି ମାମଲାରେ ଅଦାଲତର ଏକ ସିଙ୍ଗଲ ବେଞ୍ଚ ଗୁଗଲକୁ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଗୁଗଲ ଏହି ନିଷ୍ପତ୍ତି ବିରୋଧରେ ଡବଲ ବେଞ୍ଚରେ ଆବେଦନ କରିଥିଲା । କମ୍ପାନି ତରଫରୁ କୁହାଯାଇଥିଲା ଏହା କୌଣସି ସୋସିଆଲ ମିଡିଆ ନୁହେଁ ଏହା କେବଳ ଏକ ସର୍ଚ୍ଚ ଇଞ୍ଜିନ । ଗୁଗଲ କେବଳ କଣ୍ଟେଟକୁ ଲୋକଙ୍କ ପାଖରେ ପହଞ୍ଚାଇଥାଏ । ଏଭଳି ସ୍ଥିତିରେ ତା’ ଉପରେ ନୂଆ ଆଇଟି ନିୟମ ଲାଗୁ ହେଉନାହିଁ ।

ଏବେ ଦିଲ୍ଲୀ ହାଇକୋର୍ଟ ତରଫରୁ କେନ୍ଦ୍ର ସରକାର, ଦିଲ୍ଲୀ ସରକାର, ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ଏବଂ ପର୍ଣ୍ଣ ୱେବସାଇଟକୁ ନୋଟିସ ଜାରି କରାଯାଇଛି । ମହିଳାଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି । ଗୁଗଲର ଯାଚିକା ଉପରେ ସମସ୍ତଙ୍କୁ ୨୫ ଜୁଲାଇ ମଧ୍ୟରେ ଉତ୍ତର ଦେବାକୁ ହେବ । ଏହାପରେ ଶୁଣାଣି ହେବ ।
ସୂଚନାଯୋଗ୍ୟ, ଭାରତ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ନୂତନ ଆଇଟି ନିୟମକୁ ନେଇ ବିବାଦ ଦେଖାଦେଇଛି । ପ୍ରଥମ ଟ୍ୱିଟର, ହ୍ୱାଟ୍ସଆପ ସହ ଅନେକ ସୋସିଆଲ ମିଡିଆ ଏହାର ବିରୋଧ କରିଥିଲେ । ତେବେ ଟ୍ୱିଟରକୁ ଛାଡି ଅଧିକାଂଶ କମ୍ପାନୀ ଏହି ନିୟମକୁ ପାଳନ କରିବାକୁ ରାଜି ହୋଇଛନ୍ତି ।

Get real time updates directly on you device, subscribe now.