ଅନଶନରେ ବସିଲେ ରାଜ୍ୟପାଳ; ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଦିନିକିଆ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ । ତେବେ ଏହି ଅନଶନ କୌଣସି ସରକାର ବିରୋଧରେ ନୁହେଁ ସାଧାରଣରେ ସଚେତନତା ପ୍ରସାର ପାଇଁ ଦିନିକିଆ ଅନଶନରେ ବସିଛନ୍ତି ଆରିଫ୍ । ଥିରୁଅନନ୍ତପୁରମର ରାଜଭବନରେ ଦିନିକିଆ ଅନଶନରେ ବସିଛନ୍ତି ରାଜ୍ୟପାଳ । ମହିଳାଙ୍କ ବିରୋଧରେ ବଢୁଥିବା ହିଂସା ଓ ଯୌତୁକ ପ୍ରଥା ବିରୋଧରେ ଆରିଫ୍ ଅନଶନରେ ବସିଥିବା ଜଣାପଡିଛି । ବୁଧବାର ଆରିଫ ମହମ୍ମଦ ଖାନ୍ ଏକ ଦିନ ବ୍ୟାପୀ ଅନଶନରେ ବସିଛନ୍ତି ।

ଯୌତୁକ ପ୍ରଥା ବିରୋଧରେ ବିଭିନ୍ନ ଗାନ୍ଧିବାଦୀ ସଙ୍ଗଠନ ପକ୍ଷରୁ ବାର୍ତ୍ତା ଦିଆଯାଉଥିବା ବେଳେ ଏହାର ସମର୍ଥନରେ ଅନଶନରେ ବସିଥିବା କହିଛନ୍ତି ଆରିଫ । ଯୌତୁକ ଦେବା ଏବଂ ନେବା ପ୍ରତବାଦରେ ଆରିଫ୍ ଏହି ବିରୋଧ ଜାରି ରଖିଛନ୍ତି । ଆରିଫଙ୍କ ଅନଶନକୁ ଉଭୟ ବିଜେପି ଓ କଂଗ୍ରେସ ସମର୍ଥନ ଜଣାଇଛନ୍ତି । ବିଜେପି ନେତା ଭି ମୁରଲୀଧରନ ଏହାକୁ ଏକ ଐତିହାସିକ ଅଧ୍ୟାୟ ବୋଲି କହିଛନ୍ତି । କାହିଁକି ମହିଳାଙ୍କୁ ଅସୁରକ୍ଷିତ ଦର୍ଶାଇ ରାଜ୍ୟପାଳ ଅନଶନରେ ବସିଲେ କେରଳ ସରକାର ତାହାର କାରଣ ଖୋଜିବା ଆବଶ୍ୟକ ବୋଲି ମୁରଲୀଧରନ କହିଛନ୍ତି । ଅନ୍ୟପକ୍ଷରେ କେରଳ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କେ ସୁଧାକରନ ମଧ୍ୟ ରାଜ୍ୟପାଳଙ୍କ ସମର୍ଥନରେ ଏକ ଫେସବୁକ ପୋଷ୍ଟ କରିଛନ୍ତି । ମହିଳାଙ୍କୁ ସୁରକ୍ଷା ଦେବାରେ ପିନରାୟୀ ବିଜୟନ ସରକାର ବିଫଳ ହୋଇଛନ୍ତି ଯେଉଁଥି ପାଇଁ ରାଜ୍ୟପାଳଙ୍କୁ ଅନଶନରେ ବସିବାକୁ ପଡୁଛି ବୋଲି ସେ ନିଜ ପୋଷ୍ଟରେ ଲେଖିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆରିଫଙ୍କ ଅନଶନ ସକାଳ ୮ରୁ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ଯାଏଁଁ ଜାରି ରହିବ । ଏହାପରେ ରାଜ୍ୟପାଳ ଗାନ୍ଧି ଭବନ ଯାଇ ଅନ୍ୟାନ୍ୟ ଗାନ୍ଧିବାଦୀ ନେତାଙ୍କ ସହିତ ମିଶି ଶ୍ରଦ୍ଧାଞ୍ଜଳି ଦେବା ପରେ ନିଜର ଅନଶନ ଭାଙ୍ଗିବେ ବୋଲି ରାଜଭବନ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.