fbpx

ଏହି ରାସନକାର୍ଡଧାରୀଙ୍କୁ ଗହମ, ଚାଉଳ ସହିତ ଚିନି ବି ମିଳୁଛି, କିପରି ପ୍ରସ୍ତୁତ କରିବେ ଏହି କାର୍ଡ ଜାଣନ୍ତୁ

ନୂଆଦିଲ୍ଲୀ: ଗରିବ ରେଖା ତଳେ ରହୁଥିବା ପରିବାର ଲାଗି ସରକାର ଅନ୍ତୋଦୟ ଅନ୍ନ ଯୋଜନା ପରିଚାଳନା କରୁଛନ୍ତି । ଏହି ଯୋଜନା ଜରିଆରେ ପ୍ରତିମାସରେ ଗୋଟିଏ ପରିବାରକୁ ଶସ୍ତାରେ ୩୫ କିଲୋ ଖାଦ୍ୟଶସ୍ୟ ଦିଆଯାଉଛି । ଯୋଜନାରେ ଗହମ ଓ ଚାଉଳ ସହିତ ଚିନି ବି ଦିଆଯାଉଛି । ଗହମ କିଲୋପ୍ରତି ୨ ଟଙ୍କା ଦରରେ ଓ ଚାଉଳ କିଲୋପ୍ରତି ୩ ଟଙ୍କା ଦରରେ ଦିଆଯାଉଛି । ସେହିପରି ଚିନି ବଜାର ଦର ଠାରୁ ୧୮ ଟଙ୍କା କମ୍ ମୂଲ୍ୟରେ ମିଳୁଛି ।

ତେବେ ଅନ୍ତୋଦୟ ଅନ୍ନ ଯୋଜନାର ଲାଭ କେବଳ ସେହି ପରିବାରକୁ ମିଳୁଛି ଯାହାଙ୍କ ପାଖରେ ଅନ୍ତୋଦୟ ରାସନ କାର୍ଡ ରହିଛି । ଏହି ରାସନ କାର୍ଡର ରଙ୍ଗ ଗୋଲାପୀ । ଦେଶରେ ପ୍ରାୟ ୧.୮୯କୋଟି ପରିବାର ନିକଟରେ ଏହି କାର୍ଡ ରହିଛି । ସରକାର ଏବେ ଏହି ଯୋଜନାରେ ଦିଆଯାଉଥିବା ଶସ୍ତା ଚିନିକୁ ଆହୁରି ୨ ବର୍ଷ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ଅନ୍ତୋଦୟ ଅନ୍ନ ରାସନ କାର୍ଡ ଦେଶର ଅତ୍ୟନ୍ତ ଗରିବ ଲୋକଙ୍କ ପାଇଁ ଜାରି କରାଯାଇଛି ଯେଉଁମାନଙ୍କ ପାଖରେ ରୋଜଗାରର କୌଣସି ସ୍ଥାୟୀ ମାଧ୍ୟମ ନାହିଁ । ଏହାସହିତ ଦିବ୍ୟାଙ୍ଗଙ୍କୁ ବି ଅନ୍ତୋଦୟ ଅନ୍ନ ରାସନ କାର୍ଡ ପ୍ରଦାନ କରାଯାଇଥାଏ ।

ଭୂମିହାନ, କୃଷି ଶ୍ରମିକ, ସୀମାନ୍ତ କୃଷକ, ରିକ୍ସାଚାଳକ ଓ ଝୁମ୍ପୁଡି ବସ୍ତିରେ ରହୁଥିବା ଲୋକଙ୍କୁ ଅନ୍ତୋଦୟ ଅନ୍ନ ଯୋଜନାର ଲାଭ ମିଳୁଛି । ବିଧବା କିମ୍ବା ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଯେଉଁମାନଙ୍କ ପାଖରେ ରୋଜଗାରର କୌଣସି ସାଧନ ନାହିଁ ସେମାନେ ମଧ୍ୟ ଅନ୍ତୋଦୟ ଅନ୍ନ ଯୋଜନାର ଲାଭ ପାଇବାକୁ ହକଦାର ।

ତେବେ ଏହି ରାସନ କାର୍ଡ ଲାଗି ଆବେଦନ କରିବାକୁ ହେଲେ ଆପଣଙ୍କ ପାଖରେ ପକ୍କା ଘର ନ ଥିବ ଓ ବାର୍ଷିକ ଆୟ ୨୦ହଜାରରୁ ଅଧିକ ହୋଇ ନ ଥିବ । ଏହାପୂର୍ବରୁ ତାଙ୍କର ଅନ୍ୟ କୌଣସି ରାସନ କାର୍ଡ ବି ନ ଥିବ । ଏହି କାର୍ଡ କରିବା ପାଇଁ ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋ, ଜନ୍ମସ୍ଥାନ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଓ ମୋବାଇଲ ନମ୍ବର ଦେବାକୁ ହେବ । ଏଥିପାଇଁ ଆପଣ ଅନଲାଇନ୍ ଓ ଅଫଲାଇନ୍‌ରେ ଆବେଦନ କରିପାରିବେ । ଅଫଲାଇନରେ ଆବେଦନ ପାଇଁ ରାଜ୍ୟର ଖାଦ୍ୟ ଯୋଗାଣ ବିଭାଗରୁ ଆବେଦନ ଫର୍ମ ନେବାକୁ ହେବ ।

Get real time updates directly on you device, subscribe now.