fbpx

ଇଣ୍ଟରନେଟ୍ ବନ୍ଦ କରାଯାଇ ନିଆଯାଉଛି ସରକାରୀ ଚାକିରୀର ପରୀକ୍ଷା, ରାଜ୍ୟ ସରକାରଙ୍କ ଅଭିନବ ପଦକ୍ଷେପ

ଗୌହାଟୀ: ରବିବାର ଆସାମର ୩୫ ମଧ୍ୟରୁ ୨୬ଟି ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି। ଏହାର କାରଣ ବିନା କୌଣସି ଗଡବଡରେ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଆୟୋଜିତ କରାଯାଇ ପାରିବ। ଆଠ ଦିନରେ ଦ୍ଵିତୀୟ ଥର ଏମିତି ନିର୍ଣ୍ଣୟ ନେଇଛନ୍ତି ଆସାମ ସରକାର। ଆଜି ଲିଖିତ ପରୀକ୍ଷା ପୂର୍ବରୁ ଆସାମରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି।

ଆସାମର ଅନେକ ସରକାରୀ ବିଭାଗରେ ତୃତୀୟ ଶ୍ରେଣୀର ପଦରେ ନିଯୁକ୍ତି ପାଇଁ ରବିବାର ଲିଖିତ ପରୀକ୍ଷା ହେଉଛି। ତେଣୁ ପରୀକ୍ଷା କେମିତି ନିରପେକ୍ଷ ଏବଂ ପାରଦର୍ଶୀତା ସହ ହେବ ତାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ବନ୍ଦ ରଖିବାକୁ ପ୍ରଶାସନିକସ୍ତରରେ ନିଷ୍ପତ୍ତି ନିଆଯାଇଛି। ତେଣୁ ରବିବାର ରାଜ୍ୟର ଅନେକ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ପାଖାପାଖି ଚାରି ଘଣ୍ଟା ପାଇଁ ବନ୍ଦ ରଖାଯାଇଛି। ସରକାରୀ ଆଦେଶରେ ଏହାର ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଇଣ୍ଟରନେଟ୍ ସେବା ବନ୍ଦ କରାଯିବାର ସମୟ ସକାଳ ୧୦ଟାରୁ ୧୨ଟା ଏବଂ ଅପରାହ୍ନ ୨ଟାରୁ ଅପରାହ୍ନ ୪ଟା ପର‌୍ୟ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି। ଏଥିରେ ଲକ୍ଷାଧିକ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ପରୀକ୍ଷା ପୂର୍ବରୁ ଶନିବାର ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଅଧିକାରୀଙ୍କୁ ପରୀକ୍ଷା କେମିତି ସୂଚାରୁ ରୂପେ ଅନୁଷ୍ଠିତ ହେବ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ମୋବାଇଲ ଫୋନକୁ ଅନୁମତି ନାହିଁ

ଅନେକ ସରକାରୀ ଚାକିରିର ପରୀକ୍ଷା ସମୟରେ ପ୍ରଶ୍ନ ପତ୍ର ଲିକ୍ ମାମଲା ପୂର୍ବରୁ ସାମ୍ନାକୁ ଆସି ସାରିଛି। ତେଣୁ ଏଥର ଯେମିତି ଏହି ଅଘଟଣ ନଘଟେ ତେଣୁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଏହା ବ୍ୟତୀତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ଉପକରଣ ନେଇଯିବାକୁ ଅନୁମତି ନାହିଁ।

Get real time updates directly on you device, subscribe now.