ନୂଆଦିଲ୍ଲୀ: ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖବର । ସରକାର ପିଏମ ଆବାସ ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣକୁ ୨୦୨୪ ପର୍ଯ୍ୟନ୍ତ ଜାରି ରଖିବାକୁ ମଞ୍ଜୁରୀ ମିଳିଯାଇଛି । ଆସନ୍ତୁ ଜାଣିବା ତାଜା ଅପଡେଟ ।
ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ଅଧୀନରେ ୨.୯୫ କୋଟି ପକ୍କା ଘର ଆବଣ୍ଟନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ କୋଟି ପକ୍କା ଘର ନିର୍ମାଣ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଅନେକ ପରିବାର ବାକି ରହିଛନ୍ତି, ଏହାକୁ ଦୃଷ୍ଟିରେ ରଖି ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଜାରି ରଖିବାକୁ ଅନୁମୋଦନ ଦିଆଯାଇଛି । ଏଥିରୁ ଲକ୍ଷ ଲକ୍ଷ ଗ୍ରାମବାସୀଙ୍କୁ ଅନେକ ଫାଇଦା ହେବ ।
କ’ଣ କହିଲେ ସରକାର ?
ସରକାର ଦେଇଥିବା ସୂଚନା ଅନୁଯାୟୀ, ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ମୋଟ ଖର୍ଚ୍ଚ ୧,୪୩,୭୮୨ କୋଟି ହେବ ଏବଂ ଏଥିରେ ନାବାର୍ଡକୁ ଲୋନ୍ ସୁଧ ଦେୟ ପାଇଁ ୧୮,୬୭୬ କୋଟି ଟଙ୍କାନ୍ସାମିଲ ରହିଛି । ତେବେ ଏହି ଯୋଜନା ମାଧ୍ୟମରେ ସରକାର ପାହାଡି ରାଜ୍ୟଗୁଡ଼ିକୁ ୯୦ ପ୍ରତିଶତ ଏବଂ ୧୦ ପ୍ରତିଶତ ଆଧାରରେ ମଧ୍ୟ ପେମେଣ୍ଟ କରୁଛନ୍ତି । ବାକି ୬୦ ପ୍ରତିଶତ ଏବଂ ୪୦ ପ୍ରତିଶତ କେନ୍ଦ୍ର ଏବଂ ରାଜ୍ୟ ଦ୍ୱାରା ପେମେଣ୍ଟ କରାଯାଏ । କେନ୍ଦ୍ର ଶାସିତ ଅଞ୍ଚଳରେ ସରକାର ଶତପ୍ରତିଶତ ଟଙ୍କା ଖର୍ଚ୍ଚ କରୁଛନ୍ତି ।
ସୂଚନାଯୋଗ୍ୟ ଯେ, ବିଲଡିଂ ନିର୍ମାଣ ବ୍ୟତୀତ ଦିଆଯାଇଥିବା ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଅଧୀନରେ ଶୌଚାଳୟ ନିର୍ମାଣ ପାଇଁ ସରକାର ୧୨,୦୦୦ ଟଙ୍କା ଦେଉଛନ୍ତି । ଏହି ଯୋଜନା ଅଧୀନରେ ପ୍ରତ୍ୟେକ ପରିବାରକୁ ପକ୍କା ଘର, ଜଳ, ବିଦ୍ୟୁତ୍ ଏବଂ ଶୌଚାଳୟ ଯୋଗାଇବା ପାଇଁ ସରକାରଙ୍କ ସଂକଳ୍ପ ପୂରଣ ହେଉଛି ।