fbpx

ଭାରତ ସରକାରଙ୍କ ତ୍ୱରିତ ଅନଲକ ପ୍ରକ୍ରିୟା ଓ ସାମାଜିକ ସମାବେଶ ହିଁ ଦ୍ଵିତୀୟ ଲହର ପାଇଁ ଦାୟୀ: ହୁ

ଲଣ୍ଡନ: ଦେଶରୁ ପ୍ରଥମ ଲହରର ପ୍ରଭାବ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନଥିବା ବେଳେ ଜୀବନ ଶୈଳୀରେ ସ୍ବାଭାବିକତା ଫେରାଇ ଆଣିବା ଚକରରେ ସରକାର ଦ୍ବିତୀୟ ଲହରର ଆବିର୍ଭାବକୁ ଠିକ୍‌ ରୂପେ ଆକଳନ କରିପାରିନଥିଲେ । ଯାହା ଫଳରେ ଏପରି ଆଗୁଆ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ । ଏହାସହ ସାମାଜିକ ଉତ୍ସବରେ ସମାବେଶକୁ ଅନୁମତି ଦେଇ କୋଭିଡ୍‌ କଟକଣା କୋହଳ କରିଦେବାରୁ ଦ୍ବିତୀୟ ଲହର ସଂକ୍ରମଣ ତ୍ବରିତ ବେଗରେ ବ୍ୟାପିଥିଲା । ଆଉ ପରୋକ୍ଷରେ କହିଲେ ସରକାରଙ୍କ ତ୍ୱରିତ ଅନଲକ ପ୍ରକ୍ରିୟା ଦ୍ଵିତୀୟ ସଂକ୍ରମଣର କାରଣ ବୋଲି ମତ ପ୍ରକାଶ କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ହୁ ।

ଲଣ୍ଡନରେ ଅନୁଷ୍ଠିତ ଜି-୭ ବୈଠକରେ ‘ହୁ’ର ଜରୁରୀକାଳୀନ ସ୍ବାସ୍ଥ୍ୟ ଯୋଜନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିଆନ୍‌ କହିଛନ୍ତି ଯେ, ଡେଲ୍‌ଟା ପରି ଘାତକ ନୂତନ ପ୍ରଜାତିର ସୃଷ୍ଟି ସାଙ୍ଗକୁ ଅସମାନ ଟିକାବଣ୍ଟନ ମଧ୍ୟ ଦ୍ବିତୀୟ ଲହର ଭୟାବହତାକୁ ଯଥେଷ୍ଟ ବଢ଼ାଇ ଦେଇଛି । ଭାରତରେ ମହାମାରୀର ପ୍ରକୋପ ଜାରି ରହିଛି ଏବଂ ଗ୍ରାମା଼ଞ୍ଚଳକୁ ବ୍ୟାପିବା ଦ୍ବାରା ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଭାରତର ଏହି ସ୍ଥିତି ପାଇଁ ଅନୁରୂପ ଭାବେ ସାମାଜିକ ସମାବେଶ ଓ ତରବରିଆ ଅନଲକ ପ୍ରକ୍ରିୟାକୁ ଦାୟୀ କରିଛନ୍ତି ‘ହୁ’ର କୋଭିଡ୍‌ ପରିଚାଳନାର ବୈଷୟିକ ମୁଖ୍ୟ ମାରିଆ ଭାନ୍‌ କେର୍କୋଭ୍‌ ।

ତେବେ କରୋନା ଭୁତାଣୁରୁ ରୂପାନ୍ତରିତ ହୋଇଥିବା ପ୍ରଜାତିଗୁଡ଼ିକ ମଧ୍ୟରେ ରହିଛନ୍ତି ୟୁକେରେ ପ୍ରଥମେ ଠାବ ହୋଇଥିବା ଆଲ୍‌ଫା ପ୍ରଜାତି, ଦକ୍ଷିଣ ଆଫ୍ରିକାର ବିଟା ପ୍ରଜାତି, ବ୍ରାଜିଲର ଗାମା ପ୍ରଜାତି ଓ ଭାରତର ଡେଲ୍‌ଟା ପ୍ରଜାତି । ଏହି ନୂତନ ପ୍ରଜାତିର କରୋନାଭୂତାଣୁ ସଂକ୍ରମଣକୁ କ୍ଷିପ୍ର କରିଦେବା ସମୟରେ ହିଁ ଲୋକମାନେ ସାମାଜିକ ଦୂରତ୍ବ ବଜାୟ ରଖିବା ଛାଡ଼ିଦେଲେ । ସେହିପରି ଭାରତରେ ଉପଲବ୍‌ଧ ଦୁର୍ବଳ ଜନସ୍ବାସ୍ଥ୍ୟ ସେବା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସମାବେଶରେ ଲୋକଙ୍କ ଅବାଧ ମିଳାମିଶା ପରିସ୍ଥିତିକୁ ଆହୁରି ଭୟଙ୍କର କରିଦେଲା ବୋଲି କେର୍କୋଭ୍‌ କହିଛନ୍ତି ।

Get real time updates directly on you device, subscribe now.