fbpx

କେରଳରେ ସିଏଏ ଲାଗୁ କରାଯିବ ନାହିଁ, ମୁଖ୍ୟମନ୍ତ୍ରୀ ବିଜୟନଙ୍କ ରୋକ୍ ଠୋକ୍ ଜବାବ

ନୂଆଦିଲ୍ଲୀ: କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ସ୍ପଷ୍ଟ କରିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ(ସିଏଏ) ଭାରତରେ ଲାଗୁ ହେବ ନାହିଁ। ଦେଶରେ ଧର୍ମ ନିରପେକ୍ଷତା ସମାପ୍ତ କରିବାକୁ ଉଦ୍ୟମ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଗତ ମାସରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ କହିଥିଲେ, କରୋନା ଭାଇରାସ୍ ମହାମାରୀ ସମାପ୍ତ ହେବା ପରେ ଦେଶରେ ସିଏଏ ଲାଗୁ କରାଯିବ।

କେରଳରେ ନିଜ ସରକାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି, ନାଗରିକତା ସଂଶୋଧନ ଆଇନ(ସିଏଏ) ଉପରେ ସରକାରଙ୍କ ମତ ସ୍ପଷ୍ଟ ରହିଛି। ତାହା ହିଁ ଜାରି ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ଦେଶ ଧର୍ମନିରପେକ୍ଷତାର ସିଦ୍ଧାନ୍ତ ଉପରେ କାମ କରିଥାଏ। ସଂପ୍ରତି ଧର୍ମନିରପେକ୍ଷତା ସମାପ୍ତ କରିବାକୁ ଉଦ୍ୟମ କରାଯାଉଛି।

ସେ କହିଛନ୍ତି, ଲୋକଙ୍କ ଏକ ଖାସ୍ ସମୂହ ସିଏଏକୁ ନେଇ ଅଧିକ ଚିନ୍ତିତ। ନିକଟ ଦିନରେ ଲୋକଙ୍କ ଏକ ବର୍ଗ ଧର୍ମ ଆଧାରରେ ନାଗରିକତା ନିଷ୍ପତ୍ତି କରୁଥିଲେ। ଏବେ କେରଳ ସରକାର ସିଏଏ ବିରୋଧରେ କଡା ଆଭିମୁଖ୍ୟ ଆପଣେଇଛନ୍ତି। ନିଜ ରାଜ୍ୟରେ ଏହାକୁ ଲାଗୁ କରିବାକୁ ଦେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ବିଜୟନ ଏହା ମଧ୍ୟ କହିଛନ୍ତି, ଲୋକଙ୍କ ମଧ୍ୟରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ଦେଶର ଅଲଗା ଅଲଗା ଭାଗରେ ଅନେକ ସର୍ଭେ କରାଯାଇଛି। ମାତ୍ର ସମାଜରେ ସବୁଠୁ ଗରିବ ପରିବାରଙ୍କ ଚିହ୍ନଟ ପାଇଁ ସର୍ଭେ କରାଯାଉଛି। ଏହି ସର୍ଭେ ଆଧାରରେ ଆଗାମୀ ପଦକ୍ଷେପ ନିଆଯିବ। ଏସବୁକୁ ଦୃଷ୍ଟିରେ ରଖି ଧର୍ମ ଆଧାରରେ ନାଗରିକତାର ନିଷ୍ପତ୍ତି କରାଯିବ ନାହିଁ ବୋଲି ବିଜୟନ କହିଛନ୍ତି।

ସିଏଏ ୨୦୧୯ ଡିସେମ୍ବର ୧୧ରେ ସଂସଦରେ ପାରିତ ହୋଇଥିଲା। ମାତ୍ର ଏହାକୁ ଲାଗୁ କରାଯିବା ବାକି ରହିଛି। ଏହି ଆଇନ ଆଧାରରେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରେ ଉତ୍ପୀଡନର ଶିକାର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନ ସମୁଦାୟକୁ ନାଗରିକତା ପ୍ରଦାନ କରାଯିବ ବୋଲି କୁହାଯାଇଛି।

 

Get real time updates directly on you device, subscribe now.