Sugar Export: ସରକାରଙ୍କ ବଡ଼ ଘୋଷଣା; ଚଳିତ ବର୍ଷ ଦେଶରୁ ଏତିକି ଚିନି କରାଯିବ ରପ୍ତାନୀ, ଜାଣନ୍ତୁ କାହାକୁ ମିଳିବ ଫାଇଦା
ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ପାଇଁ ଖୁସିର ଖବର। ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଚିନି ରପ୍ତାନୀ କୋଟା ସ୍ଥିର କରିଛନ୍ତି। ବଜାରର ଆଶା ମୁତାବକ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୬୦ ଲକ୍ଷ ଟନ ଚିନି ରପ୍ତାନୀ କରିବାକୁ ସ୍ଥିର କରିଛନ୍ତି। କିନ୍ତୁ ଏହି ନିର୍ଦ୍ଧାରଣ ଗତ ବର୍ଷ ହୋଇଥିବା ରପ୍ତାନୀ ତୁଳନାରେ ବହୁତ କମ। ରପ୍ତାନୀ କୋଟା କମ ରଖିବାର ଉଦ୍ଦେଶ୍ୟ ଘରୋଇ ବଜାରରେ ଚିନିର ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ କରାଯାଇ ପାରିବ।
ଭାରତ ଦୁନିଆର ସବୁଠୁ ବଡ ଚିନି ଉପ୍ତାନୀକାରୀ ଦେଶ। ରପ୍ତାନୀ ମାମଲାରେ ବ୍ରାଜିଲ ପରେ ଭାରତ ଦ୍ଵିତୀୟରେ ରହିଛି। ତେବେ ଚଳିତ ବର୍ଷ ବ୍ରାଜିଲରେ ଆଖୁ ଉତ୍ପାଦନ ହ୍ରାସ ଘଟିଛି। ଫଳରେ ବିଶ୍ଵ ବଜାରରେ ଭାରତୀୟ ଚିନିର ଚାହିଦା ଆହୁରି ବଢି ଯାଇଛି। ସରକାର ପୂର୍ବରୁ ସଙ୍କେତ ଦେଇଥିଲେ ଯେ, ଘରୋଇ ବଜାରରେ ଚାହିଦା ବଢିଲେ ଚିନିର ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ରଖିବା ପାଇଁ ରପାନ୍ତୀ କୋଟାରେ ହ୍ରାସ କରିବେ। ତଥାପି ଉଦ୍ୟୋଗ ଜଗତ ଆଶା ରଖିଥିଲେ ଯେ, ସରକାର ଅତି କମରେ ୮୦ରୁ ୯୦ ଲକ୍ଷ ଟନ ଚିନି ରପ୍ତାନୀର କୋଟା ସ୍ଥିର କରିବେ। ମାତ୍ର ଘରୋଇ ବଜାରରେ ଚାହିଦାକୁ ଦୃଷ୍ଟିରେ ରଖି ସରକାର ୬୦ ଲକ୍ଷ ଟନ ଚିନି ରପ୍ତାନୀ କରିବାକୁ ସ୍ଥିର କରିଛନ୍ତି।
ଗତ ବର୍ଷ ତୁଳନାରେ ଅଧା ହ୍ରାସ
ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଚିନି ମିଲଗୁଡିକର ଗତ ତିନି ବର୍ଷର ଉତ୍ପାଦନକୁ ଦୃଷ୍ଟିରେ ରଖି ୬୦ ଲକ୍ଷ ଟନ ରପ୍ତାନୀ କୋଟା ସ୍ଥିର କରିଛନ୍ତି। ଯଦି ଗତ ଆର୍ଥିକ ବର୍ଷ ଉପରେ ନଜର ପକାଇବା ତେବେ ଭାରତ ମୋଟ୍ ଏକ କୋଟି ୧୦ ଲକ୍ଷ ଚିନି ରପ୍ତାନୀ କରିଥିଲା। ଅର୍ଥାତ ଏଥର ଗତ ବର୍ଷ ତୁଳନାରେ ଅଧା ଚିନି ରପ୍ତାନୀ କରାଯିବ। ସୂଚନାଯୋଗ୍ୟ, ଚିନିର ଆର୍ଥିକ ଅକ୍ଟୋବରରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଥାଏ।
ଉଦ୍ୟୋଗ ଜଗତର କହିବା କଥା ପୂର୍ବରୁ ହିଁ ୫୦ ରୁ ୬୦ ଲକ୍ଷ ଟନ ଚିନି ରପ୍ତାନୀର କୋଟା ମିଳିବ ବୋଲି ଆଶା ରହିଥିଲା। ପ୍ରଥମ ଟ୍ରିପରେ ଏହି ଚିନି ରପ୍ତାନୀ କରାଯିବ। ପରବର୍ତ୍ତୀ ଟ୍ରିପ ପାଇଁ ମଧ୍ୟ ୨୦ରୁ ୩୦ ଲକ୍ଷ ଟନ ଚିନି ରପ୍ତାନୀର କୋଟା ମିଳିପାରେ। ଦେଶରେ ଚିନିର ରେକର୍ଡ ଉତ୍ପାଦନକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ଟ୍ରିପ୍ ଜାରି ରଖିବେ ବୋଲି ଉଦ୍ୟୋଗ ଜଗତ ଆଶା ରଖିଛନ୍ତି।
କେତେ ଚିନି ଉତ୍ପାଦନର ଅନୁମାନ
ଚିନି ଉଦ୍ୟୋଗ ସଂଗଠନ ଇସମାର କହିବା କଥା ଚଳିତ ବର୍ଷ ଦେଶରେ ୩.୬୫ କୋଟି ଟନ ଚିନି ଉତ୍ପାଦନ ହେବ ବୋଲି ଅନୁମାନ କରାଯାଉଛି। ସରକାର ପ୍ରଥମ ଟ୍ରିପ ମେ ମାସ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ ୬୦ ଲକ୍ଷ ଟନ ଚିନିର ରପ୍ତାନୀ ୨୦୨୩ ମେ ମାସ ଭିତରେ କରାଯିବ। ଏହା ପରେ ଦ୍ଵିତୀୟ ଟ୍ରିପ ବି ସ୍ଥିର କରାଯାଇପାରେ।