fbpx

ସରିଲା ଜିପିଆର ସର୍ଭେ, ୧୦ ମିଟର ଭିତର ଚିତ୍ର କହିବ ରତ୍ନଭଣ୍ଡାର ସ୍ଥିତି

ପୁରୀ: ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡର (ଜିପିଆର) ସର୍ଭେ । ଦୁଇ ଦିନ ଧରି ନାସନାଲ ଜୋଗ୍ରାଫିକ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନଜିଆରଆଇ) ଏହି ସର୍ଭେ କରିଥିଲା । ଏଥିରେ ୩ଟି ଆଣ୍ଟିନା ବ୍ୟବହାର କରାଯାଇ ରତ୍ନଭଣ୍ଡାର ଭିତରର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ୭ଟି ପର୍ଯ୍ୟାୟରେ ସର୍ଭେ ହୋଇଥିଲା । ସବୁ ରିପୋର୍ଟକୁ ଏକାଠି କରି ଲ୍ୟାବରେ ଅନୁଧ୍ୟାନ କରିବା ପରେ ଚୂଡାନ୍ତ ରିପୋର୍ଟ ଆସିବ । ତେବେ ଭିତର କାନ୍ଥରେ ହୋଇଥିବା ଫାଟ ଉପରେ ରହିଛି ସମସ୍ତଙ୍କ ନଜର ।

ଏହି ସର୍ଭେ କାମ ୮ ଘଣ୍ଟା ଧରି ଚାଲିଥିଲା । ତିନୋଟି ମେସିନ ବା ଆଣ୍ଟିନାକୁ ବ୍ୟବହାର କରିଥିଲେ ଏନଜିଆରଆଇ ବିଶେଷଜ୍ଞ । ଏଥିରେ ୩ ପ୍ରକାରର କ୍ଷମତା ସମ୍ପନ୍ନ ଆଣ୍ଟିନା ରହିଥିଲା । ଗୋଟିଏ ୨୦୦ ଫ୍ରିକୁଏନଂ୍ସିର ହୋଇଥିବା ବେଳେ ଆନ୍ୟ ଦୁଇଟି ୪୦୦ ଓ ୯୦୦ ଫ୍ରିକୁଏନ୍ସିଂର ଥିଲା । ଭଣ୍ଡାରର ୧୦ ମିଟର ଭିତର ସର୍ଭେ କରାଯାଇଥିଲା ।ତେବେ ପ୍ରାରମ୍ଭିକ ସର୍ଭେ ରିପୋର୍ଟରୁ ଜଣାପଡିଛି ରତ୍ନଭଣ୍ଡାର କାନ୍ଥରେ ଫାଟ ରହିଛି । ଚଟାଣ ତଳେ ମଧ୍ୟ କିଛି ରହିଥିବା ଅନୁମାନ କରାଯାଉଛି । ଆଗରୁ ମଧ୍ୟ ଏଏସଆଇ ରତ୍ନଭଣ୍ଡାରର ବାହାର କାନ୍ଥରେ କରିଥିବା ଲେଜର ସର୍ଭେରୁ କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ଥିବା କହିଥିଲା ।

ତେବେ ନିକଟରେ ୭ ଥରରେ ହୋଇଥିବା ଜିପିଆର ସର୍ଭେର ସବୁ ରିପୋର୍ଟକୁ ଲ୍ୟାବରେ ଏକା ସାଙ୍ଗରେ ଅନୁଶୀଳନ କରିବା ପରେ ଫାଇନାଲ ରିପୋର୍ଟ ପ୍ରକାଶ ପାଇବ । ଏହି ରିପୋର୍ଟରୁ ମନ୍ଦିରକୁ ନେଇ ଥିବା ବହୁ ଦ୍ୱନ୍ଦ୍ୱ ଉପରୁ ପରଦା ହଟିବ । ରତ୍ନଭଣ୍ଡାର କାନ୍ଥରେ ଥିବା ଫାଟ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଚିତ୍ର ଆସିବ । ଫାଟ ହୋଇଥିଲେ, ତାର ସ୍ଥିତି ଜଣାପଡିବ । ଏଥିସହ ଭଣ୍ଡାର ଭିତରେ ସୁଡଙ୍ଗ ଓ ଅଣ୍ଡରଗ୍ରାଉଣ୍ଡ ଥିବା ନେଇ ହେଉଥିବା ବିଭିନ୍ନ କଥା ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.