fbpx

ଗ୍ରେଟର ନୋଏଡାରେ ଭୁଶୁଡ଼ି ପଡ଼ିଲା ବିଲଡିଂର ଲିଫ୍ଟ, ଦୁର୍ଘଟଣାରେ ୪ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭୁଶୁଡ଼ିପଡ଼ିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାସ୍ଥଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିସହ ଏହି ଦୁର୍ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି, ଯାହାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି ।

କୁହାଯାଉଛି ଯେ ବିସରଖା ପୋଲିସ ଷ୍ଟେସନ ପରିସରର ଗୌର ସିଟି ନିକଟରେ ଆମ୍ରାପାଲି ବିଲଡରର ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଲିଫ୍ଟ ହଠାତ୍ ତଳକୁ ଭୁଶୁଡ଼଼ି ପଡ଼ିଥିଲା । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଥିସହ କେହି ସ୍ଥାନୀୟ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି, ଡାକ୍ତରଙ୍କ ଏକ ଟିମ୍ ଚିକିତ୍ସାରେ ନିୟୋଜିତ ଅଛନ୍ତି ।

ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ତେବେ ଏ ବାବଦରେ ଉପସ୍ଥିତ ଶ୍ରମିକଙ୍କ ସହ ଆଲୋଚନା ହୋଇଛି । ଏଥି ସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସୂଚନା ପଠାଇବାକୁ ଉଦ୍ୟମ ଜାରି ରହିଛି । ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ମ୍ୟାନେଜରଙ୍କ ସହ ଯୋଗାଯୋଗ କରିବାରେ ମଧ୍ୟ ଏକ ପୋଲିସ ଟିମ୍ ଲାଗି ପଡ଼ିଛନ୍ତି ।

Get real time updates directly on you device, subscribe now.