fbpx

ଗୋଟିଏ ଦିନରେ ଦୁଇ ଭଉଣୀଙ୍କ ବାହାଘର: ଜଣେ ବର ମାରିଲା ଛକା, ଆଉ ଜଣେ ହେଲା ଶିଶୁପାଳ

ନୂଆଦିଲ୍ଲୀ: ଆଜିକାଲିର ଦୈନନ୍ଦିନ ଜୀବନରେ ବିବାହକୁ ନେଇ ଅନେକ ଅଜବ ପ୍ରକାରର ଘଟଣା ସବୁ ଦେଖିବାକୁ ମିଳୁଛି । କେଉଁଠି ବିବାହ ପୂର୍ବରୁ କନ୍ୟା ଫେରାର ହୋଇଯାଉଛି ତ କେଉଁଠି ବିବାହର ଗୋଟିଏ ଦିନ ପରେ ଡିଭୋର୍ସ ଦେବାକୁ ଜିଦ୍ କରୁଛି ବର । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ । ଡିଜେ ବନ୍ଦ ହେବା କାରଣରୁ ବରଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ଘଟଣା ପରେ କନ୍ୟା ବିବାହ କରିବାକୁ ରୋକଠୋକ୍ ମନା କରିଦେଇଥିଲା ।

ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାରେ ଘଟିଥିବା ଏହି ଘଟଣାଟି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି । ଗୋଟିଏ ପରିବାରର ଦୁଇଜଣ ଯୁବତୀଙ୍କର ବିବାହ ହେବାର ଥିଲା । ପ୍ରଥମ ଝିଅର ବିବାହ ସହଜରେ ସମାପନ ହୋଇଥିଲା । ମାତ୍ର ଦ୍ୱିତୀୟ ଝିଅର ବିବାହ ବେଳକୁ ଲାଗିଥିଲା ଝଟକା । ବରଯାତ୍ର୍ରୀମାନେ ମଦ ପିଇ ଖୁବ୍ ହଙ୍ଗାମା କରିଥିଲେ । ଏହାକୁ ନେଇ ବରପକ୍ଷ ସହ ସ୍ଥାନୀୟ ଲୋକଙ୍କର ମାରପିଟ୍ ହୋଇଥିଲା ।

ତେବେ କନ୍ୟା ଜଣଙ୍କ ବିବାହ କରିବାକୁ ମନା କରିଦେବା ପରେ ବିଚରା ବରକୁ ଶିଶୁପାଳ ହେବାକୁ ପଡ଼ିଥିଲା । ବର ଘୋଡ଼ା ସବାରିରେ ବାଜା, ବାଣରେ ଆସିଥିଲେ ହେଁ ତାକୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା । ତେବେ ସବୁଠାରୁ ମଜାଦାର କଥା ହେଉଛି, ବର କନ୍ୟାର ଘର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା । ବରଯାତ୍ରୀଙ୍କ ଉତ୍ପାତକୁ ଦେଖି ସେଠାରେ ପୋଲିସ ପହଞ୍ଚି ଡିଜେ ବନ୍ଦ କରିଦେଇଥିଲା । ପରେ ପୁନର୍ବାର ଡିଜେର ବନ୍ଦୋବସ୍ତ କରି ବର କନ୍ୟା ଘରକୁ ଯାଇଥିଲେ ହେଁ ସେଠାରେ ପୁଣି ହଙ୍ଗାମା କରିଥିଲା । ପରେ ଏହି ଘଟଣାଟି ଥାନା ପର୍ଯ୍ୟନ୍ତ ଯାଇଥିଲା । ଏପରିକି ବର ଜଣଙ୍କ କନ୍ୟାଙ୍କ ମାତା ପିତାଙ୍କୁ ଗାଳି ଦେଇଥିଲା । ତେବେ ସମସ୍ତ ଘଟଣା ଓ ନିଶାରେ ଟଳମଳ ବରକୁ ଦେଖି କନ୍ୟା ବିବାହ ପାଇଁ ମନା କରିଦେଇଥିଲା ।

Get real time updates directly on you device, subscribe now.