୭୦ ବର୍ଷୀୟା ହାଇଓ୍ୱେ ଡକାୟତ ଆଈ, କରିଥିଲେ ମର୍ଡର, ୧୬ ବର୍ଷ ପରେ…
୧୬ ବର୍ଷ ହେବ ଡକାୟତି ମର୍ଡର କରି ଏ ସ୍ଥାନରୁ ସେ ସ୍ଥାନକୁ ଘୂରି ବୁଲୁଥିଲା ୭୦ ବର୍ଷର ଆଈ।
ଗୁଜୁରାଟ: ୭୦ ବର୍ଷର ଆଈ, ଚମ ଧୁଡୁଧୁଡୁ ହୋଇଗଲାଣି, କିନ୍ତୁ ଗତ ୧୬ ବର୍ଷ ହେବ ସେ ଏ ସ୍ଥାନରୁ ସେ ସ୍ଥାନକୁ ଘୂରି ବୁଲୁଛନ୍ତି। କିନ୍ତୁ ଜଣେ ଯାତ୍ରୀ ହିସାବରେ ନୁୁହେଁ ବରଂ ହାଇଓ୍ୱେ ଡକାୟତି ଏବଂ ହତ୍ୟା ପାଇଁ।
କଥାଟି ଆଶ୍ଚର୍ଯ୍ୟ ଲାଗୁଛିନା। ହେଲେ ଘଟଣାଟି ସତ। ଜଣେ ୭୦ ବର୍ଷର ଆଈ ହାଇଓ୍ୱେ ଡକାୟତି ଓ ପରେ ମର୍ଡର କେସରେ ଲିପ୍ତ ଅଛନ୍ତି। ଆଉ ପୋଲିସ ପାଖରୁ ଲୁଚି ଗତ ୧୬ ବର୍ଷ ହେବ ଏ ସ୍ଥାନରୁ ସ୍ଥାନକୁ ଘୂରି ବୁଲୁଛି।
ଡକାୟତ ଆଈ: ବୃଦ୍ଧା ଆଈ, ନାଁ ତାଙ୍କର ଜମନା ଅର୍ଜୁନ ଚୁନାରା ଗୁଜୁରାଟର ବିଭିନ୍ନ ସ୍ଥାନ ବୁଲୁଛନ୍ତି। କିନ୍ତୁ ସୋଉକରେ ନୁହେଁ ପୋଲିସ ପାଖରୁ ଲୁଚି। କାରଣ ସେ ସିନା ବୃଦ୍ଧା ହୋଇଗଲେଣି, ଚମଡା ତାଙ୍କର ଧୁଡୁଧୁଡୁ ହୋଇଗଲାଣି, ହେଲେ ସେ ଜଣେ ସିରିଏଲ ଡକାୟତ ସାଙ୍ଗକୁ ହତ୍ୟାକାରୀ।
ହେଲେ ଚୋର ଘର ସବୁଦିନ ଅନ୍ଧାର ନଥାଏ ପରା। ସେହିପରି ଆଈ ଜମାନା ଯେତେ ଲୁଚି ଲୁଚି ବୁଲିଲେ ସୁଦ୍ଧା ପୋଲିସ ହାତରେ ଧରା ପଡିଛନ୍ତି। ୧୬ ବର୍ଷ ଧରି ଚୋର ପୋଲିସ ଖେଳରେ ପୂର୍ଣ୍ଣଚ୍ଛେଦ ପଡିଛି। ଆଉ ମଙ୍ଗଳବାର ଦିନ ଆଈଙ୍କୁ ତାଙ୍କ ଝିଅ ଘରୁ ଗିରଫ କରିଛି ଅହମଦାବାଦ ଗ୍ରାମୀଣ ପୋଲିସ।
କେଉଁ ଅପରାଧ କରିଥିଲେ ଆଈ: ୨୦୦୯ ମସିହା ମାର୍ଚ୍ଚ ମାସ ୧୮ ତାରିଖ। ଶୀତ ରାତି, ଏକ ଦମ୍ପତ୍ତି ଅହମଦାବାଦର ଘାଟଲୋଡିଆରେ ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟରୁ ଫେରୁଥିଲେ।
ରାତି ପ୍ରାୟ ୯ଟା ସମୟ ହେବ, କାମୋଦ ଏବଂ ଇନ୍ଦିରାନଗର ମଝିରେ, କିଛି ଲୋକ ଆସି ଦମ୍ପତ୍ତିଙ୍କୁ ଅଟକାଇଲେ। ଏବଂ ଦମ୍ପତ୍ତିଙ୍କୁ ଏକ ବ୍ୟାଟରେ ପିଟିପିଟି ଲହୁ ଲୁହାଣ କରି ତାଙ୍କ ପାଖରୁ ଟଙ୍କା, ମୋବାଇଲ ଫୋନ୍, ସୁନା ଗହଣା ସବୁ ଲୁଟି ନେବା ସହ ଦରମରା କରି ରାସ୍ତାରେ ଫୋପାଡି ଚାଲିଗଲେ।
ସେପଟେ ରାସ୍ତାରେ ପଡି ଛଟପଟ ହେଉଥିଲେ ଦମ୍ପତ୍ତି। ଆଉ ସେହି ରାସ୍ତା ଦେଇ କିଛି ଲୋକ ଯିବା ସମୟରେ ଦମ୍ପତ୍ତିଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଦେଖିଲେ। ଆଉ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ। ହେଲେ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।
୮ ଜଣ ଗିରଫ: ଯେଉଁ ଜଣେ ବଞ୍ଚିଯାଇଥିଲେ ସେ ଆସି ଥାନାରେ ଅଭିଯୋଗ କଲେ। ଆଉ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ପ୍ରଥମେ FIR ରୁଜୁ କରାଯାଇଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଠ ଜଣଙ୍କୁ ଗିରଫ କରାଯାଇଥିଲା। ଯେଉଁଥିରୁ ସାତ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡ ଦିଆଯାଇଥିଲା। କିନ୍ତୁ ଆଈ ଜମନା ନିଖୋଜ ଥିଲେ।
ନିଖୋଜ ଥିଲେ ଆଈ: ସାଥୀମାନେ ଗିରଫ ହେବା ପରେ ପୋଲିସ ପାଖରୁ ଲୁଚି ବିଭିନ୍ନ ସ୍ଥାନ ବୁଲୁଥିଲା ଜମନା ଆଈ। ଯେତେବେଳେ କି ଜମନାଙ୍କ ସ୍ୱାମୀ ଏବଂ ପୁଅକୁ ଅନେକ ମାମଲାରେ ଗିରଫ କରି ଦୋଷୀ ସାବ୍ୟସ୍ତ କରିଥିଲା ପୋଲିସ।
ଦୁହେଁ ସେମାନଙ୍କର ଦଣ୍ଡ ଭୋଗି ଏବଂ ସଜା କାଟିବା ପରେ ଜେଲରୁ ମୁକ୍ତ ହୋଇଥିଲେ, କିନ୍ତୁ ଜମନାଙ୍କ କୌଣସି ସନ୍ଧାନ ମିଳିନଥିଲା। ମଙ୍ଗଳବାର ଦିନ ତାଙ୍କ ଝିଅକୁ ଭେଟିବା ପାଇଁ ଅସଲାଲି ଯିବା ସମୟରେ ପୋଲିସ ଜମନାଙ୍କ ସନ୍ଧାନ ପାଇଥିଲା। ଆଉ ତାଙ୍କ ଘରୁ ଗିରଫ କରିବାରେ ସଫଳ ହୋଇଥିଲା।