fbpx

ଗୁୁଜୁରାଟ ବିଷାକ୍ତ ମଦ ମୃତ୍ୟୁ ମାମଲା: ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି, ଫ୍ୟାକ୍ଟ୍ରି ମାଲିକଙ୍କ ସହ ୧୦ ଗିରଫ

Advertisement

ଅହମ୍ମଦାବାଦ୍‌ : ଗୁଜରାଟରେ ମଦକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି । ତେବେ ମଦ ମିଳୁନଥିବା ଗୁଜରାଟରେ କେତେକ ଅସାଧୁ ବ୍ୟବସାୟୀ ବିଷାକ୍ତ ମଦ କାରବାର ଲୁଚାଛପାରେ କରୁଥିବା ପ୍ରମାଣ ମିଳିଛି । ବିଷାକ୍ତ ମଦ ପିଇ ୨୮ଜଣଙ୍କର ମୃତ୍ୟୁ ହେବା ପରେ ଏବେ ଏ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଏଥିରେ ୪୦ରୁ ଅଧିକ ଅସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ପୋଲିସ ଫ୍ୟାକ୍ଟ୍ରି ମାଲିକ ସମେତ ୧୦ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ଗୁଜରାଟ ପୋଲିସ ମହାନିର୍ଦ୍ଦେଶକ ଆଶିଷ ଭାଟ୍ଟିଆ ସୂଚନା ଦେଇଛନ୍ତି ।

ଗୁଜରାଟର ବାରଭାଲ୍ଲା ଓ ବୋତାଡ ସହରରେ ବିଷାକ୍ତ ମଦ ପିଇ କିଛି ଲୋକଙ୍କର ମୃତ୍ୟୁ ଘଟିବା ପରେ ଏହି ବିଷାକ୍ତ ମଦ କାରବାର ହେଉଥିବା ଲୋକଲୋଚନକୁ ଆସିଛି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮ଜଣଙ୍କ ଜୀବନ ଯାଇଥିବାବେଳେ ପରେ ଆଉ ୨୦ଜଣ ଆଖି ବୁଜିଥିଲେ । ଅସୁସ୍ଥ ଥିବା ୪୦ଜଣଙ୍କୁ ସବୁ ପ୍ରକାରର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି ।

ଜଣେ ଅସୁସ୍ଥଙ୍କ ପତ୍ନୀ କହିଛନ୍ତି ଯେ, ମୋ ସ୍ୱାମୀ ଭାଟିରୁ ମଦ ପିଇ ଘରକୁ ଆସିବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତେବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଆଉ କିଛି କହିଛନ୍ତି ଯେ, ବେଆଇନ ମଦ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କଠାରୁ ମଦ କିଣି ପିଇବା ପରେ ୧୫ଜଣ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ପ୍ରଶ୍ନ ଉଠୁଛି ମଦ ନିଷିଦ୍ଧ ଥିବା ରାଜ୍ୟରେ ମଦ ବିକ୍ରି ହେଉଛି କିପରି? ସ୍ଥାନୀୟ ପ୍ରଶାସନ ଓ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ଭାବନଗର ଆଇଜି ଅସୁସ୍ଥଙ୍କୁ ହସ୍ପିଟାଲରେ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ଏସ୍‌ପୀ ପାହ୍ୟାର ଜଣେ ଅଧିକାରୀଙ୍କୁ ନେଇ ଏସ୍‌ଆଇଟି ଗଠନ କରାଯାଇଛି । ବେଆଇନ ମଦ ବିକ୍ରି କରୁଥିବା ଲୋକଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଗିରଫ ହୋଇଥିବା ୧୦ଜଣଙ୍କ ଘରୁ ବିଭିନ୍ନ ପ୍ରକାର କେମିକାଲ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ପୋଲିସର ପ୍ରାଥମିକ ସୂଚନା ମୁତାବକ ମଦ ନୁହେଁ ବରଂ ଫ୍ୟାକ୍ଟ୍ରି ମାଲିକ ଅଧିକ ନିଶା ପାଇଁ କେମିକାଲ ପାଉଚ୍‌ କରି ଏହାକୁ ବିକ୍ରି କରୁଥିଲେ । ଯାହାକୁ ପିଇ ଲୋକେ ପ୍ରାଣ ହରାଇଛନ୍ତି । ଏହା ଏକ ରୀତିମତ ଷଡ଼ଯନ୍ତ୍ର ବୋଲ ସୂଚନା ଦିଆଯାଇଛି । ଏଠାରେ ଥିବା ଇମୋସ ନାମକ ଏକ କମ୍ପାନୀ ମିଥାଇଲ୍‌ ପ୍ରସ୍ତୁତ କରେ । କମ୍ପାନୀର ଗୋଦାମ ମ୍ୟାନେଜର ଗୋଦାମରୁ ପାଖାପାଖି ୨୦୦ ଲିଟର କେମିକାଲ ଚୋରାରେ ନେଇ ବାହାରେ ୬୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ଏହାକୁ କିଛି ଯୁବକ ପାଉଚ୍‌ ଭାବେ ପ୍ରସ୍ତୁତ କରି ମଦ ନାଁରେ ବିକିଥିଲେ । ଯାହାକୁ ପିଇ ଲୋକଙ୍କ ଜୀବନ ଯାଇଛି । ଏବେ ବି ବହୁ ଲୋକ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଯୁବକଙ୍କୁ ଗିରଫ କରାଯାଇ ହତ୍ୟା ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.