fbpx

୪୦ ପ୍ରତିଶତ କର୍କଟ ରୋଗର କାରଣ ଗୁଟଖା: ବିଶ୍ୱ କର୍କଟ ଦିବସରେ ଡାକ୍ତରଙ୍କ ଆହ୍ୱାନ

କଟକ: ବିଭିନ୍ନ କାରଣରୁ ଏବେ ଆମ ଦେଶ ତଥା ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବହୁଳ ବୃଦ୍ଧି ପାଇବାରେ ଲାଗିଛି । କେବଳ ତମାଖୁ ନୁହେଁ ବିଭିନ୍ନ ପ୍ରକାର ନିଶା ବା ମାଦକ ଦ୍ରବ୍ୟ ସେବନ ଦ୍ୱାରା କର୍କଟ ରୋଗୀଙ୍କ ସଂଖ୍ୟା ବଢିଛି । ୪୦ ପ୍ରତିଶତ କର୍କଟ ତମାଖୁ ସେବନ ହେତୁ ହୋଇଥାଏ ଏବଂ ବର୍ତ୍ତମାନ ଏହି ରୋଗ ୨୦-୨୫ ବର୍ଷର ଯୁବକମାନଙ୍କ ମଧ୍ୟରେ ଅଧିକ ଦେଖାଯାଉଛି ।

ଆଇସିଏମଆର୍ ରିପୋର୍ଟ ମୁତାବକ ୨୦୨୧ ମସିହାରେ ମୋଟ କ୍ୟାନସରର ୩୩.୩% ତମାଖୁ ବ୍ୟବହାର ଯୋଗୁଁ ଲୋକମାନେ କର୍କଟ ରୋଗରେ ପୀଡ଼ିତ ହୋଇଥିବା ଜଣାଯାଇଛି । ଏଥିମଧ୍ୟରୁ ୪୮.୭% ପୁରୁଷ ଓ ୧୬.୫% ମହିଳା କ୍ୟାନସରରେ ପୀଡ଼ିତ ହୋଇଛନ୍ତି ବୋଲି ମେଡିକାଲ୍ ଅଙ୍କୋଲୋଜିଷ୍ଟ୍ ଡାକ୍ତର ପ୍ରଶାନ୍ତ କୁମାର ପରିଡା ପ୍ରକାଶ କରିଛନ୍ତି ।

ସ୍ଥାନୀୟ ଗାନ୍ଧୀଭବନରେ ସ୍ୱେଛାସେବୀ ସଂଗଠନ ଶୋଭା ପକ୍ଷରୁ ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତର ପରିଡା କହିଲେ ଯେ ସମଗ୍ର ଏସିଆ ମହାଦେଶରେ ମହିଳାମାନଙ୍କ ମଧ୍ୟରେ ଫୁସଫୁସ କର୍କଟ ଜନିତ ରୋଗ ସର୍ବାଧିକ ବୃଦ୍ଧିପାଇଛି । ତମାଖୁ ଏବଂ ବାୟୂପ୍ରଦୂଷଣ ସହ ଜଡ଼ିତ ରୋଗ କର୍କଟର ମୂଳ କାରଣ ହୋଇଥିବାବେଳେ ‘ଗ୍ଲୋବାଲ ବର୍ଡେନ ଅଫ୍ ଡିଜିଜ୍ ଷ୍ଟଡ଼ି’ ମୁତାବକ ଭାରତରେ ମହିଳାମାନଙ୍କୁ ସର୍ବାଧିକ ସ୍ତନ କର୍କଟ ରୋଗ ହେଉଛି । ସେହିପରି ସେମାନଙ୍କଠରେ ଗର୍ଭାଶୟ କର୍କଟ, କୋଲେନ କର୍କଟ, କୋଲନ ଏବଂ ରେକ୍ଟମ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି ।

ସେ କହିଲେ ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ପାଇବାର ଆଶଙ୍କା ଥିବାବେଳେ ୨୦୨୫ ସୁଦ୍ଧା ଭାରତରେ ଏହାର ସଂଖ୍ୟା ୧୫.୬୯ ଲକ୍ଷ ଅତିକ୍ରମ କରିବ । କାର୍ଯ୍ୟକ୍ରମରେ ସର୍ଜିକାଲ୍ ଅଙ୍କୋଲୋଜିଷ୍ଟ୍ ଡାକ୍ତର ଜ୍ୟୋତିରଞ୍ଜନ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଲୋକମାନଙ୍କ ଭିତରେ କର୍କଟ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟ କରିବା ପାଇଁ ପ୍ରତିବର୍ଷ ଫେବୃୟାରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀ ସଂଗଠନ ଶୋଭାର ସଭାପତି ମଣିମାଳା ସେନାପତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁପମା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.