କାର୍ତ୍ତିକ ପାଇଁ ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କ ଜମିଲାଣି ଭିଡ଼, ଦର୍ଶନ ବ୍ୟବସ୍ଥା ପାଇଁ ଲାଗୁ ହେଲା କଟକଣା

ପୁରୀ: ଆଜି ଠାରୁ ଆରମ୍ଭ ହେଉଛି କାର୍ତ୍ତିକ ମାସ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ଆସନ୍ତା ୧୮ ତାରିଖରୁ ଭକ୍ତମାନେ ଦୁଇଟି ଦ୍ୱାର ଅର୍ଥାତ୍‌ ସିଂହଦ୍ୱାର ଓ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରିପାରିବେ । ସେହିଭଳି ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନି ଦ୍ୱାର ପଶ୍ଚିମଦ୍ୱାର, ଉତ୍ତରଦ୍ୱାର ଓ ଦକ୍ଷିଣଦ୍ବାର ଦେଇ ପ୍ରସ୍ଥାନ କରିବେ । ସିଂହଦ୍ୱାରରେ ପ୍ରସ୍ଥାନ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିଛି । କେବଳ ସେବାୟତ ଓ ସେବକଙ୍କ ପରିବାର ସଦସ୍ୟଙ୍କ ପାଇଁ ଏହି ବ୍ୟବସ୍ଥା ପ୍ରଯୁଜ୍ୟ ନୁହେଁ ବୋଲି ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ଆସନ୍ତା ୧୮ ତାରିଖରୁ ହବିଷିଆଳିମାନେ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ପାଳନ କରିବେ । ଏଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିବ । ହବିଷିଆଳିମାନେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବେ । ଭିଡ଼କୁ ଦୃଷ୍ଟିରେ ରଖିବା ସହ ମହାପ୍ରଭୁଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରିବା ସହ ଦର୍ଶନ ବ୍ୟବସ୍ଥାରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀ ପାଢ଼ୀ । ତେବେ ଏହି ନୂଆ ଦର୍ଶନ ବ୍ୟବସ୍ଥା କେତେଦିନ ଧରି ଚାଲିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନାହିଁ ।

Get real time updates directly on you device, subscribe now.