ଝାରପଡ଼ା ଜେଲରେ ହଂସିତା-ଅନିଲଙ୍କୁ ପୁଣି ଜେରା, ଠକେଇ ସହ କରୁଥିଲେ ଯୁବତୀ ଚାଲାଣ

ଆୟକର ବିଭାଗ ପକ୍ଷରୁ ହଂସିତା-ଅନିଲଙ୍କୁ ପୁଣି ଜେରା, ବେନାମୀ ସମ୍ପତ୍ତି ନେଇ ଉଭୟଙ୍କୁ ପଚରାଉଚରା

ଭୁବନେଶ୍ୱର: ଝାରପଡ଼ା ଜେଲରେ ହଂସିତା-ଅନିଲଙ୍କୁ ପୁଣି ଜେରା କରାଯାଉଛି । ଆୟକର ବିଭାଗ ପକ୍ଷରୁ ଏହି ଜେରା କରାଯାଉଥିବା ଜଣାପଡିଛି । ବେନାମୀ ସମ୍ପତ୍ତି ନେଇ ଉଭୟଙ୍କୁ ପଚରାଉଚରା କରାଯାଉଛି । ଆୟକର ବିଭାଗର ୨ଟି ଟିମ୍ ପକ୍ଷରୁ ଜେରା କରାଯାଉଛି ।

ସୂଚନା ମୁତାବକ, ଆୟକର ବିଭାଗ ପାଖରେ ବେନାମୀ ସମ୍ପତ୍ତି ଥିବା ପ୍ରମାଣ ମିଳିଛି । ପୂର୍ବରୁ ୧୬ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ମାମଲାରେ ଶହେ କୋଟିରୁ ଅଧିକ ସମ୍ପତ୍ତି ଠାବ କରାଯାଇଛି । ଏହା ସହିତ ୫୮ କୋଟି ଟଙ୍କାର ବେନାମୀ ସମ୍ପତ୍ତିର ପ୍ରମାଣ ମିଳିଛି ।

ତେବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଜ୍ୱାଇଁର ପରିଚୟ ଦେବା ସହ ନାମ ପରିବର୍ତ୍ତନ କରି ବଡ଼ବଡ଼ିଆଙ୍କୁ ଠକିଥିବା ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା ଅଭିଲିପ୍‌ସା ଓରଫ ବିଷ୍ଣୁପ୍ରିୟା ଚାନ୍ଦ ଓ ଅନିଲ କୁମାର ମହାନ୍ତି ଏବେ ଝାରପଡା ଜେଲରେ ଦିନ କାଟୁଛନ୍ତି। ଏପଟେ ପୋଲିସ ତଦନ୍ତରୁ ଏମାନଙ୍କ କଳା ସାମ୍ରାଜ୍ୟର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କେବଳ ଠକେଇ ନୁହେଁ, ହଂସିତା ଓ ଅନିଲ ଯୁବତୀ ଚାଲାଣରେ ସମ୍ପୃକ୍ତ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି ।

ପୋଲିସ ତଦନ୍ତ ବେଳେ ହଂସିତାଙ୍କ ମୋବାଇଲ ଓ ଲାପ୍‌ଟପ୍‌ରୁ ବହୁ ସୁନ୍ଦରୀ ଯୁବତୀଙ୍କ ଫଟୋ ମିଳିଛି। ଏଥିସହ ବିଭିନ୍ନ ଗ୍ରାହକ ଓ ଏଜେଣ୍ଟଙ୍କ ସହ ଯୁବତୀଙ୍କ ଫଟୋ ପଠାଇ ଟଙ୍କା ଡିଲ୍‌ କରାଯାଇଥିବା ମଧ୍ୟ ଚାର୍ଟରୁ ପ୍ରମାଣ ମିଳିଛି। ଅନ୍ୟପକ୍ଷରେ ହଂସିତା ଓ ଅନିଲ ସେମାନଙ୍କ ଘନିଷ୍ଠ ସମ୍ପର୍କୀୟଙ୍କୁ ରୁଷୀୟ ଯୁବତୀ ମଧ୍ୟ ଉପହାର ଆକାରରେ ଭେଟି ଦେଉଥିଲେ। ପ୍ରତିବର୍ଷ ଡିସେମ୍ବର ୨୪ରେ ଅନିଲ ଧୁମଧାମ୍‌ରେ ଜନ୍ମଦିନ ପାଳନ କରୁଥିଲେ। ଏହି ଜନ୍ମଦିନ ପାର୍ଟିକୁ ରୁଷୀୟ ଯୁବତୀମାନଙ୍କୁ ସେମାନେ ଆଣୁଥିଲେ। ଏହି ପାର୍ଟିରେ ଯୋଗ ଦେଉଥିବା ବହୁ ବଡ଼ବଡ଼ିଆ ଅତିଥିମାନଙ୍କୁ ଯୁବତୀ ଭେଟି ଦିଆଯାଉଥିବା ପୋଲିସ ପ୍ରମାଣ ପାଇଛି।