fbpx

କାହିଁକି ମାର୍ଚ୍ଚ ୮ ରେ ପାଳନ କରାଯାଏ ମହିଳା ଦିବସ ? ଜାଣନ୍ତୁ ଏହାର ପଛରେ ଥିବା ନାରୀ ଆନ୍ଦୋଳନର ଇତିହାସ

ନୂଆଦିଲ୍ଲୀ:ଏପରି ତ ଆମ ଜୀବନରେ ଥିବା ପ୍ରତିଲୋକଙ୍କର ଏକ ବିଶେଷ ସ୍ଥାନ ରହିଥାଏ। କିନ୍ତୁ ବିଶେଷ କରି ମହିଳାମାନେ ଆମ ଜୀବନରେ ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

କେବେ ମା’ ଭାବରେ, କେବେ ଭଉଣୀ ଭାବରେ ତ କେବେ ଜଣେ ପତ୍ନୀ ଭାବରେ । ତେଣୁ ପୂରା ବିଶ୍ବର ମହିଳାମାନଙ୍କ ଜୀବନରେ ସୁଧାର ଆଣିବା ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରତି ବିଷୟକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଆଜି ପୂରା ବିଶ୍ଵ ପାଳନ କରୁଛି ମହିଳା ଦିବସ ।

ଆନ୍ଦୋଳନରୁ ଆରମ୍ଭ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ:
ଏହି ଦିବସ ପାଳନ କରିବା ପଛର ଇତିହାସରୁ ଜଣାପଡ଼େ ଯେ ୧୯୦୮ ମସିହାରେ ପ୍ରଥମେ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସର ପ୍ରାରମ୍ଭ ହୋଇଥିଲା । ଏହି ଦିନର ପ୍ରାରମ୍ଭ ହୋଇଥିଲା ଏକ ଆନ୍ଦୋଳନ ଭାବରେ। ୧୯୦୮ରେ ଆମେରିକାର ନ୍ୟୁୟର୍କରେ ପାଖାପାଖି ୧୫ ହଜାର ମହିଳା ମାର୍ଚ୍ଚ କରି ଚାକିରି କ୍ଷେତ୍ରରେ କମ୍ ସମୟ, ଅଧ୍ୟକ ପରିମାଣରେ ଅର୍ଥ ଓ ଭୋଟିଂର ଅଧ୍ୟାକାର ପାଇଁ ଦାବି କରିଥିଲେ । ଏହାର ଏକ ବର୍ଷ ପରେ ପ୍ରଥମେ ଆମେରିକାର ସୋସିଆଲିଷ୍ଟ ପାର୍ଟିର ଆହ୍ବାନକ୍ରମେ ଏହି ଦିବସକୁ ୨୮ ଫେବୃଆରୀ, ୧୯୦୯ରେ ରାଷ୍ଟ୍ରୀୟ ସ୍ତରରେ ପାଳନ କରାଯାଇଥିଲା । ପରେ ୧୯୧୦ରେ କୋପେନହେଗନ୍ ସମ୍ମିଳନୀରେ ଏହାକୁ ଅନ୍ତଃରାଷ୍ଟ୍ରୀୟ ଦିବସ ଭାବରେ ମାନ୍ୟତା ଦିଆଗଲା ।

କ୍ଲାରା ଜେଟ୍‌କିନ୍‌ ନାମକ ଜଣେ ମହିଳା ପ୍ରଥମେ ଏହି ଦିବସକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଆଜିର ଦିନରେ ରୁଷର ମହିଳାମାନେ ବ୍ରେଡ୍ ଆଣ୍ଡ୍ ପିସ୍‌ର ଦାବି କରି ୧୯୧୭ରେ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ଫେବୃଆରୀର ଶେଷ ରବିବାରରେ ଆରମ୍ଭ ହୋଇଥିଲା। ଏହା ଏକ ଐତିହାସିକ ଆନ୍ଦୋଳନ ଥିଲା । ଯେତେବେଳେ ରୁଷର ଜାର୍ ଶାସନ ଛାଡ଼ିଲେ ସେଠିକାର ମଧ୍ୟବର୍ତ୍ତୀ ସରକାର ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ଦେଇଥିଲେ। ଯେଉଁଦିନ ରୁଷୀ ମହିଳାମାନେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ ସେଦିନ ଥିଲା ଜୁଲିଆନ୍ କ୍ୟାଲେଣ୍ଡର ଅନୁସାରେ ୨୩ ଫେବୃଆରୀ । କିନ୍ତୁ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁସାରେ ସେ ଦିନଟି ଥିଲା ମାର୍ଚ୍ଚ ୮ ତାରିଖ । ସେବେଠାରୁଆଜିର ଦିନରେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମହିଳା ଦିବସ ପାଳନ କରାଯାଉଛି ।

ନାରୀର ଜୀବନ ସଂଘର୍ଷ ପୂର୍ଣ୍ଣ । ଆଉ ଯେତେ ସମୟ ବିତିଗଲେ ମଧ୍ୟ ଏଥିରେ ପରିବର୍ତ୍ତନ ହେବ ନାହିଁ । ବରଂ ଏହି ସଂଘର୍ଷ ବଢ଼ି ଚାଲିବ । କିନ୍ତୁ ନାରୀ ଏବେ ଲଢ଼ିବା ଶିଖିଲାଣି। ନିଜକୁ ଆତ୍ମନିର୍ଭର କରିବା ସହିତ ଏବେ ସେ ନିଜର ହକ ଆଉ ନିଜ ପାଇଁ କେଉଁଟା ଠିକ ଆଉ ଭୁଲ ତାହା ବିଚାରି କାମ କରିଲାଣି । ଅବଳା ଆଉ ଦୁର୍ବଳା ନୁହେଁ ସେ ଶକ୍ତିର ସ୍ରୋତ ଆଉ ପ୍ରଗତୀର ପଥରେ ଚାଲିବା ଶିଖିଲାଣି ।

Get real time updates directly on you device, subscribe now.