fbpx

World Cupରୁ ବାଦ୍ ପଡ଼ିବେ ହାର୍ଦ୍ଦିକ ପାଣ୍ଡ୍ୟା? ତେବେ କେଉଁ ଖେଳାଳିଙ୍କୁ ସୁଯୋଗ ଦେବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଆହତ ହୋଇ ପାଭିଲିୟନକୁ ଫେରି ଯାଇଛନ୍ତି ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଗୋଡ଼ରେ ଆଘାତ ଲାଗିଥିବାରୁ ସମ୍ପୂର୍ଣ୍ଣ ମ୍ୟାଚରେ ସେ ବୋଲିଂ କିମ୍ବା ଫିଲ୍ଡିଂ କରିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ତେଣୁ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଗୋଡ଼ର ସ୍କାନ କରିବା ପାଇଁ ହାର୍ଦ୍ଦିକଙ୍କୁ ବର୍ତ୍ତମାନ ମେଡିକାଲକୁ ପଠାଯାଇଛି । ତେବେ ସ୍କାନ ପରେ ଆଘାତର ଗମ୍ଭୀରତା ବିଷୟରେ ଜଣାପଡ଼ିବ ବୋଲି କୁହାଯାଇଛି । କିନ୍ତୁ ଆଘାତ ଅଧିକ ହେଲେ ସେ ସମ୍ପୂର୍ଣ୍ଣ ବିଶ୍ୱକପରୁ ବାଦ୍ ପଡ଼ିପାରନ୍ତି । ଏମିତି ହେଲେ କେଉଁ ଖେଳାଳିଙ୍କୁ ତାଙ୍କ ସ୍ଥାନରେ ବିଶ୍ୱକପ ପାଇଁ ଚୟନ କରିବ ବିସିସିଆଇ? ଏହି ତାଲିକାରେ ୪ ଜଣ ଅଲରାଉଣ୍ଡର ସାମିଲ ଅଛନ୍ତି ।

ହାର୍ଦ୍ଦିକଙ୍କ ଆଘାତ ପରେ ତାଙ୍କୁ ମେଡିକାଲ ପଠାଯାଇଥିବା ସୂଚନା ଦେଇଛି ବିସିସିଆଇ । ଏହାପରେ ରିପୋର୍ଟ ଅନୁସାରେ, ତାଙ୍କର ଏହି ମ୍ୟାଚରେ ଖେଳିବା ଉପରେ ନିଷ୍ପତ୍ତି ନିଆଯିବ । ଏହା ଉପରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଖେଳିବା ମଧ୍ୟ ନିର୍ଭର କରିବ । ତେବେ ଯଦି ଆହତ ସମସ୍ୟା ଯୋଗୁଁ ସେ ବିଶ୍ୱକପରୁ ବାଦ୍ ପଡ଼ନ୍ତି, ତେବେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ? ଏହି ତାଲିକାରେ ୪ ଜଣ ଅଲରାଉଣ୍ଡର ସାମିଲ ରହିଛନ୍ତି । ଅକ୍ସର ପଟେଲ, ଦୀପକ ଚହର, ଶିବମ୍ ଦୁବେ ଏବଂ ୱାଶିଂଟନ ସୁନ୍ଦର ଏହି ତାଲିକାରେ ରହିଛନ୍ତି ।

ଅକ୍ସର ପଟେଲ: ବିଶ୍ୱକପ ପାଇଁ ବିସିସିଆଇର ପ୍ରଥମ ପସନ୍ଦ ରହିଥିଲେ ଅକ୍ସର ପଟେଲ । କିନ୍ତୁ ଆହତ ସମସ୍ୟା ପାଇଁ ସେ ଶେଷ ମୁହୂର୍ତ୍ତରେ ଦଳରୁ ବାଦ୍ ପଡ଼ିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ସୁଯୋଗ ମିଳିଛି । କିନ୍ତୁ ବର୍ତ୍ତମାନ ହାର୍ଦ୍ଦିକ ବାଦ୍ ପଡ଼ିଲେ ତାଙ୍କୁ ଦଳରେ ସାମିଲ କରିପାରେ ବିସିସିଆଇ ।

ଦୀପକ ଚହର: ହାର୍ଦ୍ଦିକ ପେସ୍ ବୋଲିଂ ଅଲରାଉଣ୍ଡର ଭାବରେ ଦଳରେ ରହିଛନ୍ତି । ତେବେ ଦଳରେ ବର୍ତ୍ତମାନ ୩ ଜଣ ଷ୍ଟାର ସ୍ପିନର ଥିବା ବେଳେ ଜଣେ ପେସ୍ ବୋଲରଙ୍କୁ ଦଳରେ ସାମିଲ କରିବାକୁ ଚାହିଁବ ଟିମ ମ୍ୟାନେଜମେଣ୍ଟ । ଏଥିପାଇଁ ଦୀପକ ଚହର ସର୍ବଶ୍ରେଷ୍ଠ ବିକଳ୍ପ ହୋଇ ପାରନ୍ତି । ପାୱାରପ୍ଲେରେ ସୁନ୍ଦର ବୋଲିଂ କରିବା ସହ ଦୀପକ ଭଲ ବ୍ୟାଟିଂ ମଧ୍ୟ କରିପାରିବେ । ତେଣୁ ବିସିସିଆଇ ଦୀପକଙ୍କୁ ଦଳରେ ସୁଯୋଗ ଦେଇପାରେ ।

ୱାଶିଂଟନ ସୁନ୍ଦର: ଅକ୍ସର ପଟେଲଙ୍କ ବ୍ୟତୀତ ୱାଶିଂଟନ ସୁନ୍ଦର ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ଅକ୍ସର ଆହତ ହେବା ପରେ ଅଶ୍ୱୀନ ଏବଂ ସୁନ୍ଦରଙ୍କ ମଧ୍ୟରେ ହୋଇଥିଲା ଟକ୍କର । ତେବେ ଅଭତଜ୍ଞତା ଏବଂ ଫର୍ମକୁ ନଜରରେ ରଖି ଅଶ୍ୱୀନଙ୍କୁ ଦଳରେ ସାମିଲ କରାଯାଇଛି । ତେଣୁ ସୁନ୍ଦର ମଧ୍ୟ ହାର୍ଦ୍ଦିକଙ୍କ ସ୍ଥାନରେ ବିଶ୍ୱକପରେ ସୁଯୋଗ ପାଇପାରନ୍ତି ।

ଶିବମ ଦୁବେ: ହାର୍ଦ୍ଦିକଙ୍କ ବିକଳ୍ପ ଭାବେ ଶିବମ ଦୁବେ ମଧ୍ୟ ଭାରତ ପାଇଁ ଭଲ ବିକଳ୍ପ ହୋଇପାରନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଶିବମ ଗତ ୨ ବର୍ଷରେ ଖୁବ ରନ୍ କରୁଥିବା ବେଳେ ସେ ମଧ୍ୟକ୍ରମରେ ପେସ୍ ବୋଲିଂ କରିପାରନ୍ତି । ତେବେ ଭାରତୀୟ ଦଳରେ ବାମହାତୀ ବ୍ୟାଟରଙ୍କ ଅଭାବକୁ ସେ ପୂରଣ କରିପାରନ୍ତି । ତେଣୁ ସେ ମଧ୍ୟ ଦଳ ପାଇଁ ଭଲ ବିକଳ୍ପ ହୋଇପାରନ୍ତି । କିନ୍ତୁ ଟିମ ଇଣ୍ଡିଆ ଏବଂ ସମସ୍ତ କ୍ରିକେଟପ୍ରେମୀ ହାର୍ଦ୍ଦିକଙ୍କୁ କମବ୍ୟାକ କରିବାକୁ ଚାହିଁବେ ।

Get real time updates directly on you device, subscribe now.