fbpx

ବାଲ୍ୟ ବିବାହରେ ଆଗରେ ହରିୟାଣାର ଏହି ଜିଲ୍ଲା: ଗତ ୨ ବର୍ଷରେ ୧୮ ବର୍ଷରୁ କମ୍ ୨୯ % ମହିଳାଙ୍କ ବିବାହ

ନୂଆଦିଲ୍ଲୀ: ବାଲ୍ୟ ବିବାହର ଅର୍ଥ ହେଉଛି ଯେତେବେଳେ ପୁଅ ତଥା ଝିଅ କିମ୍ବା ଉଭୟ ବିବାହ ପାଇଁ ନିର୍ଦ୍ଧାରିତ ବୟସ ପୂର୍ବରୁ ବିବାହ କରୁଛନ୍ତି । ଭାରତରେ ବାଲ୍ୟ ବିବାହ ଭଳି କୁପ୍ରଥାକୁ ରୋକିବା ପାଇଁ ଅନେକ ବଡ଼ ବଡ଼ କାନୁନ ରହିଛି । କିନ୍ତୁ ଆଜିବି ଦେଶର ଅନେକ ସ୍ଥାନରେ ବାଲ୍ୟ ବିବାହ ବିନା ରୋକଠୋକରେ ହେଉଛି । ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ହରିୟାଣା ଭଳି ରାଜ୍ୟରେ ବାଲ୍ୟ ବିବାହ ସଂଖ୍ୟା ଅଧିକ ରହିଛି । ତେବେ ବାଲ୍ୟ ବିବାହ ମାମଲାରେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ବର୍ଷ ୨୦୧୯-୨୧ ମଧ୍ୟରେ କରାଯାଇଥିବା ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ ଦ୍ୱାରା ନିକଟରେ ଜାରି କରାଯାଇଥିବା ସଂଖ୍ୟା ଅନୁଯାୟୀ ହରିୟାଣାର ନୁଁହ ଜିଲ୍ଲାରେ ପ୍ରାୟ ୨୯ ପ୍ରତିଶତ ମହିଳାଙ୍କ ବିବାହ ୧୮ ବର୍ଷ ପୂର୍ବରୁ କରିଦିଆଯାଇଛି ।

ସର୍ବେକ୍ଷଣ ଅନୁଯାୟୀ, ୨୮.୭ ପ୍ରତିଶତ ସହ ନୁଁହ ଜିଲ୍ଲା ପ୍ରଥମ ସ୍ଥାନରେ ଥିବାବେଳେ ଏହାପରେ ପଲବଲ ଜିଲ୍ଲା ୨୩.୮ % ଏବଂ  ଗୁରୁଗ୍ରାମରେ ୨୦.୭ % ରହିଛି । ଏହି ସର୍ବେକ୍ଷଣ ୨୦-୨୪ ଆୟୁବର୍ଗର ମହିଳାଙ୍କ ମଧ୍ୟରେ କରାଯାଇଥିଲା, ଯେଉଁଥିରେ ଅନେକ ମହିଳା ସ୍ୱୀକାର କରିଛନ୍ତି ଯେ ସେମାନଙ୍କ ବିବାହ ୧୮ ବର୍ଷ ହେବା ପୂର୍ବରୁ କରାଯାଇଛି । ସେହିଭଳି ଓଡ଼ିଶାରେ ଏହି ଅଙ୍କ ୨୦.୫ ପ୍ରତିଶତ ରହିଥିଲା ।

ସୂଚନାଯୋଗ୍ୟ, ବାଲ୍ୟ ବିବାହ ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାର ୨୦୨୧ ଡିସେମ୍ବରରେ ଝିଅଙ୍କ ବିବାହ ବୟସ ୧୮ ବର୍ଷରୁ ବଢ଼ାଇ ୨୧ ବର୍ଷ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତିି । ନୂଆ ପ୍ରସ୍ତାବ ମଞ୍ଜୁର ହେବା ପରେ ଏବେ ସରକାର ବାଲ୍ୟ ବିବାହ ନିଷେଧ ଆଇନ, ସ୍ୱତନ୍ତ୍ର ବିବାହ ଆକ୍ଟ ଏବଂ ହିନ୍ଦୁ ମ୍ୟାରେଜ ଆକ୍ଟରେ ସଂଶୋଧନ କରିବେ । ୨୦୨୦ ରେ ନୀତି ଆୟୋଗରେ ଜୟା ଜେଟଲୀଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଏହାର ସୁପାରିଶ କରିଥିଲେ ।

Get real time updates directly on you device, subscribe now.