fbpx

ସାପ କାମୁଡ଼ା ମୃତ୍ୟୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗର ମାଷ୍ଟରପ୍ଲାନ୍: CHC ଓ PHCରେ ରହିବ ଆଣ୍ଟି ଭେନମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାପ କାମୁଡ଼ା ମୃତ୍ୟୁ ମାମଲାରେ ଓଡ଼ିଶା ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ରହିଛି । ଗତ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ସାପ କାମୁଡ଼ାରେ ରାଜ୍ୟରେ ୭ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଜାତୀୟ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ତଥ୍ୟରୁ ଜଣାପଡ଼ିଛି । ତେବେ ଏଣିକି ସାପ କାମୁଡ଼ା ଜନିତ ମୃତ୍ୟୁରେ ଲାଗିବ ଲଗାମ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି ।

ସୂଚନା ମୁତାବକ, ବନ୍ୟା କାରଣରୁ ସାପଙ୍କ ସଂଖ୍ୟା ବଢ଼ିବା ପରେ ସାପ କାମୁଡ଼ା ସଂଖ୍ୟା ମଧ୍ୟ ବଢ଼ୁଛି । ତେଣୁ ବନ୍ୟା ପ୍ରବଣ ଜିଲ୍ଲାର ଡାକ୍ତରଙ୍କୁ ଏଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି । ସାପ କାମୁଡ଼ାରେ ରକ୍ତ ବାହାରିବା ଓ କିଡନୀ ନଷ୍ଟ ହେବାରୁ କିଭଳି ରୋକିହେବ ସେନେଇ ଟ୍ରେନିଂ ଦିଆଯାଉଛି । ରାଜ୍ୟରେ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା ଅଧିକ ରହିଥିବାରୁ ସେଥିପାଇଁ ପଦକ୍ଷେପ ଗ୍ରହଣ କରଯାଉଛି । ଏନେଇ ସ୍ନେକ ବାଇଟ ମ୍ୟାନେଜମେଣ୍ଟ ଆଣ୍ଡ ପ୍ରିଭେନସନ୍ ଶୀର୍ଷକ କର୍ମଶାଳା ଆୟୋଜିତ ହୋଇଯାଇଛି ।

ଦେଶରେ ୩ ଶହ ପ୍ରକାରର ସାପ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ବିଷାକ୍ତ ସାପ । କେଉଁ ସାପ କାମୁଡ଼ିଲେ କେଉଁ ପ୍ରକାରର କ୍ଷତି ହେବ ସେନେଇ ଡାକ୍ତରଙ୍କୁ ଟ୍ରେନିଂ ଦିଆଯାଉଛି । ରୋଗୀଙ୍କ ଚିକିତ୍ସା ଲାଗି ନୂଆ ପଦ୍ଧତି ପ୍ରସ୍ତୁତ ହେବା ସହିତ ଅଙ୍ଗନବାଡ଼ି ଦିଦି, ଆଶାକର୍ମୀ ଓ ଏସଏଚଜିଙ୍କୁ ସ୍ୱତନ୍ତ୍ର ଟେନିଂ ଦିଆଯିବ । ସିଏଚସି ଓ ପିଏଚସିରେ ଆଣ୍ଟି ଭେନମ୍ ଉପଲବ୍ଧ ରହିବ । ଆଣ୍ଟି ଭେନମର ଏକ୍ସପାରୀ ହେବା ପୂର୍ବରୁ ତାହାକୁ ଫେରାଇ ନୂଆ ଭାଏଲ ଆଣିବାକୁ ଡାକ୍ତରକୁ କୁହାଯାଇଛି । ସାପ କାମୁଡ଼ିଲେ ରୋଗୀକୁ ହସ୍ପିଟାଲକୁ ବିଳମ୍ବରେ ନିଆଯାଇ ଗୁଣିଆଙ୍କୁ ଦେଖାଉଥିବାରୁ ମୃତ୍ୟୁହାର ବଢ଼ୁଛି । ତେଣୁ ଆଣ୍ଟି ଭେନମ୍ ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ କରାଯିବ ।

Get real time updates directly on you device, subscribe now.