fbpx

ସରୋଗେଟ ମା’ଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା କରାଇବା ଜରୁରୀ, ଜାରି ହେଲା ନିୟମ

ନୂଆଦିଲ୍ଲୀ: ବିଭିନ୍ନ କାରଣରୁ ସନ୍ତାନ ସୁଖରୁ ବଞ୍ଚିତ ହେଉଥିବା ଦମ୍ପତ୍ତିଙ୍କ ପାଇଁ ସରୋଗେଟ ମଦର ଏକ ଆଧୁନିକ ବିକଳ୍ପ । ଏହାଦ୍ୱାରା ସନ୍ତାନ ସୁଖ ପାଇପାରୁଛନ୍ତି ଦମ୍ପତ୍ତି । ହେଲେ ଅନେକ ସମୟରେ ସରୋଗେଟ ମା’ଙ୍କୁ ପ୍ରସବ ପରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଏହି ସରୋଗେଟ ମା’ଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଆଣିଛନ୍ତି କେନ୍ଦ୍ର ସରକାର ।

ନିୟମ ଅନୂଯାୟୀ ଏଣିକି ସରୋଗେସୀ ଜରିଆରେ ସନ୍ତାନ ଜନ୍ମ ଦେବାକୁ ଚହୁଥିବା ଦମ୍ପତ୍ତିଙ୍କୁ ସରୋଗେଟ୍ ମା’ଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା କରାଇବାକୁ ହେବ । କେନ୍ଦ୍ର ସରକାର ସରୋଗେସୀକୁ ଏକ ନୂଆ ନିୟମ ଡ୍ରାଫ୍ଟ କରିଛନ୍ତି, ଏହା ଅନୂଯାୟୀ ଯଦି କେହି ଦମ୍ପତ୍ତି ସରୋଗେସୀ ଜରିଆରେ ସନ୍ତାନ ପାଇବାକୁ ଚାହୁଛନ୍ତି ତେବେ ତାଙ୍କୁ ସରୋଗେସୀ ପାଇଁ ପ୍ରସ୍ତୁତ ଥିବା ମହିଳାଙ୍କର ତିନି ବର୍ଷର ସ୍ୱାସ୍ଥ୍ୟ ବୀମା କରାଇବାକୁ ବେହ । ଫଳରେ ଏହି ବୀମା ରାଶି ପ୍ରସବ ପୂର୍ବ ଏବଂ ପରେ ହେବାକୁ ଥିବା ସ୍ୱାସ୍ଥ୍ୟ ଆବଶ୍ୟକତାକୁ ପୂରା କରିବାରେ ସହାୟକ ହେବ ।

କେନ୍ଦ୍ର ସରକାରର ଅଧିସୂଚନା ଅନୂଯାୟୀ ଏହି ବୀମା ଭାରତରେ ଅଧିକୃତ ବୀମା କମ୍ପାନୀ କିମ୍ବା ଏଜେଣ୍ଟଙ୍କ ଦ୍ୱାରା ହୋଇପାରିବ । ସରୋଗେସୀ ପାଇଁ ପ୍ରସ୍ତୁତ ଥିବା ମହିଳାଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ସାଧାରଣତଃ ଅଭିଯୋଗ ହେଉଥିଲା ଯେ ସରୋଗେସୀ ସେହି ମହିଳାଙ୍କୁ ସେହିଭଳି ଛାଡ଼ି ଦିଆଯାଉଥିଲା । ଯେଉଁ କାରଣରୁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଥିଲା । ଏହି ବୀମା ଅନୂଯାୟୀ ସରୋଗେସୀ ପାଇଁ ପ୍ରସ୍ତୁତ ମହିଳାଙ୍କ ମା’ ହେବା ପ୍ରକ୍ରିୟା ମଧ୍ୟରେ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ବୀମା ରାଶି ମିଳିବ ।

ସରକାର ଏହି ଅଧିସୂଚନାରେ ସ୍ପଷ୍ଟ କରିଛନ୍ତି ଯେ ଜଣେ ମହିଳା ତିନି ଥରରୁ ଅଧିକ ସରୋଗେସୀ ପ୍ରକ୍ରିୟାରେ ମା’ ହୋଇପାରିବେ ନାହିଁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୂଯାୟୀ କୌଣସି ନିୟମ ନଥିବା ଲୁଚାଛପାରେ ଗରିବ ମହିଳାଙ୍କ ଶୋଷଣ ମଧ୍ୟ ହେଉଥିଲା, ଯାହାର ସେମାନଙ୍କ ଶାରୀରିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଉଥିଲା ।

ସରୋଗେଟ ମା’ଙ୍କୁ  ଗର୍ଭଧାରଣ ସମୟରେ ଯଦି ଡାକ୍ତର ଆବୋର୍ଶନ କରିବାକୁ ପରାମର୍ଶ ଦିଅନ୍ତି ତେବେ ମହିଳାଙ୍କ ପାଖରେ  ନିର୍ଦ୍ଧାରିତ ଆଇନ ଅନୂଯାୟୀ ଆବୋର୍ଶନ କରିବା ଅଧିକାର ରହିବ । କେନ୍ଦ୍ର ସରକାର ସରୋଗେସୀ କରାଉଥିବା ବେସରକାରୀ ହସ୍ପିଟାଲ ଏବଂ କ୍ଲିନିକ୍ ପାଇଁ ମଧ୍ୟ ନିୟମ ଆଣିଛନ୍ତି । ନିୟମ ଅନୂଯାୟୀ ସରୋଗେସୀ କରାଉଥିବା ସବୁ ସଂସ୍ଥାଙ୍କୁ ରେଜିଷ୍ଟେସନ କରିବାକୁ ପଡ଼ିବ ଆଉ ଏଥପାଇଁ ନିର୍ଦ୍ଧାରିତ ରେଜିଷ୍ଟ୍ରେସନ ଫି ମଧ୍ୟ ଦେବାକୁ ହେବ । ସେହିପରି ବେସରକାରୀ ସଂସ୍ଥାକୁ ସରୋଗେସୀ ପ୍ରକ୍ରିୟା ପାଇଁ ଅନୁମତି ନେବା ପୂର୍ବରୁ ପର୍ଯ୍ୟାପ୍ତ ଷ୍ଟାଫଙ୍କୁ ନିଯୁକ୍ତ କରିବାକୁ ହେବ । ସରକାରଙ୍କ ନିୟମରେ  ସରୋଗେସୀ ପାଇଁ ଡାକ୍ତରଙ୍କ ଅନୁଭବ ସୀମା ମଧ୍ୟ ନିର୍ଦ୍ଧାରିତ କରିଛନ୍ତି ।

କେନ୍ଦ୍ର ସରକାର ଗତ ବର୍ଷ ଏନେଇ ଆଇନ ଆଣିଥିଲେ, ଏଥିପାଇଁ ଏବେ ନିୟମକୁ ଜାରି କରାଯାଇଛି । ଏହାଦ୍ୱାରା ଆଇନରେ ସରୋଗେସୀ ଦ୍ୱାରା ମା’ ହେଉଥିବା ମହିଳାଙ୍କ ଅଧିକାର ଏବଂ ସେମାନଙ୍କ ସ୍ୱାସ୍ଥ୍ୟର ପୂରା ଧ୍ୟାନ ରଖାଯାଇପାରିବ ।

Get real time updates directly on you device, subscribe now.