fbpx

ଡାଇବେଟିସ୍‌ ନିୟନ୍ତ୍ରଣରେ ରାମବାଣ ଭଳି କାମ ଦିଅ କଞ୍ଚା କଦଳୀ

ପାଚିଲା କଦଳୀ ଖାଇଲେ କଣ ଲାଭ ମିଳେ, ତାହା ତ ସମସ୍ତେ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି, କଞ୍ଚା କଦଳୀରେ ଖୁବ୍‌ କମ୍‌ ଶର୍କରା ଥାଏ। ଏହି କାରଣରୁ କଞ୍ଚା କଦଳୀ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଗ୍ଲାଇସେମିକ ଇଣ୍ଡେକ୍ସ (ଜିଆଇ) ୫୫ରୁ କମ୍‌ ଥିବା ଯୋଗୁଁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କମ୍‌ ଜିଆଇ ଥିବା ଖାଦ୍ୟ ପଦାର୍ଥ ରକ୍ତରେ ଶର୍କରାର ମାତ୍ରାକୁ ବୃଦ୍ଧି କରିବା ବନ୍ଦ କରିଥାଏ। ଡାଇବେଟିସ ରୋଗୀ ନିଜ ଦୈନିକ ଭୋଜନରେ କଞ୍ଚା କଦଳୀକୁ ସାମିଲ କରିପାରିବେ।

କଞ୍ଚା କଦଳୀ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ମତ ଦେଇଥାନ୍ତି ପୋଷଣ ବିଶେଷ ପୂଜା ମାଲହୋତ୍ରା। କଞ୍ଚା କଦଳୀରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ସହଜ କରିଥାଏ। ଏହାକୁ ନିୟମିତ ଖାଇଲେ କୋଲେଷ୍ଟ୍ରଲ ମଧ୍ୟ କମ୍‌ ହୋଇଥାଏ। ଏହା ସହ କଞ୍ଚା କଦଳୀ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ସହିତ ହୃଦ୍‌ଘାତ ଆଶଙ୍କା କମ୍‌ କରିଥାଏ। କଞ୍ଚା କଦଳୀରେ ପ୍ରଚୁର ପରିମାଣରେ ଫାଇବର ଥିବାରୁ ଏହାକୁ ଖାଇଲେ ଦୀର୍ଘ ସମୟ ଯାଏ ଭୋକ ହୋଇ ନ ଥାଏ। ଓଜନ କମ୍‌ କରିବାକୁ ଚାହୁଁଥିବା ବ୍ୟକ୍ତି ନିଜର ନିତିଦିନିଆ ଖାଦ୍ୟରେ କଞ୍ଚା କଦଳୀକୁ ସାମିଲ୍‌ କରିପାରିବେ। କଞ୍ଚା କଦଳୀରେ ପୋଟାସିୟମ ଅଧିକ ମାତ୍ରାରେ ରହିଥାଏ। ପୋଟାସିୟମ ତତ୍ତ୍ବ ଥିବା ଖାଦ୍ୟ କିଡ୍‌ନୀ ପାଇଁ ଉପକାରୀ। ଏହା ସହିତ କଞ୍ଚା କଦଳୀ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

କଦଳୀ ଆମ ଦେଶରେ ଏକ ପରିଚିତ ନାମ। କଞ୍ଚାରେ ଏହାକୁ ପରିବା ଭାବେ ବ୍ୟବହାର କରାଯାଉଥିବା ବେଳେ ପାଚିଲେ ଏହା ଫଳ ଭାବେ ଚାହିଦା ସୃଷ୍ଟି କରିଥାଏ। ଆମ ଦେଶରେ ଏହାର ପତ୍ର, ଫଳ, ମଞ୍ଜ, ଫୁଲର ବିବିଧ ବ୍ୟବହାର ରହିଆସିଛି। କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ କଦଳୀକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଇଥାଏ। କଞ୍ଚା କଦଳୀରୁ ଚିପ୍‌ସ ପ୍ରସ୍ତୁତ କରି ବିକ୍ରି କ୍ଷେତ୍ରରେ କେରଳ ସବା ଆଗରେ ରହିଛି।

କଞ୍ଚା ଓ ପାଚିଲା କଦଳୀରେ ସବୁଠାରୁ ଆବଶ୍ୟକ ଭିଟାମିନ ଓ ଖଣିଜ ଲବଣ ରହିଛି। ଏଥିରେ ଭିଟାମିନ ସି ଏବଂ ଭିଟାମିନ ବି-୬ ରହିଛି। ସୁସ୍ଥ ତ୍ବଚା ଏବଂ କେଶ ପାଇଁ ଭିଟାମିନ ସି ଏକ ଦରକାରୀ ଉପାଦାନ। ଭିଟାମିନ ବି-୬ ଖାଦ୍ୟକୁ ଶକ୍ତିରେ ରୂପାନ୍ତରିତ କରିବା ପାଇଁ ସାହାଯ୍ୟ କରିଥାଏ। ଏହା ହୃତ୍‌ପିଣ୍ଡର ସ୍ବାସ୍ଥ୍ୟ ପାଇଁ ଭଲ ଏବଂ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀକୁ ତ୍ବରାନ୍ବିତ କରିଥାଏ। ପାଚିଲା କଦଳୀରେ ଅଧିକ ମାତ୍ରାରେ ଶର୍କରା ଓ ଫାଇବର ରହିଥାଏ। ବ୍ଲଡ ସୁଗାର ନିୟନ୍ତ୍ରିତ କରୁଥିବା ଏହି ଫଳ ଓ ପରିବା ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ। କଞ୍ଚା କଦଳୀରେ ଅଧିକ ମାତ୍ରାରେ କ୍ୟାଲସିୟମ ଥିବାରୁ ଏହା ଶରୀରର ହାଡ଼କୁ ମଜଭୁତ କରିଥାଏ।

Get real time updates directly on you device, subscribe now.